ETV Bharat / state

ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ

author img

By ETV Bharat Odisha Team

Published : Nov 23, 2023, 11:07 AM IST

Updated : Nov 23, 2023, 12:26 PM IST

ଶୀତ ଅଧିବେଶନର ତୃତୀୟ ଦିନ
ଶୀତ ଅଧିବେଶନର ତୃତୀୟ ଦିନ

ଶୀତ ଅଧିବେଶନର ତୃତୀୟ ଦିନରେ ଆଦିବାସୀ ଜମି ପ୍ରସଙ୍ଗରେ କମ୍ପିଲା ବିଧାନସଭା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଦିବାସୀ ଜମି ପ୍ରସଙ୍ଗରେ ହୁଲୁସ୍ତୁଲ ବିଧାନସଭା । ଆଜି ବି ଚାଲି ପାରିଲାନି ପ୍ରଶ୍ନକାଳ । ଆଦିବାସୀ ଜମି କିଣାବିକା ସଂକ୍ରାନ୍ତ ପ୍ରସ୍ତାବ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କମ୍ପିଲା ଗୃହ । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ପ୍ରବଳ ହୋ ହଲ୍ଲା କଲେ ବିରୋଧୀ । କଂଗ୍ରେସ ଓ ବିଜେପି ସଦସ୍ୟ ଗୃହମଧ୍ୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କଲେ । ଗୃହକାର୍ଯ୍ୟ ଚଳାଇ ଦେଲେ ନାହିଁ ଉଭୟ ବିରୋଧୀ ଦଳ । ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ଗୃହ ଚଳାଇବା ମୁସ୍କିଲ ହୋଇଯାଇଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଜ୍ୟ ସରକାର ଡରୁଛନ୍ତି । ପ୍ରଶ୍ନକାଳ ଚାଲିଥିଲେ ସରକାରଙ୍କ ଅସଲ କଥା ପଦାକୁ ଆସିଥାନ୍ତା । ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି । ସ୍ବାଧୀନତା ପରଠାରୁ ବିଜେଡି ଓ ବିଜେପି ଦକ୍ଷିଣ ଓଡ଼ିଶା ପାଇଁ କୌଣସି ବିକାଶ କରିନାହାନ୍ତି । ଯେତେସବୁ ଯୋଜନା ହୋଇଛି, ତାହା କଂଗ୍ରେସ ଅମଳରେ । ପ୍ରଚଳିତ ସରକାର କେବଳ ବାହାଃସ୍ପଟ ମାରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

ଏହା ମଧ୍ୟ ପଢନ୍ତୁ: ହଟ୍ଟଗୋଳ ଭିତରେ ଆଗତ ହେଲା ଭୂ-ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ

ପ୍ରକାଶ ଥାଉକି, ଗତ ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଡିସେମ୍ବର ୩୦ ଯାଏଁ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବୁଧବାର ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଆଦିବାସୀ ଜମି ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ମୁଲତବୀ ରଖିବା ପରେ ବାହାରେ ଆସି ବିକ୍ଷୋଭ କରିଥିଲେ ବିରୋଧୀ ନେତା । ତେବେ ଏହି ହଟ୍ଟଗୋଳ ଭିତରେ ଗତକାଲି(ବୁଧବାର) ଭୂ-ସଂସ୍କାର ଦ୍ବିତୀୟ ବିଲ୍ ୨୦୨୩ ସଂଶୋଧନ ବିଧେୟକ ଆଗତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 23, 2023, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.