ETV Bharat / state

ଓଲଟିଲା କୋଇଲା ବୋଝେଇ ଟ୍ରକ, ଚଢଉ ବେଳେ ପୋଲିସକୁ ଆକ୍ରମଣ

author img

By

Published : May 21, 2023, 10:26 AM IST

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ଥାନା ଏବଂ ବାଂଶଡ଼ା ଥାନା ଅଞ୍ଚଳରେ ପୋଲିସକୁ ଆକ୍ରମଣ କଲେ କୋଇଲା ମାଫିଆ । ଅଧିକ ପଢନ୍ତୁ

Coal Mafia Attack
Coal Mafia Attack

Coal Mafia Attack

ଭଦ୍ରକ: ଦିନକୁ ଦିନ ଚୋରା କୋଇଲା ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଲାଣି । ପୂର୍ବରୁ କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହେଉଥିଲେ ପ୍ରତିବାଦ କରୁଥିବା ଜନତା । ହେଲେ ଏବେ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି କୋଇଲା ମାଫିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ଥାନା ଏବଂ ବାଂଶଡ଼ା ଥାନା ଅଞ୍ଚଳରେ । ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ ଗାଡି ଜବତ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ କଲେ ମାଫିଆ । ଏଥିରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଆହତ ହୋଇଛନ୍ତି । ଡ୍ରାଇଭରକୁ ଘଟଣାସ୍ଥଳରୁ ଗିରଫ କରିଛି ମତୋଫାଣ୍ଡି ପୋଲିସ ।

ସୂଚନା ମୁତାବକ, ବେଆଇନ ଭାବେ ଚୋରା କୋଇଲା ବୋଝେଇ ହୋଇ ଯାଉଥିବା ଟ୍ରକ ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏନେଇ ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏବଂ ଅନ୍ୟ ଥାନା କର୍ମଚାରୀ ଉକ୍ତ ଗାଡ଼ିକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡ଼ି ଚାଳକ ମାଣିପୁର ଗ୍ରାମର ପପୁ ନାୟକକୁ ପୋଲିସ ଧରିଥିବା ବେଳେ ଉକ୍ତ କୋଇଲା ଗାଡ଼ିକୁ ସୁରକ୍ଷା ଦେଇ ଆସୁଥିବା ମାଫିଆମାନେ ଦୂରରେ ରହି ପୋଲିସକୁ ଘୋଡାଇବା ପାଇଁ ସେମାନଙ୍କ ଉପରକୁ ଟେକା ପଥର ଫିଙ୍ଗି ଥିଲେ । ଫଳରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା ।

ଏନେଇ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ଖବର ପାଇ ଚାନ୍ଦବାଲି ଥାନା ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଓଲଟି ପଡିଥିବା ବେଆଇନ ଭାବେ ଚୋରା କୋଇଲା ବୋଝେଇ ଗାଡ଼ିକୁ ଜବତ କରିବା ସହ ଧରିଥିବା ଚାଳକକୁ ଥାନାକୁ ନେଇଥିଲା । ତେବେ ଆହତ ଫାଣ୍ଡି ଅଧିକାରୀଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଥିସହ ଆହତ ମତୋ ଫାଣ୍ଡି ଅଧିକାରୀଙ୍କ ଏତଲା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି । ଅନ୍ୟପଟେ ବାଂଶଡ଼ା ଥାନା ପୋଲିସ ଏକ କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିବା ସହ ଚାଳକକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅଧୀନ ମାଣିପୁରରେ 10 ରୁ ଅଧିକ ଗାଡ଼ିରେ ବେଆଇନ ଭାବେ ଚୋରା କୋଇଲା ବୋଝେଇ ହୋଇ ଚୋରା ଚାଲାଣ ହେଉଥିଲା । ଏନେଇ ଖବର ବାଂଶଡା ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ତେଣୁ ବାଂଶଡା ଥାନା ଅଧିକାରୀ ଜଣେ କର୍ମଚାରୀଙ୍କୁ ନେଇ ଅତର୍କିତ ଭାବେ ଚଢ଼ଉ କରିବାକୁ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବହୁ ଗାଡ଼ି କୋଇଲାକୁ ବୋଝେଇ ହେଉଥିବା ସ୍ଥାନରେ ଢାଳି ଦେଇ ଫେରାର ହୋଇ ଯାଇଥିଲେ । ହେଲେ ବାଂଶଡ଼ା ଥାନା ଅଧିକାରୀ ମାଣିପୁରରେ ପହଞ୍ଚି 50 ରୁ ଅଧିକ ବସ୍ତା ଚୋରା କୋଇଲା ଭର୍ତ୍ତି ହୋଇଥିବା ଏକ ପିକ୍‌ଅପ୍‌କୁ ଜବତ କରି ଥାନାକୁ ଆଣିବା ସହ ଚାଳକ ସାରୁକ ସାହାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଅନ୍ୟପଟେ ଥାନା ଅଧିକାରୀ ଚଢ଼ଉ କରିବାକୁ ଯାଉଥିବା ଖବର କିପରି ଚୋରା କୋଇଲା ବେପାରୀମାନଙ୍କ ପାଖରେ ପହଞ୍ଚିଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ଚୋରା କୋଇଲା ବ୍ୟବସାୟୀଙ୍କ ସହ ଥାନା କର୍ମଚାରୀଙ୍କ ସମ୍ପର୍କ ଥିବା ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.