ETV Bharat / state

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ, ପୁନାରବୃତ୍ତି ହେବନି କହିଲେ ମନ୍ତ୍ରୀ

author img

By

Published : Mar 19, 2023, 5:07 PM IST

Updated : Mar 19, 2023, 9:07 PM IST

matric exam paper issue
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ତ୍ରୁଟି ନେଇ ବ୍ୟସ୍ତ ନହୋଇ ଶେଷ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ । ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ମୂଲ୍ୟାୟନ ବେଳେ ଏହାକୁ ଦୃଷ୍ଟିରେ ରଖି ଗ୍ରେସ ମାର୍କ ଦିଆଯିବ । ପ୍ରଶ୍ନପତ୍ର ଲିକ୍ ନୁହେଁ ବରଂ ମୁଦ୍ରଣରେ ତ୍ରୁଟି ହୋଇଥିବା ମନ୍ତ୍ରୀ କହିଛନ୍ତି । ପରୀକ୍ଷା ପାଇଁ ଲକ୍ଷଲକ୍ଷ ପ୍ରଶ୍ନ ପତ୍ର ତିଆରି ହେଉଥିବାରୁ ଏଭଳି ତ୍ରୁଟି ଦେଖାଦେଇଛି । ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ରାଜ୍ୟରେ ଦଶମ ପରୀକ୍ଷା ଜାରି ରହିଥିବାବେଳେ ଆଉ ଗୋଟିଏ ପେପର ବାକି ରହିଛି । ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ନେଇ ରାଜ୍ୟର ବିଭିନ୍ନ ସ୍କୁଲରୁ ଅଭିଯୋଗ ଆସିଥିଲା । ସେଟ-ବି ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ନେଇ ଅଭିଯୋଗ ହୋଇଥିଲା । ଏପରିକି କିଛି ସ୍ଥାନରେ ପ୍ରଶ୍ନପତ୍ର ଲିକ ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲେ । ଏହି ଘଟଣା ନେଇ ଭୟଭୀତ ନହେବାକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ପରାମର୍ଶ ଦେଇଛନ୍ତି । ଏନେଇ ସେ କହିଛନ୍ତି, "ଯେଉଁମାନେ କହିଛନ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି ସେମିତି କିଛି ନାହିଁ । କେବଳ ମୁଦ୍ରଣରେ ତ୍ରୁଟି ହୋଇଛି । ମାଟ୍ରିକ ପରୀକ୍ଷା ଆରମ୍ଭରୁ ଶୃଙ୍ଖଳାର ସହିତ ଚାଲିଛି । ଆଉ ଗୋଟିଏ ପେପର ପରୀକ୍ଷା ବାକି ରହିଛି । ଭୟଭୀତ ନହୋଇ ଛାତ୍ରଛାତ୍ରୀ ପରବର୍ତ୍ତୀ ପରୀକ୍ଷା ଭଲ ଭାବରେ ଦିଅନ୍ତୁ ।"

ପୂର୍ବରୁ ମୁଦ୍ରଣରେ ତ୍ରୁଟି କେବେ ହୋଇନଥିଲା । ଚଳିତ ବର୍ଷ ଏଭଳି ହୋଇଥିବା କହିଛନ୍ତି ମନ୍ତ୍ରୀ । ତେବେ ପରୀକ୍ଷା ପାଇଁ ଲକ୍ଷଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତି କରାଯାଇଛି । ଯଦି ଏଭଳି ଘଟଣା ଦେଖିବାକୁ ମିଳିଲା ତେବେ ଆଗାମୀ ଦିନରେ ଏହା ଯେଭଳି ନହେବ ସେନେଇ ଦୃଷ୍ଟି ଦିଆଯାଉଛି । ଏହାକୁ ନେଇ ପିଲାମାନେ ଚିନ୍ତିତ ନହୋଇ ପରବର୍ତ୍ତୀ ପରୀକ୍ଷାକୁ କିପରି ଭଲ ଭାବରେ ଦେବେ, ସେଥିପ୍ରତି ପ୍ରସ୍ତୁତ ହୁଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ଏହି ତ୍ରୁଟି ବୋର୍ଡର ପ୍ରଥମ ତ୍ରୁଟି ନୁହେଁ । ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଅଭିଯୋଗ ଆସିଛି । ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି କରିବା ପାଇଁ ଏକ ଏକ୍ସପୋର୍ଟ କମିଟି ଗଠନ କରାଯାଉ । ଏହି ଏକ୍ସପର୍ଟ କମିଟି ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରିଣ୍ଟିଂ ଓ ଭାଇରାଲଠାରୁ କିପରି ଦୂରେଇ ରଖାଯାଇ ପାରିବ ସେନେଇ କମିଟି କାର୍ଯ୍ୟ କରିବ । ଯାହା ଫଳରେ ମାଟ୍ରିକ ପରୀକ୍ଷା ସୁଚାରୁ ରୂପେ ପରିଚାଳିତ ହୋଇପାରିବ ।"


ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ସ୍ଵୀକାର ମଧ୍ୟ କରିଛନ୍ତି । ଏଭଳି ଅଭିଯୋଗ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଛି । ସେଟ-ବିର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ରହିଛି । ଏଥିପାଇଁ ଛାତ୍ରଛାତ୍ରୀ ଚିନ୍ତିତ ହୁଅନ୍ତୁନି, କୌଣସି ଅସୁବିଧା ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ଆଉ ଥରେ କରିବାର କୌଣସି ଆବଶ୍ୟକତା ନାହିଁ ।

ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିଲା ଦଶମ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି 5 ଲକ୍ଷ 41 ହଜାର 247 ପିଲା । ଏଥିପାଇଁ 3218 ପରୀକ୍ଷା କେନ୍ଦ୍ର ସହ 316 ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ 22ଟି ଥାନାରେ ନୋଡାଲ ସେଣ୍ଟର ହୋଇଛି । ଏଥି ମଧ୍ୟରେ କନ୍ଧମାଳରେ 7ଟି, କୋରାପୁଟ ରେ 5ଟି ଏବଂ ମାଲକାନଗିରିରେ 10 ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 19, 2023, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.