ETV Bharat / state

କ୍ରାଇମବ୍ରାଞ୍ଚ ଗଠନ କଲା ୬ ଜଣିଆ ଟିମ, ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅବସରପ୍ରାପ୍ତ ଜେଲ DIG

author img

By

Published : Dec 20, 2022, 2:51 PM IST

Updated : Dec 20, 2022, 4:12 PM IST

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । ଏନେଇ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ୬ ଜଣିଆ ଟିମ ଗଠନ ହୋଇଛି । ସେପଟେ ଅବସରପ୍ରାତ ଜେଲ ଡିଆଇଜି ଏହି ଘଟଣା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଅଧିକ ପଢ଼ନ୍ତୁ

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା

ଭୁବନେଶ୍ବର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଆଜି ସେ JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ତେବେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । କଣ୍ଟାବାଞ୍ଜି ଥାନାର U.D. Case No. 15/2022ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏନେଇ ଟ୍ବିଟ ଜରିଆରେ ସେ ସୂଚନା ଦେଇଛନ୍ତି ।

  • DGP, Odisha has ordered CID-Crime Branch to take over enquiry into Kantabanji Police Station U.D. Case No. 15/2022. This Case relates to unnatural death of Gobind Sahu, prime accused of Sindhikela Police Station Case No. 97/21 inside Kantabanji Sub-Jail today. @CIDOdisha

    — Odisha Police (@odisha_police) December 20, 2022 " class="align-text-top noRightClick twitterSection" data=" ">

ତଦନ୍ତ ପାଇଁ ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଗଠିତ

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚ ଟିମ । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ୬ ଜଣିଆ ଟିମ ଗଠନ ହୋଇଛି । ଏହି ଟିମରେ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ସମେତ ଜଣେ ଇନିସପେକ୍ଟର, ୨ ଜଣ ସବ ଇନିସପେକ୍ଟର, ଜଣେ ଫରେନସିକ ଏକ୍ସସ୍ପୋର୍ଟ ଓ ଜଣେ ହାଣ୍ଡରାଇଟିଂ ଏକ୍ସପର୍ଟ ସାମିଲ ହୋଇଥିବା ସୂଚନା ମିଳିଛି ।

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ

ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ତେବେ ଗତ ୨୦୨୧ ମସିହା ଅକ୍ଟୋବର ମାସ ୮ ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ ୧୭ ଅକ୍ଟୋବର ୨୦୨୧ରେ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ..ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ

ବିଚାରଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ଥିଲା ଗୋବିନ୍ଦ ସାହୁ

ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୯ ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ଆଜି(ମଙ୍ଗଳବାର) ସେ ଜେଲ୍‌ରେ ଆତ୍ମହତ୍ୟା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ବଲାଙ୍ଗୀର ଏସ୍‌ପି ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ପରେ ସାତ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

କଂଗ୍ରେସର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗୋବିନ୍ଦଙ୍କ ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜେଲରେ ମାନବାଧିକାର ଉଲ୍ଲଂଘନ କରାଯାଇଥିବା କହିଛନ୍ତି ଆଇନଜୀବୀ ତଥା କଂଗ୍ରେସ ପ୍ରବକ୍ତା ନିଶିକାନ୍ତ ମିଶ୍ର । ଏହି ମାମଲାର ନ୍ୟାୟିକ ତଦନ୍ତ ସହ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ସେହିପରି ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍ ଖୁବଶୀଘ୍ର ବଲାଙ୍ଗୀର ଜେଲ୍‌ ଯିବ ଓ ଯାଞ୍ଚ ରିପୋର୍ଟକୁ ପିସିସି ସଭାପତିଙ୍କୁ ପ୍ରଦାନ କରିବ ବୋଲି କହିଛନ୍ତି ନିଶିକାନ୍ତ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: କଂଗ୍ରେସର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅବସରପ୍ରାତ ଜେଲ ଡିଆଇଜି

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । କଣ୍ଟାବାଞ୍ଜି ଥାନାର U.D. Case No. 15/2022ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜେଲ ଅତିରିକ୍ତ ପୋଲିସ ଡିଜି ଦିପ୍ତେଶ ପଟ୍ଟନାୟକ । ସେ କହିଛନ୍ତି, "୨୪ ଘଣ୍ଟା ଭିତରେ ରିପୋର୍ଟ ଆସିବ । ବିନା ରିପୋର୍ଟରେ କହିବା ସ୍ପେକୁଲେଟିଭ ହେବ । ରିପୋର୍ଟ ଆସିଲେ ପୁରା ଘଟଣା ସମ୍ପର୍କରେ କହିହେବ ।" ତେବେ ଘଟଣାରେ କିନ୍ତୁ ଅବସରପ୍ରାତ ଜେଲ ଡିଆଇଜି ବଙ୍କୀମ ଚନ୍ଦ୍ର ମହାନ୍ତି ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଗୋବିନ୍ଦ ସାହୁ ଜଣେ ହାଇ ପ୍ରୋଫାଇଲ ହତ୍ୟା ଘଟଣାର ଅଭିଯୁକ୍ତ । କଣ୍ଟାବାଞ୍ଜି ଭଳି ସବଜେଲରେ ତାଙ୍କୁ ରଖିବା ଉଚିତ ନଥିଲା । ତେବେ ଯଦି ସେ ଆତ୍ମହତ୍ୟା କରିଛନ୍ତି, ଏହା ତାଙ୍କ ସୁରକ୍ଷା ପ୍ରତି ଅବହେଳା କାରଣରୁ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 20, 2022, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.