ETV Bharat / state

Odisha Assembly: ବିଦ୍ୟୁତ ବଳକା ରାଜ୍ୟରେ ବିଦ୍ୟୁତ ଦର ବଢୁଛି କାହିଁକି: ବିରୋଧୀ

author img

By

Published : Mar 17, 2023, 8:24 PM IST

Etv Bharat
Etv Bharat

ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀ ନୋଟିସ ଶୀର୍ଷକ ‘‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲେମାଲ ରାଜ୍ୟବାସୀ ବେହାଲ’’ ଆଲୋଚନାରେ ଭାଗ ନେଇ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି । ମୋହନ କହିଛନ୍ତି ଯେ ରାଜ୍ୟ ସରକାର ବିଦ୍ୟୁତ କମ୍ପାନୀକୁ ସୁହାଇଲା ଭଳି କାମ କରୁଛନ୍ତି । ଅଧିକ ପଢନ୍ତୁ

ବିଦ୍ୟୁତ ବଳକା ରାଜ୍ୟରେ କାହିଁକି ବିଦ୍ୟୁତ ଦର ବଢୁଛି: ବିରୋଧୀ

ଭୁବନେଶ୍ବର: ରାଜ୍ୟ ସରକାର ବିଦ୍ୟୁତ କମ୍ପାନୀକୁ ସୁହାଇଲା ଭଳି କାମ କରୁଛନ୍ତି । ଉପଭୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦିଆଯାଉନାହିଁ। ଲୋକଙ୍କ ତଣ୍ଟି ଚିପି ବିଦ୍ୟୁତ ବିଲ ଆଦାୟ କରାଯାଉଛି। ସୁଲଭ ମୂଲ୍ୟରେ ଗୁଣାତ୍ମକ ବିଜୁଳି ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ । ବିଦ୍ୟୁତ ସଂସ୍କାରରେ ଓଡିଶା ପ୍ରଥମ ରାଜ୍ୟ । କିନ୍ତୁ ସରକାରଙ୍କ ଭୁଲ ନୀତି ଓ ବିଭାଗୀୟ ଅପାରଗତା ପାଇଁ ରାଜ୍ୟରେ ବିଜୁଳି ଦର ବଢୁଛି‌। ବିଦ୍ୟୁତ ଉତ୍ପାଦନରେ ରାଜ୍ୟ ବଳକା ରାଜ୍ୟ ହୋଇଥିବା ବେଳେ କାହିଁକି କମ ଦରରେ ରାଜ୍ୟବାସୀଙ୍କୁ ବିଜୁଳି ମିଳୁନାହିଁ ? ଆଜି ବିଧାନସଭା ଶୁନ୍ଯକାଳରେ ଆସିଥିବା ମୁଲତବୀ ନୋଟିସ ଆଲୋଚନାରେ ଭାଗ ନେଇ ଏମିତି ରାଜ୍ୟ ସରକାର ଓ ଶକ୍ତି ବିଭାଗ ବିରୋଧରେ ଗର୍ଜିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀ ନୋଟିସ ଶୀର୍ଷକ, ‘‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲେମାଲ ରାଜ୍ୟବାସୀ ବେହାଲ’’ ଆଲୋଚନାରେ ଭାଗ ନେଇ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି । ମୋହନ କହିଛନ୍ତି, ‘‘ରାଜ୍ୟ ସରକାର ବିଦ୍ୟୁତ କମ୍ପାନୀକୁ ସୁହାଇଲା ଭଳି କାମ କରୁଛନ୍ତି । ଉପଭୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦିଆଯାଉନାହିଁ। ଲୋକଙ୍କ ତଣ୍ଟି ଚିପି ବିଦ୍ୟୁତ ବିଲ ଆଦାୟ କରାଯାଉଛି। ସୁଲଭ ମୂଲ୍ୟରେ ଗୁଣାତ୍ମକ ବିଜୁଳି ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ । ବିଦ୍ୟୁତ ସଂସ୍କାରରେ ଓଡିଶା ପ୍ରଥମ ରାଜ୍ୟ । କିନ୍ତୁ ସରକାରଙ୍କ ଭୁଲ ନୀତି ଓ ବିଭାଗୀୟ ଅପାରଗତା ପାଇଁ ରାଜ୍ୟରେ ବିଜୁଳି ଦର ବଢୁଛି‌। ବିଦ୍ୟୁତ ଉତ୍ପାଦନରେ ରାଜ୍ୟ ବଳକା ରାଜ୍ୟ ହୋଇଥିବା ବେଳେ କାହିଁକି କମ ଦରରେ ରାଜ୍ୟବାସୀଙ୍କୁ ବିଜୁଳି ମିଳୁନାହିଁ ?’’ ବିଜୁଳି ବର୍ତ୍ତମାନ ମୌଳିକ ଆବଶ୍ୟକତା ହୋଇଛି । ସୁଲଭ ମୂଲ୍ୟରେ ଗୁଣାତ୍ମକ ବିଜୁଳି ଯୋଗାଇବା ସରକାରଙ୍କ ଦାୟିତ୍ଵ। କିନ୍ତୁ ଉପଭୋକ୍ତାଙ୍କୁ ହିଁ ନ୍ୟାୟ ଦେବାରେ ସଫଳ ହୋଇପାରିଲେ ନି ସରକାର। ଦିଲ୍ଲୀ ସରକାର ନିଜେ ଉତ୍ପାଦନ ନକରି ମଧ୍ୟ ସୁଲଭ ଓ ଶସ୍ତାରେ ବିଜୁଳି ଦେଉଛନ୍ତି ।

