ETV Bharat / state

ନିଶା ମାଫିଆଙ୍କ ଦୌରାତ୍ମ୍ୟ, ରେଡ ବେଳେ ଧଉଳି ଥାନା ଏସଆଇଙ୍କୁ ହାତୁଡିରେ ଆକ୍ରମଣ

author img

By

Published : Aug 19, 2023, 12:16 PM IST

ଭୁବନେଶ୍ବର ଶିଶୁପାଳଗଡ଼ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କରିଛନ୍ତି ନିଶା ମାଫିଆ । ଘଟଣାରେ ୪ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ
ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ । ଶିଶୁପାଳଗଡ଼ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କରିଛନ୍ତି ନିଶା ମାଫିଆ । ଏହି ଆକ୍ରମଣରେ ଏସଆଇ ଆହତ ହୋଇ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର । ଏନେଇ ଘଟଣାର ଖବର ପାଇ ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ । ଏହି ସମୟରେ ନିଶା ମାଫିଆମାନେ ଏସଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ ଏସଆଇ ରମେଶ ଭୋଳ । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣା ସାମ୍ନାକୁ ଆସିବାରେ କମିସନରେଟ ପୋଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିବା ସହ କିଛି ନିଶା ମାଫିଆଙ୍କ ଘରେ ରେଡ କରିଛି । ଏପରିକି ସେହି ଆକ୍ରମଣକାରୀ ଗୋଷ୍ଠୀରେ ସାମିଲ ଥିବା କିଛି ଅପରାଧିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଭୁବନେଶ୍ୱର ଭଳି ସ୍ଥାନରେ ଦୁର୍ବୃତ୍ତଙ୍କ ପୋଲିସ ଉପରକୁ ଆକ୍ରମଣ ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ନିଶା କାରବାର ବିରୋଧରେ ପୋଲିସ ଜିରୋ ଟଲେରାନ୍ସ ପଲିସି ଆପଣାଇଥିବା ବେଳେ ନିଶା ମାଫିଆଙ୍କୁ ଗିରଫ କରିବାକୁ ଯାଇ ପୋଲିସ ମାଡ଼ ଖାଇବା ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।

ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ଥାନା ଏବଂ ବାଂଶଡ଼ା ଥାନା ଅଞ୍ଚଳରେ ପୋଲିସକୁ ଆକ୍ରମଣ କରିଥିଲେ କୋଇଲା ମାଫିଆ । ବେଆଇନ ଭାବେ ଚୋରା କୋଇଲା ବୋଝେଇ ହୋଇ ଯାଉଥିବା ଟ୍ରକ ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏନେଇ ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏବଂ ଅନ୍ୟ ଥାନା କର୍ମଚାରୀ ଉକ୍ତ ଗାଡ଼ିକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡ଼ି ଚାଳକ ମାଣିପୁର ଗ୍ରାମର ପପୁ ନାୟକକୁ ପୋଲିସ ଧରିଥିବା ବେଳେ ଉକ୍ତ କୋଇଲା ଗାଡ଼ିକୁ ସୁରକ୍ଷା ଦେଇ ଆସୁଥିବା ମାଫିଆମାନେ ଦୂରରେ ରହି ପୋଲିସକୁ ଘୋଡାଇବା ପାଇଁ ସେମାନଙ୍କ ଉପରକୁ ଟେକା ପଥର ଫିଙ୍ଗି ଥିଲେ । ଫଳରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଓଲଟିଲା କୋଇଲା ବୋଝେଇ ଟ୍ରକ, ଚଢଉ ବେଳେ ପୋଲିସକୁ ଆକ୍ରମଣ

ଏନେଇ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ଖବର ପାଇ ଚାନ୍ଦବାଲି ଥାନା ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଓଲଟି ପଡିଥିବା ବେଆଇନ ଭାବେ ଚୋରା କୋଇଲା ବୋଝେଇ ଗାଡ଼ିକୁ ଜବତ କରିବା ସହ ଧରିଥିବା ଚାଳକକୁ ଥାନାକୁ ନେଇଥିଲା । ତେବେ ଆହତ ଫାଣ୍ଡି ଅଧିକାରୀଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଥିସହ ଆହତ ମତୋ ଫାଣ୍ଡି ଅଧିକାରୀଙ୍କ ଏତଲା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.