ETV Bharat / state

ନିର୍ବାଚନ ଫଳାଫଳ ନେଇ ସରଗରମ ଓଡ଼ିଶା ରାଜନୀତି: ବିଜେପିର ସେଲିବ୍ରେସନ୍‌, ବିଜେଡି କହିଲା ପ୍ରଭାବ ପଡ଼ିବନି

author img

By ETV Bharat Odisha Team

Published : Dec 3, 2023, 4:43 PM IST

ନିର୍ବାଚନ ଫଳାଫଳ ନେଇ ସରଗରମ ଓଡ଼ିଶା ରାଜନୀତି
ନିର୍ବାଚନ ଫଳାଫଳ ନେଇ ସରଗରମ ଓଡ଼ିଶା ରାଜନୀତି

୪ ରାଜ୍ୟ ନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ୍‌ ଆରମ୍ଭ ହୋଇଛି । ସେପଟେ ଏହାର କୌଣସି ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ । ଅଧିକ ପଢ଼ନ୍ତୁ

ନିର୍ବାଚନ ଫଳାଫଳ ନେଇ ସରଗରମ ଓଡ଼ିଶା ରାଜନୀତି

ଭୁବନେଶ୍ବର: ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୪ଟି ରାଜ୍ୟର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ଏହା ମଧ୍ୟରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁଥିବା ସ୍ପଷ୍ଟ ଦେଖାଯାଉଛି । ଅନ୍ୟପଟେ ତେଲେଙ୍ଗାନାରେ ସରକାର ଗଢ଼ିବା ଅଭିମୁଖେ ରହିଛି କଂଗ୍ରେସ । ସେପଟେ ଏହି ୪ ରାଜ୍ୟରେ ଫଳାଫଳକୁ ନେଇ ଓଡିଶା ରାଜ୍ୟ ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରୁଛନ୍ତି ରାଜ୍ୟ ନେତୃବୃନ୍ଦ । ବାଜା ବଜାଇ ନାଚିବା ସହ ମିଠା ବାଣ୍ଟି ଉତ୍ସବ ମନାଉଛନ୍ତି ବିଜେପି କର୍ମୀ ।

ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, "ଏହି ଉତ୍ସାହଜନକ ଫଳାଫଳରେ ସାରା ଦେଶର ବିଜୟ ହୋଇଛି । ଏଭଳି ଫଳାଫଳ ହେବ ବୋଲି ଆଶା ଥିଲା । ମୋଦିଙ୍କ ନେତୃତ୍ବ ଉପରେ ସାରା ଦେଶ ଭରସା କରିଛି । ଏହି ରାଜ୍ୟ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇନଥିଲା । ଅର୍ଥାତ ମୋଦିଜୀଙ୍କ ନେତୃତ୍ବକୁ ଭରସା କରି ଲୋକେ ଭୋଟ ଦେଇଛନ୍ତି । ଦେଶବାସୀ INDIA ମେଣ୍ଟ ଉପରେ ଭରସା ତୁଟାଇ ସାରିଲେଣି । INDIA ମେଣ୍ଟ ସନାତନ ଧର୍ମ ବିରୋଧରେ କହିବାରୁ ଲୋକମାନେ ପ୍ରତ୍ୟାଖାନ କଲେ । ସେମାନେ ବିକାଶ ବଦଳରେ ପାରିବାରିକ କନ୍ଦଳରେ ମାତିଲେ । ଏହାକୁ ସେମିଫାଇନାଲ ମଧ୍ୟ କୁହାଯାଇପାରେ । ଏହି ଟ୍ରେଣ୍ଡ୍‌ ସାରା ଦେଶରେ ରହିବ । ଓଡିଶାରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବ । ଓଡିଶାରେ ବିଜେପିର ବିଜୟ ବୈଜୟନ୍ତୀ ଉଡ଼ିବ । ନୂଆ ଇତିହାସର ନିର୍ମାଣ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ନିର୍ବାଚନ ଫଳ 2023: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ବିଫଳତା ପରେ ଦଳୀୟ ନେତାଙ୍କ କ୍ଷୋଭ

ସେପଟେ ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, "ଅନ୍ୟ ୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସରକାର ଗଢିବାକୁ ଯାଉଛନ୍ତି । ଆମେ ଆଗରୁ କହିଛୁ ୧୩୦ ଟାର୍ଗେଟରେ ଆମେ ଅଛୁ । ଏହାକୁ ସାକାର କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ।" ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଗେହଲୋଟ୍ ଏବଂ ପାଇଲଟଙ୍କ ପାଇଁ ଆମେ ହାରିଲୁ । ସେମାନେ କଂଗ୍ରେସରେ ରହି ବିଜେପିକୁ ଜିତାଇଲେ । ସେମାନଙ୍କ ଗୋଷ୍ଠୀ କନ୍ଦଳ ବିଜେପିକୁ ସୁହାଇଲା । ବିଜେପି ବହୁ ଟଙ୍କା ଖର୍ଚ୍ଚ କରି ଜିତିଛି । ହେଲେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।" ୨୦୨୪ରେ ଆମେ ଓଡ଼ିଶାକୁ ଶାସନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.