ମୋହନ ଦାବି କରିଛନ୍ତି ଛତିଶଗଡ, ବିହାର, ରାଜସ୍ଥାନ, ହରିୟାଣାରେ ଓଡ଼ିଶା ଠାରୁ କମ ଦରରେ ବିଜୁଳି ଦିଆଯାଉଛି । ଏଠି ସରକାର କିଛି କରୁନାହିଁ । ୨୦୧୬ ରୁ ଅକ୍ଷୟ ଉର୍ଜା ଆରମ୍ଭ ହେଲାଣି। କିନ୍ତୁ ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଯଦି କାର୍ଯ୍ୟକାରୀ ହେଇଥାନ୍ତା, ତେବେ ବିଜୁଳି ୨. ୩୦ ପଇସାରେ ମିଳନ୍ତା । ରାଜ୍ୟରେ ବିଜୁଳି ଉତ୍ପାଦନ ୪୩୫ ମେଗାୱାଟରେ ସୀମିତ । ସୌରଶକ୍ତି ବ୍ୟବାହାର କରାଯାଉ। ବିଦ୍ୟୁତ ଉତ୍ପାଦନକୁ ବଢ଼ାଯାଉ ।

ଏହାବି ପଢନ୍ତୁ- Budget Session: CMO ରିଟାୟାର୍ଡ ଅଫିସରଙ୍କ କ୍ଲବ ଜୟନାରାୟଣ: ବିରୋଧୀ ଦଳନେତା

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଟାଟା କମ୍ପାନୀର ୫୧ ପ୍ରତିଶତ ରାଜ୍ୟ ସରକାରଙ୍କ ୪୯ ପ୍ରତିଶତ ଅଂଶଧନ ପ୍ରସଙ୍ଗ ଉଠାଇ ସମାଲୋଚନା କରିଥିଲେ । ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ‘ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ସରକାର ବିଫଳ ହୋଇଛନ୍ତି। ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ଘରୋଇ କମ୍ପାନି ଟିପିଓଡିଏଲକୁ ଦାୟିତ୍ବ ଦିଆଯାଇଥିଲା। ହେଲେ କମ୍ପାନି ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ ପାଇବାରେ ବିଫଳ ହୋଇଛି। ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ବିଦ୍ୟୁତ ତାରିଫ ବଢିବଢି ଚାଲିଛି। ଏହା ଲୋକଙ୍କ ଉପରେ ବୋଝ ହୋଇଛି। ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାମାନଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ ବୋଲି ଦାବି କରିଥିଲେ । ଜାତୀୟ ହାର ୟୁନିଟ ପିଛା ୫ ଟଙ୍କା ୧୧ ପଇସା ଥିବା ବେଳେ ରାଜ୍ୟରେ ୫.୨୨ ପଇସା ରହିଛି। ପରିଚାଳନାଗତ ତ୍ରୁଟି ପାଇଁ ହେଉଥିବା ବାଣିଜ୍ୟିକ କ୍ଷତିକୁ ଗ୍ରାହକଙ୍କ ଉପରେ ଲଦାଯାଉଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦାୟିତ୍ୱ ନିର୍ବାହରେ ଫେଲ ମାରିଛି ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ବିଦ୍ୟୁତ ପରିଚାଳନା, ବଣ୍ଟନ ଓ ଉତ୍ପାଦନକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର କିଛି ଆଧାର ନାହିଁ । ଓଡିଶା ବିଦ୍ୟୁତ ବଳକା ରାଜ୍ୟରେ ପରିଣତ ହୋଇଛି । ବିଗତ ୨୦୦୦ ମସିହାରେ ରାଜ୍ୟର ୨୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ବର୍ତ୍ତମାନ ଏହା ୯୭ ପ୍ରତିଶତରେ ପହଞ୍ଚିଛି । ୨୦୦୦ ମସିହାରେ ୧୬ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ଏଥିପାଇଁ ୧୦ ହଜାର ମିଲିୟନ ୟୁନିଟ ଆବଶ୍ୟକ ପଡୁଥିଲା। ମନ୍ତ୍ରୀ ଆହୁରି କହିଛନ୍ତି ଚଳିତ ୨୦୨୩ ମସିହାରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଛି। ଚାହିଦା ୨୭ ହଜାର ୪୦୦ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି। ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଲିଛି। ୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିବା ବେଳେ ଏହା ବର୍ତ୍ତମାନ ୨୬ ପ୍ରତିଶତକୁ ହ୍ରାସ ପାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବିରୋଧୀଙ୍କ ମାଗଣ ବିଦ୍ୟୁତ ପ୍ରଦାନ ଦାବିକୁ ମନ୍ତ୍ରୀ ପ୍ରତ୍ୟାଖାନ କରିବା ସହ ମାଗଣା ବିଜୁଳି ଦେଲେ ଶ୍ରୀଲଙ୍କା ଭଳି ଆର୍ଥିକ ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.