ETV Bharat / state

ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଆରମ୍ଭ, ଆଜି ଯଜ୍ଞରେ ସାମିଲ ହେବେ ଗଜପତି ମହାରାଜା

author img

By

Published : Jun 27, 2023, 7:46 AM IST

Updated : Jun 27, 2023, 2:30 PM IST

ଏକାମ୍ର ପ୍ରକଳ୍ପ ଭୂମି ପୂଜନର ଆଜି ଦ୍ବିତୀୟ ଦିନ । ଯଜ୍ଞରେ ସାମିଲ ହେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅଧିକ ପଢନ୍ତୁ

Etv Bharat
Etv Bharat

ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଆରମ୍ଭ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପ ଭୂମି ପୂଜନ । ତିନି ଦିନ ଧରି ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ପ୍ରଥମ ଦିନ ଶେଷ ହୋଇଛି । ରଙ୍ଗୀନ ଆଲୋକମାଳା ସାଙ୍ଗକୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜ ମନ୍ଦିର ପରିସର । ପ୍ରଥମ ଦିନରେ ଅଙ୍କୁରୋପଣ ପୂଜାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ଉଦ୍ୟାନରେ ଏହି ଭବ୍ୟ ପୂଜାର ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଆଜି ଦ୍ବିତୀୟ ଦିନରେ ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏକାମ୍ର ପ୍ରକଳ୍ପ ପାଇଁ ସୋମବାର ଭୂମିପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନି ଦିନ ଧରି ପୂଜା ଓ ଯଜ୍ଞ ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆଜି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟାରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । ପ୍ରକଳ୍ପ ଭୂମି ପୂଜନ ପାଇଁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅନ୍ୟାନ୍ୟ ସମସ୍ତ ମନ୍ଦିର ଆଲୋକମାଳାରେ ସଜ୍ଜିତ ହୋଇଛି । ବହୁ ପ୍ରତିକ୍ଷୀତ ‘ଏକାମ୍ର ପ୍ରକଳ୍ପ’ ପାଇଁ ସୋମବାରଠାରୁ ୩ଦିନିଆ ଉତ୍ସବ ଆରମ୍ଭ ହୋଇଯାଇଛି ।

ଗତକାଲି ଅଙ୍କୁରରୋପଣ ହେବା ସହ ଭୂମି ପୂଜନ କରାଯାଇଛି । ଏହାପରେ ରାତି ୧୧ଟା ବେଳକୁ ମଣ୍ଡଳକରଣ କାର୍ଯ୍ୟ ଯଥାବିଧି ଆରମ୍ଭ କରାଯାଇ ଯଜ୍ଞ ଆରମ୍ଭ ହୋଇଥିଲା । ଏହାକୁ ନେଇ ଏକାମ୍ର କ୍ଷେତ୍ର ବେଦପାଠ, ମନ୍ତ୍ରଧ୍ବନୀ ଓ ସଂକୀର୍ତ୍ତନର ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଛି । ଲିଙ୍ଗରାଜ ମନ୍ଦିର ପରିସରରେ ବିରାଟ ଯଜ୍ଞସ୍ଥଳୀ ନିର୍ମିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ କାଶ୍ମୀର ପଣ୍ଡିତ

ଆଜି ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯାଇଛି । ଏହାପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଯଜ୍ଞ ଆରମ୍ଭ ହେବ । ୨୮ ତାରିଖ ବାହୁଡ଼ା ଦିନ ସକାଳ ସମୟରେ ପୂର୍ଣ୍ଣାହୁତିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଆଜିଠାରୁ ଦୁଇଦିନ ଧରି ମନ୍ଦିର ନିକଟରେ ନିର୍ମିତ ଭଜନ ମଣ୍ଡପ ଠାରେ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ହରିହରନ୍, ଅନନ୍ତ ସୁବ୍ରମଣି, ଅଭିଲିପ୍ସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି କଳାକାର ଯୋଗଦେଇ ଭଜନ ପରିବେଷଣ କରିବେ ।

ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ପ୍ରକଳ୍ପର ପ୍ରଚାର ପ୍ରସାର: ଏକାମ୍ର ଯୋଜନାରେ ସ୍ଥାନୀୟ ଅଞ୍ଚଳର ୮ ଛକର ରୂପରେଖ ବଦଳିବ । ୨ଟି ପର୍ଯ୍ୟାୟରେ ଏହାର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୁଖ୍ୟତଃ ଶ୍ରୀଲିଙ୍ଗରାଜ ତଥା ପାର୍ଶ୍ବବର୍ତ୍ତୀ ମନ୍ଦିର ଓ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବା ସହ ରାସ୍ତା ଚଉଡା ହେବ । ପଥଚାରୀଙ୍କ ପାଇଁ ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ । ଏଥିସହ ଲିଙ୍ଗରାଜ ମନ୍ଦିର ଆଖପାଖରେ ଥିବା ଅନ୍ୟ ମନ୍ଦିର ଏବଂ ପୁଷ୍କରିଣୀର ମଧ୍ୟ ରୂପାନ୍ତରଣ ହେବ । ତେବେ ପ୍ରକଳ୍ପ ସରିବା ପରେ ମନ୍ଦିର ଓ ଏହା ଆଖପାଖ ଅଞ୍ଚଳ କିପରି ଦିଶିବ ତାହାର ଏକ ନକଲ ବା ପ୍ରୋଜେକ୍ଟ ମଡେଲ ଦର୍ଶକଙ୍କ ପାଇଁ ରଖାଯାଇଛି । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକାମ୍ର ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଏହାସହ ବଡ଼ LED ମାଧ୍ୟମରେ ମଧ୍ୟ ଦର୍ଶକଙ୍କୁ ଏକାମ୍ର ପ୍ରକଳ୍ପରେ ହେବାକୁ ଥିବା କାମ ସମ୍ପର୍କରେ ଜଣାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ସେବାୟତଙ୍କ ନିମନ୍ତ୍ରଣ: ଏକାମ୍ର ପ୍ରକଳ୍ପ ପାଇଁ ସୋମବାର ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଆସନ୍ତା ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯ଟା ୩୦ରେ ଏକାମ୍ର କ୍ଷେତ୍ରକୁ ଆସି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିଲାଗି ସୋମବାର ସନ୍ଧ୍ୟାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ତଥା ସେବାୟତ ଅଶୋକ ପଣ୍ଡାଙ୍କ ନେତୃତ୍ବରେ ଶ୍ରୀଲିଙ୍ଗରାଜଙ୍କ ୩ ନିଯୋଗ ସମିତିର ପ୍ରାୟ ୬୦ ସଦସ୍ୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଭୂମି ପୂଜନ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି । ୩ ନିଯୋଗ ସମ୍ପାଦକ ମନ୍ଦିରରୁ ଥାଳିରେ ନେଇ ଯାଇଥିବା ନଡ଼ିଆ, ପାନପତ୍ର, ଗୁଆ, ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ବାନା ସହ ଅକ୍ଷତ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ୨୮ ତାରିଖ ଦିନ ସକାଳେ ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପକୁ ଆଗେଇ ନେବା ଲାଗି ସେବାୟତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହାସହ ମୁଁ ନିଶ୍ଚୟ ପହଞ୍ଚିବି ବୋଲି ଆଶ୍ବସନା ଦେଇଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 27, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.