ETV Bharat / state

ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

author img

By ETV Bharat Odisha Team

Published : Nov 22, 2023, 1:38 PM IST

ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ
ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

​Assembly Winter Session: ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ୍ । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ । ବିଜେପିର ଦାବି "ବନ୍ଦ ହେଉ ଆଦିବାସୀ ଜମି ହଡ଼ପ " । ଅଧିକ ପଢ଼ନ୍ତୁ

ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ଭୁବନେଶ୍ବର : ଗୃହକାର୍ଯ୍ଯ ଆରମ୍ଭରୁ ବିଧାନସଭାରେ ଉଠିଲା ଆଦିବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ । ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ବିଧାନସଭାର କାର୍ଯ୍ୟ ଆଜି(ବୁଧବାର) ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା। । ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଯାହାର ଜବାବ ରଖିଛ ମନ୍ତ୍ରୀ ଜଗନ୍ନାଥ ସାରକା ।

ଏହା ମଧ୍ଯ ପଢ଼ନ୍ତୁ: ଆଜିଠୁ ଶୀତ ଅଧିବେଶନ: ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

ଆଜି(ବୁଧବାର) ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସିବା ସହିତ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅନୁରୋଧ ସତ୍ତ୍ବେ ସେମାନେ ନିଜ ନିଜ ଆସନକୁ ଫେରିନଥିଲେ । ପ୍ରଶ୍ନକାଳରେ ବାଚସ୍ପତି, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଉତ୍ତର ପଢୁଥିଲେ ମଧ୍ୟ ତାହା ଶୁଣାଯାଉ ନଥିଲା । ବିରୋଧୀ ସଦସ୍ୟମାନେ ଗୃହରେ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ଗତ କ୍ୟାବିନେଟ ବୈଠକରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ ଖରିଦ କରିପାରିବେ ବୋଲି ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । କିନ୍ତୁ ପରେ ଏହି ମଞ୍ଜୁରୀକୁ ପ୍ରତ୍ୟାହାର କରି ନିଆଯାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଜେପି ମୋସନ ଆଣିଥିଲା "ସରକାର ଯଦି କ୍ୟାବିନେଟ ନିଷ୍ପତି ନ କରନ୍ତି ପ୍ରତ୍ୟାହାର, ଜମି ହରାଇ ଅନୁସୂଚିତ ଜନଜାତି ହୋଇଯିବେ ଛାରଖାର ।" ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ଵତନ୍ତ୍ର ଭାବେ ଆଲୋଚନା କରିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ଦଳ ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ଦଳ । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ବିଜେଡ଼ି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ । ଆଦିବାସୀମାନଙ୍କ ଜମି ହଡ଼ପ ବନ୍ଦ କରିବାକୁ ଦାବି କରିଛନ୍ତି ମୋହନ ମାଝି। ଏହି ଦାବିରେ ବିଧାନସଭା ବାହାରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ବିଜେପି ବିଧାୟକ।

ଆର୍ଟିକିଲ 244(1) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀ ମନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ ହୋଇଯିବ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଆଦିବାସୀଙ୍କ ଜମି ବ୍ୟାଙ୍କରେ ବନ୍ଧକ ରହିପାରୁନାହିଁ । ଆଦିବାସୀ ଲୋକ ଶିଳ୍ପ ପ୍ରତିଷ୍ଠା କରିପାରିବେ ନାହିଁ । ପାଠ ପଢିବା ଲାଗି ଆଦିବାସୀ ଲୋକଙ୍କୁ ଲୋନ ମିଳୁନାହିଁ । ଏ ପରିପ୍ରେକ୍ଷୀରେ ବିଜେଡି ଓ ବିଜେପି ମେଣ୍ଟରେ ଥିବା ସମୟରେ ଆଦିବାସୀ ମାରଣ ନୀତି ଆଣିଥିଲେ । ଓଡ଼ିଶାରେ କୌଣସି ଆଦିବାସୀ ପୁଅ ଓ ଝିଅଙ୍କୁ ବ୍ୟାଙ୍କ ଋଣ ଦେଉନାହିଁ । ବର୍ତ୍ତମାନ କ୍ୟାବିନେଟରେ ଆସିଥିବା ଆଦିବାସୀ ଜମିକୁ ଅନ୍ୟ ଲୋକ କିଣିବା ବ୍ୟବସ୍ଥା ରହିଛି, ଏଇଟା ସମ୍ପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଯଦି ବ୍ୟାଙ୍କ ଆଦିବାସୀଙ୍କ ଜମି ଋଣ ଦେବ ପାଠ ପଢ଼ିବା ଓ ଶିଳ୍ପ କରିବା ଲାଗି । ଏହାକୁ ମୁଁ ଓ ମୋ ଦଳ ସ୍ବାଗତ କରୁଛି । କିନ୍ତୁ ବିକ୍ରି କରି ମୌଜ କରିବା, ଆନ୍ଧ୍ର ଦଲାଲଙ୍କୁ ଦେବାପାଇଁ ନୁହେଁ । ଆନ୍ଧ୍ର ଓ ଶିଳ୍ପ ପାଇଁ ଜବରଦସ୍ତ ମାଡ଼ି ବସିବାକୁ ବିରୋଧ କରୁଛୁ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ପାର୍ଲାମେଣ୍ଟର ପେସା ଆଇନ ପାରିତ କରିଥିଲା । ବିଜେଡି ସରକାର 25 ବର୍ଷ ଓ ମେଣ୍ଟ ସରକାର 9 ବର୍ଷ କ୍ଷମତାରେ ଥିଲେ ମଧ୍ୟ ପେସା ଆଇନ ଆଣି ନାହାନ୍ତି । ଯଦି ଆଦିବାସୀଙ୍କ ପ୍ରତି ଦରଦ ଅଛି ତେବେ ତୁରନ୍ତ ପେସା ଆଇନ ଆଣନ୍ତୁ ।ସେପଟେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଆଦିବାସୀଙ୍କ ଜମି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହା ସ୍ଥଗିତ ରହିଛି । ଆଦିବାସୀଙ୍କ ବିକାଶରେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ଅଛନ୍ତି । ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶ ଲାଗି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।

23 ଜିଲ୍ଲାରେ ଏସଡିସି ଗଠନ ହୋଇଛି । ଆଦିବାସୀଙ୍କ ଶିକ୍ଷା ଲାଗି ହଷ୍ଟେଲର ବ୍ୟବସ୍ଥା ହୋଇଛି । ବିଜେପିର 8 ଜଣ ସାଂସଦ 9 ବର୍ଷ ହେଲା ସଂସଦରେ ଆଦିବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉନାହାନ୍ତି । 60 ବର୍ଷ ଶାସନ ଭିତରେ କଂଗ୍ରେସ ସେହିପରି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ । 10 ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଅଛନ୍ତି । ସେମାନେ ଅଧିକାଂଶ ଆଦିବାସୀ ମହିଳା । କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସ୍‌ଟି 18 ପ୍ରତିଶତ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହାକୁ ଛାଡ଼ କରିବା ଲାଗି ଦାବି କରିଛନ୍ତି । ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରିବା ସହ ଗୋଳିଆ କରି ବିଧାନସଭା ବନ୍ଦ କରୁଥିବା ପାଲଟା ଜବାବ ରଖିଛି ଶାସକ ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.