ETV Bharat / state

ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

author img

By ETV Bharat Odisha Team

Published : Nov 22, 2023, 5:00 PM IST

Uproar in Odisha Assembly: ଆଦିବାସୀଙ୍କ ଜମିକୁ ନେଇ ବିଧାନସଭା ହୁଲୁସ୍ତୁଲ୍ । ପ୍ରତ୍ୟାହାର ଦାବିରେ ଅଟଳ ବିରୋଧୀ । ବିଜେଡି ରଖିଲା ପାଲଟା ଜବାବ। ଅଧିକ ପଢ଼ନ୍ତୁ

ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ
ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ

ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ ମୁଲତବି

ଭୁବନେଶ୍ବର: ପୁଣି ତେଜିଲା ଆଦିବାସୀଙ୍କ ଜମି ପ୍ରସଙ୍ଗ । କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ରଖି ରାଜ୍ୟ ସରକାର ନିଜ ଛେପ ଢୋକିଥିବା ବେଳେ, ବିରୋଧୀଙ୍କୁ ମିଳିଯାଇଛି ବଡ଼ ମୌକା । ସ୍ଥଗିତ ନୁହେଁ ପୂରା ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଏହାକୁ ନେଇ ଉଠିଛି ପଡ଼ିଛି ବିଧାନସଭା । ବିଜେପି ମୋସନ ଆଣିଥିବା ବେଳେ, ଶାସକ ଦଳକୁ ଷଣ୍ଢୁଆସୀ ଆକ୍ରମଣ କରିଛି କଂଗ୍ରେସ । ବିଧାନସଭା ବାହାରେ ବି ଶୁଭିଛି ବିରୋଧୀଙ୍କ ସ୍ବର ।

ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବା ପ୍ରସଙ୍ଗ କ୍ୟାବିନେଟରେ ପାସ ହେବା ଏବଂ ପରେ ଏହାକୁ ରାଜ୍ୟ ସରକାର ସ୍ଥଗିତ ରଖିବା ନିଷ୍ପତ୍ତି ବିଧାନସଭାରେ ପ୍ରତିଫଳିତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳରେ ଗୃହ ହୁଲୁସ୍ତୁଲ ହୋଇଛି। । ସରକାର ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଦାବିରେ ଆଜି (ବୁଧବାର) ହଙ୍ଗାମା କରିଥିଲେ ବିରୋଧୀ । ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ଲା କାର୍ଡ ଦେଖାଇବା ହୋହଲ୍ଲା ଏବଂ ନାରାବାଜି କରିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ:ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ଏହା ମଧ୍ଯ ପଢ଼ନ୍ତୁ:ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"

