ETV Bharat / state

WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ; ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

author img

By ETV Bharat Odisha Team

Published : Dec 20, 2023, 7:14 AM IST

Updated : Dec 20, 2023, 2:24 PM IST

Etv Bharat
Etv Bharat

WODC Chairman Kalahandi Tour: ପଶ୍ଚିମ ଓଡିଶା ବିକାଶ ପରିଷଦ(WODC) ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ । କୋକସରାରେ ନୂତନ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର କଲେ ଭିତ୍ତିପ୍ରସ୍ତର ସ୍ଥାପନ । ଅଧିକ ପଢନ୍ତୁ

WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(WODC) ଅଧ୍ୟକ୍ଷ ଅସିତ ତ୍ରିପାଠୀ ଧର୍ମଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ସେହିପରି 1 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦରେ ଚଞ୍ଚରା ଜଳପ୍ରପାତ ଓ ଚୁରା ପାହାଡର ଉନ୍ନତିକରଣ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ 5-ଟି ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ପରିଷଦ ପକ୍ଷରୁ ସିସିଟିଭି ପାଇଁ 32.54 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ସିସିଟିଭି ସର୍ଭିଲାନ୍ସ ସିଷ୍ଟମରେ 42ଟି କ୍ୟାମେରା ରହିବ । ଏହା ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଅନ୍ୟପକ୍ଷେ କୋକସରାରେ ନୂତନ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ଅସିତ । WODC ପକ୍ଷରୁ ଏହାର କ୍ଷମତା ବୃଦ୍ଧି ପାଇଁ 10 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ।

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ନିକଟବର୍ତ୍ତୀ ଚୁରା ପାହାଡକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ସମସ୍ତ ଅନୁଦାନ ଯୋଗାଇ ଦିଆଯାଇଛି । ଗସ୍ତ ସମୟରେ କାର୍ଯ୍ୟର ସମୀକ୍ଷା କରିବା ସହ ଏହାକୁ ଏକ ଭବ୍ୟ ଇକୋ ଟୁରିଜିମ ଭାବେ ଗଢି ତୋଳିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏନେଇ ଏକି ବିସ୍ତୃତ ଖସଡା ପ୍ରସ୍ତୁତ କରି WODC ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପରାମର୍ଶ ଦେବା ସହ ଆଉ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡି ଗସ୍ତରେ WODC ଅଧ୍ୟକ୍ଷ; ମୋହନଗିରି ଶୈବପୀଠର ଉନ୍ନତିକରଣ ପାଇଁ ଦେଲେ ପ୍ରତିଶ୍ରୁତି


ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା 2.52 ଅନୁଦାନରେ କୋକସରା ବ୍ଲକ ଅନ୍ତର୍ଗତ ଡୋକରି ଚଞ୍ଚରା ଜଳପ୍ରପାତର ଇକୋ ଟୁରିଜିମର ଉନ୍ନତିକରଣ ଚାଲିଛି । ଏହାର ପରିଦର୍ଶନ କରି ଜଙ୍ଗଲ ସୁରକ୍ଷା ଏବଂ ମନ୍ଦିର କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଜୁନାଗଡ଼ ବ୍ଲକର ତଲଯାରିଙ୍ଗ ନିକଟରେ ନୂତନ ଭାବେ ଗଢ଼ି ଉଠୁଥିବା ଶିଳ୍ପାଞ୍ଚଳ କ୍ଷେତ୍ର ପରିଦର୍ଶନ କରି ଇଥାନଲ ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି । ଭାରତ ପୋଟାସ ଲିଃ ତଥା ଇଡୋକୋର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଯୁବ ଉଦ୍ୟୋଗୀଙ୍କ ଦ୍ଵାରା ଆହୁରି ଅଧିକ ଏସଏସଆଇ ୟୁନିଟ୍‌ କିପରି ଗଢ଼ି ଉଠିବ ତାହା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅସିତ ତ୍ରିପାଠୀ କହିଛନ୍ତି ଯେ, ଏହି ଇଥାନଲ ପ୍ଲାଣ୍ଟ 38 ଏକର ଜମିରେ ନିର୍ମାଣ କରାଯାଉଛି । 219 କୋଟିର ପୁଞ୍ଜି ବିନିଯୋଗରେ ବାର୍ଷିକ 190KLPD ଇଥାନଲ ଉତ୍ପାଦନ କରାଯାଇପାରିବ । ଏହି ପ୍ଲାଣ୍ଟ ନିର୍ମାଣ ଦ୍ବାରା ସ୍ଥାନୀୟ ନିଯୁକ୍ତି ମଧ୍ୟ ସମ୍ଭବ ହୋଇପାରିବ ।

WODC ଅଧ୍ୟକ୍ଷ କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପାଖ ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି । ମା' ସମଲେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ନିର୍ମିତ ଛେଳି ଚାଷ କ୍ଷେତ୍ର ପରିଦର୍ଶନ କରିଛନ୍ତି । ‌ମା' ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ କରିଥବା କୁକୁଡ଼ା ଚାଷ ଓ ଲଙ୍କା ଚାଷ ବୁଲି ଦେଖିଛନ୍ତି । ଅସିତ ଡଙ୍ଗାପଲ୍ଲ ଗ୍ରାମରେ 10 ହେକ୍ଟର ଜମିରେ ପାମୋଲିନ ଚାଷ କରିଥିବା ଯୁବ ଉଦ୍ୟୋଗୀଙ୍କ ସହ ସେ ଆଲୋଚନା କରିଛନ୍ତି । ଜିଲ୍ଲାରେ ଆଗକୁ 5 ହଜାର ଏକର ଜମିରେ ଏହି ଚାଷ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ଏକ ଏକର ଜମିରୁ ବାର୍ଷିକ 1 କୋଟି ଟଙ୍କାର ଆୟ ସମ୍ଭବ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରି SHGରୁ SME କାର୍ଯ୍ୟକ୍ରମରେ ଯୋଗଦେଇ ହସ୍ତଶିଳ୍ପ ଟେରାକୋଟା କାମକୁ ପ୍ରଶଂସା କରିଛନ୍ତି । ମହିଳାମାନଙ୍କ ପାଇଁ 18 ଲକ୍ଷ ଅନୁଦାନରେ ନିର୍ମିତ ଅସମ୍ପୂର୍ଣ୍ଣ କୋଠାକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ଧର୍ମଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ଜୁନାଗଡ଼ ବ୍ଲକର ତଲଯାରିଙ୍ଗ ଗ୍ରାମରେ ଯୁବ ମତ୍ସ୍ୟ ଚାଷୀ କେ.ସୁନୀଲ କୁମାରଙ୍କୁ ଭେଟିଥିବା ବେଳେ ଝରିଆଗୁଡା ସ୍ଥିତ ଉଦ୍ୟୋଗୀ ରାଜକିଶୋର ସାହୁଙ୍କ ମାଛ ଜାଆଁଳା ଉତ୍ପାଦନ ଓ ମାଛ ଚାଷ ମଧ୍ୟ ସେ ପରିଦର୍ଶନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ସର୍ବଦା 30 ହଜାର ଟନ ମାଛ ଉତ୍ପାଦନ କରି ଆଗରେ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 20, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.