ETV Bharat / state

୧୦୦ ଦିନରେ ସମାଧାନ ହେଲା ୧୦୦ବର୍ଷର ସମସ୍ୟା: ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 14, 2023, 8:38 PM IST

CM Naveen Patnaik Distributes Land Pattas: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ । ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ । 5T ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ବିସ୍ଥାପିତଙ୍କୁ ଜମିପଟ୍ଟା ବଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

୧୦୦ ଦିନରେ ସମାଧାନ ୧୦୦ ବର୍ଷର ସମସ୍ୟା: ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ନବୀନ
୧୦୦ ଦିନରେ ସମାଧାନ ୧୦୦ ବର୍ଷର ସମସ୍ୟା: ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ନବୀନ

ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ । ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ । 5T ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ।

ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଗଷ୍ଟ ୨୦ ତାରିଖରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା । ଏଥି ମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି । ବାକି ୧୧ଟି ଗାଁର ସର୍ଭେ କାର୍ଯ୍ୟ ଚାଲିଛି । ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ ।

ଅଧିକ ପଢନ୍ତୁ- ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମି ପଟ୍ଟା କେବେ ? କ୍ଷତିପୂରଣ ଦାବିରେ ଗଣଧାରଣା

ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା । ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି । ସେଗୁଡିକର settlement ଚାଲିଛି । ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ବଣ୍ଟନ କରିଛନ୍ତି । ଅଗଷ୍ଟ ମାସ ୨୬ ଓ ୨୭ରେ 5T ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା । ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା । ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲଖନପୁର ଓ ସୋରଡା ତହସିଲର ଲୋକ ମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି । ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି । ମୋ ନିର୍ଦ୍ଦେଶରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟିଥିଲେ । ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ ।

ଅଧିକ ପଢନ୍ତୁ- ଜଟଣୀ ଖାସମାହଲ ଜମି ସମସ୍ୟାର ହେଲା ସମାଧାନ, ଡିସେମ୍ବରରୁ ପଟ୍ଟା ବଣ୍ଟନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ ଏହି ସବୁ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ କହିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ଵାର୍ଥ ସର୍ବୋପରି । ମୁଖ୍ଯମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ବହୁ ବର୍ଷର ସମସ୍ୟା ସମାଧାନ ହୋଇପାରିଛି ।

ଅଧିକ ପଢନ୍ତୁ- ଜମିଜମା ସମସ୍ୟାର ସମାଧାନ କରି ଲୋକଙ୍କୁ ଯୋଗାଇ ଦିଆଯିବ ପଟ୍ଟା: ମୁଖ୍ୟମନ୍ତ୍ରୀ

ଲଖନପୁରରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସାରଦା ନାୟକ ଏହି ଜମି ସମସ୍ୟା ସମାଧାନକୁ ଏକ ଐତିହାସକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆସ୍କା ସଂସାଦ ପ୍ରମିଳା ବିଶୋଇ, ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.