ବିଜେପି ଆଣିଲା ମୋସନ୍: "ସରକାର ଯଦି କ୍ୟାବିନେଟ୍ ନିଷ୍ପତ୍ତି ନ କରନ୍ତି ପ୍ରତ୍ୟାହାର, ଜମି ହରାଇ ଅନୁସୂଚିତ ଜନଜାତି ହୋଇଯିବେ ଛାରଖାର "। ଗୃହରେ ଏହି ମୋସନ ଆଣିଥିଲା ବିଜେପି । ଗୃହର ସମସ୍ତ କାର୍ଯ୍ୟ ବନ୍ଦ କରି ଏହି ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ପାଇଁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି । ମାତ୍ର ବିଜେପି ମୋସନକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଯାହାକୁ ନେଇ ଗୃହରେ ସୃଷ୍ଟି ହୋଇଥିଲା ଅଚଳାବସ୍ଥା । ବାଧାପ୍ରାପ୍ତ ହୋଇଥିଲା ପ୍ରଶ୍ନକାଳ । ସ୍ଥିତି ଅଣାୟତଃ ହେବାରୁ ଗୃହକୁ ବାରମ୍ବାର ମୁଲତବି ରଖିଥିଲେ ବାଚସ୍ପତି । ପ୍ରଥମେ ଅପରାହ୍ନ ୧୨ଟା ଏବଂ ପରେ ଅପରାହ୍ନ ୪ଟା ଯାଏଁ ଠପ୍ ହୋଇଯାଇଥିଲା ଗୃହକାର୍ଯ୍ୟ । ପରେ ଆସନ୍ତାକାଲି(ଗୁରବାର) ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ତାତିଲେ ତାରା ପ୍ରସାଦ: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କହିବା ହେଲା, ବର୍ତ୍ତମାନ କ୍ୟାବିନେଟରେ ଆସିଥିବା ଆଦିବାସୀ ଜମିକୁ ଅନ୍ୟ ଲୋକ କିଣିବା ବ୍ୟବସ୍ଥା ରହିଛି । ଏଇଟା ସମ୍ପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଯଦି ବ୍ୟାଙ୍କ ଆଦିବାସୀଙ୍କ ଜମିରେ ପାଠ ପଢ଼ିବା ଓ ଶିଳ୍ପ କରିବା ଋଣ ଦେବ, ଏହାକୁ ମୁଁ ଓ ମୋ ଦଳ କଂଗ୍ରେସ ସ୍ବାଗତ କରିବ । ମାତ୍ର ଏହାକୁ ବିକ୍ରି କରି ମୌଜ କରିବା ଏବଂ ଆନ୍ଧ୍ର ଦଲାଲଙ୍କୁ ଦେବା ପାଇଁ ନୁହେଁ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ସଂସଦରେ ପେସା ଆଇନ ପାସ୍ କରିଥିଲା । ରାଜ୍ୟରେ ବିଜେଡି ସରକାର 24 ବର୍ଷ ଏବଂ ବିଜେଡି-ବିଜେପି ମେଣ୍ଟ ସରକାର 9 ବର୍ଷ କ୍ଷମତାରେ ଥିଲେ ମଧ୍ୟ ପେସା ଆଇନ ଆଣି ପାରିଲେ ନାହିଁ । ଯଦି ଆଦିବାସୀଙ୍କ ପ୍ରତି ଏତେ ଦରଦ ଅଛି, ତୁରନ୍ତ ପେସା ଆଇନ ଆଣନ୍ତୁ ବୋଲି ଦାବି କରିଛନ୍ତି ତାରା ବାହିନୀପତି ।

ସ୍ଥଗିତ ନୁହେଁ ପ୍ରତ୍ୟାହାର କର: ରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ମତରେ, ସରକାର ଯେଉଁ ସ୍ଥଗିତାଦେଶ ଜାରି କରିଛନ୍ତି, ତାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବ ଉଚିତ । କାରଣ କିଛି ଦିନ ପାଇଁ ସ୍ଥଗିତ କରି ରାଜ୍ୟ ସରକାର ପୁଣି ଥରେ ଏହାକୁ ଲାଗୁ କରିବାର ଆଶଙ୍କା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ସରକାର ଆଦିବାସୀ ବିରୋଧୀ ଏବଂ ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ରହିଛି । ଆଦିବାସୀଙ୍କ ଅଭିଶାପରେ ବିଜେଡି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ । ଆର୍ଟିକିଲ 244(1) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରିଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗକୁ ଆଦିବାସୀ ମନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ।

ଆଦିବାସୀଙ୍କ ବିକାଶ ବିଜେଡି ହିଁ କରୁଛି: ରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସୁଦାମ ମାରାଣ୍ଡି । ଶାସକ ଦଳ ବିଜେଡିର ପାଲଟା ଜବାବ, ବିରୋଧୀ ଯେଉଁ ରାଜନୀତି କରୁଛନ୍ତି, ତାହା ଠିକ୍ ନୁହେଁ । ବିଭିନ୍ନ ସମୟରେ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଦିବାସୀଙ୍କ ସୁରକ୍ଷା ଓ ବିକାଶ ପାଇଁ ଚିନ୍ତା କରୁଛନ୍ତି । ଲୋକଙ୍କ ହିତ ପାଇଁ ପ୍ରଶାସନ ଯେଉଁ ଭଳି ଭାବେ କାର୍ଯ୍ୟ କରୁଛନ୍ତି ତାହା ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କରାଯାଇଛି ।

ଗତ କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ତୁମ୍ବି ତୋଫାନ କରୁଛନ୍ତି ବିରୋଧ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.