ETV Bharat / state

ମେ' ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

author img

By

Published : Apr 9, 2023, 4:12 PM IST

plus two result
ଯୁକ୍ତ ଦୁଇ ପରୀକ୍ଷା ଫଳ

ମେ' ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆସନ୍ତାକାଲି(ସୋମବାର) ଠାରୁ ଯୁକ୍ତଦୁଇ ପରୀକ୍ଷାର ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ । ଏହା ଏପ୍ରିଲ 23 ଯାଏ ଚାଲିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ମେ' 7 ତାରିଖରେ ସରିବ । ଏହାପରେ ମାର୍କ ଗୁଡିକ ଟ୍ୟାବୁଲେସନ ପ୍ରକ୍ରିୟାକୁ କରାଯିବ । ତେଣୁ ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶିକ୍ଷକମାନେ ଖାତା ଦେଖାରେ ୬୬୨ ବର୍ଗ ଅଧ୍ୟାପକ ସହଯୋଗ କରୁଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା 10 ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟର ଖାତାଦେଖା ଆରମ୍ଭ ହେବ । ଏଥିରେ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହେବେ । ଉଭୟ ଅନଲାଇନ ଓ ଅଫଲାଇନରେ ଖାତାଦେଖା ହେବ । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ 22 ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 23ରେ ଶେଷ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ ଖାତାଦେଖା ଏପ୍ରିଲ 23ରୁ ଆରମ୍ଭ ହୋଇ ମେ’ 4 ତାରିଖ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 25 ରୁ ଆରମ୍ଭ ହୋଇ ମେ’ 7 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଚଳିତବର୍ଷ ଅଫଲାଇନ ମୂଲ୍ୟାଙ୍କନ ଲାଗି 65ଟି ଜୋନର ବ୍ଯବସ୍ଥା କରାଯାଇଥିବାବେଳେ 39ଟି ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ । 2ଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମେ' ମାସ ଶେଷ ସୁଦ୍ଧା ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅଫଲାଇନ କେନ୍ଦ୍ରଗୁଡ଼ିକରେ ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଖାତାଦେଖା ହେବ ।

ମାତ୍ର ଅନଲାଇନ ଖାତାଦେଖା ପାଇଁ 2ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ 8 ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅଫଲାଇନ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ 2 ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଅନଲାଇନ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ । ଏହାପରେ 2 ଥର ପାଇଁ ମୂଲ୍ୟାଙ୍କନ କରାଯିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ବ୍ୟବସ୍ଥା କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଞ୍ଚିଲେ କାରଣ ଦର୍ଶାଅ ସମନ ଜାରି କରାଯିବ । ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ତେବେ ସିସିଟିଭି ନଜରରେ ସମସ୍ତ ମୂଲ୍ୟାଙ୍କନ ଜୋନ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.