ETV Bharat / state

ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ, ତ୍ରୁଟିଶୂନ୍ୟ ଭୋଟର ତାଲିକା ଉପରେ ଗୁରୁତ୍ୱାରୋପ

author img

By ETV Bharat Odisha Team

Published : Sep 23, 2023, 7:18 AM IST

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ । ସର୍ବଦଳୀୟ ବୈଠକ ଡକାଇ ସହଯୋଗ ଲୋଡିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ପାଇଁ ବୁଥରେ ନିଯୁକ୍ତ ହେବେ ଏଜେଣ୍ଟ । ଜାନୁଆରୀ ୫ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟରେ ୪ଟି ସ୍ଵତନ୍ତ୍ର ପ୍ରଚାର ଅଭିଯାନ ଦିବସ ।

2024 Election:ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ
2024 Election:ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ ଅଧିକାରୀ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବୈଠକ କରିଛନ୍ତି । ରାଜ୍ୟର ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ସେ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି ।

ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ରାଜ୍ୟର ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ସମ୍ୱନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଛି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜାନୁଆରୀ ୫ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରତି ବୁଥରେ ସେମାନଙ୍କ ଦଳ ତରଫରୁ ଜଣେ ଲେଖାଏଁ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବେ । ଏହା ସହ ଦଳ ତରଫରୁ ଫଟୋ ପରିଚୟ ପତ୍ର ଦେବେ । ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କ ଡାଟା ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଇଆରଓ ତଥା ଉପଜିଲ୍ଲାପାଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ।

ନିଯୁକ୍ତ ହୋଇଥିବା ବୁଥସ୍ତରୀୟ ଏଜେଣ୍ଟ ମାନେ ସଂପୃକ୍ତ ବୁଥ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରିବା, ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ତାଲିକା ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବେ । ଫଳରେ ଏକ ସ୍ଵଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହୋଇପାରିବ । ଅନ୍ୟପଟେ ନିଯୁକ୍ତ ହୋଇଥିବା ଏଜେଣ୍ଟ ସେହି ସେହି ଗ୍ରାମର ହୋଇଥିବା ଆବଶ୍ୟକ । ଏଜେଣ୍ଟମାନେ ସଂପୃକ୍ତ ବୁଥ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ନଂ-୭ ପୂରଣ କରି ବୁଥସ୍ତରୀୟ ଅଧିକାରୀଙ୍କୁ ଦେଲେ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ ହେବ ।

ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ଓଡ଼ିଶା ପାଇଁ ୪ଟି ସ୍ଵତନ୍ତ୍ର ପ୍ରଚାର ଅଭିଯାନ ଦିବସ ସ୍ଥିର କରିଛନ୍ତି । ନଭେମ୍ବର ୫, ନଭେମ୍ବର ୧୯, ନଭେମ୍ବର ୧୧ ଏବଂ ନଭେମ୍ବର ୨୫ ତାରିଖ ଦିନ ରାଜ୍ୟର ସବୁ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଶୁଣିବେ । ଏହା ସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବେ ।

ଏଥି ଲାଗି ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ ଗ୍ରହଣ କରିବେ । ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ । ଏହି ସ୍ଵତନ୍ତ୍ର ପ୍ରଚାର ଅଭିଯାନ ଦିବସମାନଙ୍କରେ ବୁଥସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହି ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ । ଯଦି ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳମାନେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିନଥାନ୍ତି ତେବେ ଯଥାଶୀଘ୍ର ରାଜନୈତିକ ଦଳମାନେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ମହାପ୍ରଭୁଙ୍କ ଆଶିଷ ଲାଭ କଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ଏହାମଧ୍ୟ ପଢନ୍ତୁ..ମୌସୁମୀ ଅଧିବେଶନ: ବିଜେପି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ

ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୩ ତାରିଖରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଦି ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ତନଖି କାର୍ଯ୍ୟ ଅନୁଷ୍ଠିତ ହେବ । ସେହିପରି ଅବଶିଷ୍ଟ ୨୦ଟି ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ତନଖି କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଫଏସି ଅନୁଷ୍ଠିତ ହେବାକୁ ଥିବା ଦିନ ଗୁଡ଼ିକରେ ପ୍ରତି ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଇଭିଏମ ଓ ଭିଭିପ୍ୟାଟ ତନଖି କାର୍ଯ୍ୟ ଦିନରେ ଉପସ୍ଥିତ ରହିପାରିବେ ।

ଇଭିଏମ ଓ ଭିଭିପ୍ୟାଟର ତନଖି କାର୍ଯ୍ୟ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବେ । ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ, କଂଗ୍ରେସ ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଆମ ଆଦମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଜେପି ରାଜ୍ୟ ସଂପାଦକ ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାଶଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.