ETV Bharat / state

PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଏକ ଗୁଜବ: ଯୋଗାଣ ମନ୍ତ୍ରୀ

author img

By

Published : Mar 1, 2023, 7:39 AM IST

PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଏକ ଗୁଜବ
PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଏକ ଗୁଜବ

PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଏକ ଗୁଜବ । ଏହା ଭିଟାମିନ ଯୁକ୍ତ ଚାଉଳ କହିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: କୋରାପୁଟ, ବାଲେଶ୍ୱର ଓ ସୁନ୍ଦରଗଡ଼ରରେ ପିଡିଏସ ଚାଉଳ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ହେଉଛି । ଏହାଦ୍ୱାରା ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ଖାଉଟି କଲ୍ୟାଣ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ପରେ ସାମ୍ନାକୁ ଆସିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, PDSରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଏକ ଗୁଜବ । ଏହା ଭିଟାମିନ ଯୁକ୍ତ ଚାଉଳ । ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହିଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । ସଚେତନତା ପରେ ଲୋକେ ଜାଣିପାରିଲେ ଯେ ଏହା ଭିଟାମିନ ଯୁକ୍ତ ଚାଉଳ । ବର୍ତ୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ । ଗୋଟେ କ୍ବିଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ମିଶା ଯାଉଛି । ଚଳିତ ଫେବୃଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି । ତା'ପରେ ଯାଇ PDSରେ ଦିଆଯାଉଛି ବୋଲି ଅତନୁ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଦର୍ଶାଇଥିଲେ ଯେ, ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରାଯାଉ । ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ଏନେଇ ସେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କୋରାପୁଟର ଲମତାପୁଟ, ବାଲେଶ୍ବରର ସଦର ବ୍ଲକ ତଥା ସୁନ୍ଦରଗଡର ବଡବାହାଲରେ ପିଡିଏସରେ ପୂର୍ବରୁ ମିଳିଥିବା ଚାଉଳ ଓ ବର୍ତ୍ତମାନ ଚାଉଳରେ ପାର୍ଥକ୍ୟ ଥିବା କୁହାଯାଉଛି ।

ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି । ରନ୍ଧାଶୈଳୀ ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଛି । ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି । ଏହାଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.