ETV Bharat / state

ଡରାଇଲାଣି ଡେଙ୍ଗୁ, ୧୬ ଜିଲ୍ଲାରେ ୧୮୫ ଆକ୍ରାନ୍ତ ଚିହ୍ନଟ

author img

By

Published : Jul 3, 2023, 4:17 PM IST

ରାଜ୍ୟକୁ ପୁଣି ଡରାଇଲାଣି ଡେଙ୍ଗୁ ଆତଙ୍କ । ୧୬ ଜିଲ୍ଲାରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଟେଷ୍ଟିଂ ବଢିଥିବା ବେଳେ ଡେଙ୍ଗୁ ପଜିଟିଭିଟି ରେଟ୍‌ କିନ୍ତୁ କମ୍‌ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଡରାଇଲାଣି ଡେଙ୍ଗୁ
ଡରାଇଲାଣି ଡେଙ୍ଗୁ

ଡରାଇଲାଣି ଡେଙ୍ଗୁ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଚଳିତ ବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ ପଜିଟିଭ୍‌ ସଂଖ୍ୟା ବହୁତ କମ୍ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୨ ଜଣ, ବାଲେଶ୍ବରରୁ ୧୦ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇ ମୋଟ ୧୮୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୪୪୬ ଟେଷ୍ଟ୍‌ କରାଯାଇଛି । ତେବେ ସେଥିରୁ ୧୮୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୫,୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା । ସେଥିରୁ ୩୫୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବହୁତ କମ ରହିଛି । ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇ କହିଛନ୍ତି, "ଏଡିସ୍‌ ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ କାମୁଡ଼ନ୍ତି, ଶୋଇବା ଅବସ୍ଥାରେ ନୁହେଁ । ଏଡିସ୍‌ ମଶା ସ୍ବଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି । ଆମକୁ ସେସବୁ ସଫା କରିବାକୁ ହେବ, ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି । ଯେପରିକି କୁଲର, ଅଦରକାରୀ ଟିଣ, କୁଡୁଆ ଆଦିରେ ପାଣି ଜମିବାକୁ ଦେବା ନାହିଁ । ଡେଙ୍ଗୁ ଚିହ୍ନଟଙ୍କ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେଠାରେ ଡେଙ୍ଗୁ ପାଇଁ ସ୍ଵତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି ।" ତେବେ ଯେଉଁମାନେ ଡେଙ୍ଗୁ ଟେଷ୍ଟ ପାଇଁ ଆସୁଛନ୍ତି, ସେମାନେ କେବଳ ସରକାରୀ ହସ୍ପିଟାଲରେ ଟେଷ୍ଟ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରକାଶ ଥାଉ କି, ଦୁଇଦିନ ତଳେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଦେଶରେ ଡେଙ୍ଗୁ, ମ୍ୟାଲେରିଆ ସମେତ ବିଭିନ୍ନ ଭେକ୍ଟର ବାହିତ ରୋଗର ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏଥିରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୨୨ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଭେକ୍ଟର ବାହିତ ରୋଗ ନେଇ ରାଜ୍ୟ ଗୁଡ଼ିକ ସବୁ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ । କିଭଳି ଭାବରେ ଲୋକମାନଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ ବା ସମସ୍ତଙ୍କ ପାଖରେ ପହଞ୍ଚିବ, ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.