ETV Bharat / state

ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ: ଜୁଲାଇ 12 ସୁଦ୍ଧା ସରିବ ସମସ୍ତ ପ୍ରକ୍ରିୟା

author img

By

Published : Mar 2, 2023, 8:06 AM IST

ଓଡିଶାରେ ଆରମ୍ଭ ହେବ ଓବିସି ସର୍ଭେ
ଓଡିଶାରେ ଆରମ୍ଭ ହେବ ଓବିସି ସର୍ଭେ

ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ । ଆସନ୍ତା ଜୁଲାଇ 12 ତାରିଖ ସୁଦ୍ଧା ଓବିସି ସର୍ଭେ ସରିବ । ଅଧିକ ପଡନ୍ତୁ

ଭୁବନେଶ୍ବର: ବହୁପ୍ରତୀକ୍ଷାର ହେବ ଅନ୍ତ । ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ (OBC) ସର୍ଭେ । ଏନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ସର୍ଭେର ସମସ୍ତ ପ୍ରକ୍ରିୟା ଆସନ୍ତା ଜୁଲାଇ 12 ତାରିଖ ସୁଦ୍ଧା ଶେଷ ହେବ । ଏହି ସର୍ଭେ ଆରମ୍ଭ କରିବା ପାଇଁ ବିଭିନ୍ନ ଗାଇଡ଼ଲାଇନ ସହ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଛୁଆ ବର୍ଗ କମିଶନ ସଦସ୍ୟ ସଚିବ ବୀର ବିକ୍ରମ ଯାଦବ ।

କୋଭିଡ ସଂକ୍ରମଣ ଯୋଗୁଁ 2021 ମେ' ମାସରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ ରହିଥିଲା । ଏହି ସର୍ଭେ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସର୍ଭେ ପାଇଁ ବିଭିନ୍ନ ଗାଇଡ଼ଲାଇନ ଜାରି କରାଯାଇଛି । ସର୍ଭେ ମାଧ୍ୟମରେ ରାଜ୍ୟର 30ଟି ଜିଲ୍ଲାର 314 ବ୍ଲକ ଓ 114 ପୌରାଞ୍ଚଳରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସମୀକ୍ଷା ହେବ । ଜିଲ୍ଲାରେ ସର୍ଭେ ପାଇଁ ଜିଲ୍ଲାପାଳ ଓ ମହାନଗର ଅଞ୍ଚଳ ଲାଗି କମିଶନର ତଦାରଖ କରିବେ । ପ୍ରତି ଜିଲ୍ଲା ସର୍ଭେ ପରିଚାଳନା ଯୋଜନା ପ୍ରସ୍ତୁତ କରି ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କମିଶନଙ୍କ ନିକଟକୁ ପଠାଇବେ । 6 ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ 30 ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ୱ ଦିଆଯାଇଛି ।

ନିର୍ବାଚନ ଓ ଜନଗଣନାରେ ଅଭିଜ୍ଞତା ଥିବା ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତା ସପ୍ତାହରେ ବ୍ଲକସ୍ତରରେ ସୁପରଭାଇଜର ଓ ଗଣନାକାରୀଙ୍କ ପାଇଁ ବିଡିଓ ଓ ତହସିଲଦାରଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଞ୍ଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟରମାନେ ଗଣନାକାରୀ କାର୍ଯ୍ୟ ତୁଲାଇବେ । ସେହିପରି ପ୍ରତ୍ୟେକ 10 ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ରରେ ସର୍ଭେ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ 2ରୁ 5 ଜଣ ଲେଖାଏଁ ଗଣନାକାରୀ ରହିବେ ।

ଘରୋଇ ଡିଲର ଥିବା କେନ୍ଦ୍ରରେ ଜଣେ ଲେଖାଏଁ ଗଣନାକାରୀ ରହିବେ । ନିର୍ଦ୍ଧାରିତ ଅବଧି ମଧ୍ୟରେ ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ କରାଯିବ । ଏଥିପାଇଁ ପରିବାରର ମୁଖିଆଙ୍କ ପରିଚୟ ପ୍ରମାଣପତ୍ର ରହିବା ଜରୁରୀ । ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେବ । ଏପ୍ରିଲ-ମେ’ ମାସରେ ଏହି ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ 12 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ କରାଇବା ପାଇଁ ରାଜ୍ୟ ଓବିସି କମିଶନଙ୍କୁ ଗତ 2021 ଫେବୃୟାରୀ 26 ତାରିଖରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । 2021 ମେ’ ମାସରୁ ଓବିସି ଗଣନା ଆରମ୍ଭ ପାଇଁ ମଧ୍ୟ କମିଶନ ପ୍ରସ୍ତୁତି ହୋଇଥିଲେ । କିନ୍ତୁ କୋଭିଡ ଯୋଗୁଁ ଏହି ସର୍ଭେକୁ ସ୍ଥଗିତ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.