ETV Bharat / state

ହଟ୍ଟଗୋଳ ଭିତରେ ଆଗତ ହେଲା ଭୂ-ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ

author img

By ETV Bharat Odisha Team

Published : Nov 22, 2023, 7:35 PM IST

ହଟ୍ଟଗୋଳ ଭିତରେ ଆଗତ ହେଲା ଭୂ - ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ
ହଟ୍ଟଗୋଳ ଭିତରେ ଆଗତ ହେଲା ଭୂ - ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ

ହଟ୍ଟଗୋଳ ଭିତରେ ଆଗତ ହୋଇଛି ଭୂ-ସଂସ୍କାର ଦ୍ଵିତୀୟ ବିଲ 2023 ସଂଶୋଧନ ବିଧେୟକ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଲ ଆଗତ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନ ଧୋଇଯାଇଛି । ଆଦିବାସୀଙ୍କ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ କରିଥିଲେ ବିରୋଧୀ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଗତ ହୋଇଛି ଭୂ-ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକା ।

ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ । ହୋଇପାରିଲା ନାହିଁ ମୁଲତବୀ ପ୍ରସ୍ତାବ ଆଲୋଚନା । ସେହିପରି ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଆଜି ଗୃହ ଆରମ୍ଭ ହେବା କ୍ଷଣି ବିଜେପି ଦାବି କରିଥିଲା ଆଦିବାସୀ ଜମି ହଡ଼ପ ଉପରେ ଆଲୋଚନା । କଂଗ୍ରେସ ବିଧାୟକ ମଧ୍ୟ ପେସା ଆଇନ ଲାଗୁ କରିବା ପାଇଁ ଦାବି କରି ହୋହଲ୍ଲା କରିଥିଲେ । ତେଣୁ ଗୃହ 12ଟା ଯାଏଁ ମୁଲତବୀ ହୋଇଥିଲା । ପୁନର୍ବାର ଗୃହ ଆରମ୍ଭ 12.01ରୁ 45 ମିନିଟ ପର୍ଯ୍ୟନ୍ତ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବୈଠକ ବିଫଳ ହୋଇଥିଲା । ତେଣୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଅଧିକ ପଢନ୍ତୁ- ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

ଅପରାହ୍ନ ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ଭିତରେ ଆଗତ ହୋଇଛି ଭୂ- ସଂସ୍କାର ଦ୍ଵିତୀୟ ବିଲ 2023 ସଂଶୋଧନ ବିଧେୟକ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଲ ଆଗତ କରିଛନ୍ତି । ସେହିପରି ମାନବିକ ଅଧିକାର ସୁରକ୍ଷା ଅଧିନିୟମ 1993ର ଧାରା 28ର ଉପଧାର(2) ଅନୁଯାୟୀ ଓଡିଶା ମାନବିକ ଅଧିକାର ଆୟୋଗଙ୍କ 2029-2020 ମସିହାରେ ବାର୍ଷିକ ରିପୋର୍ଟ ଏବଂ ଉକ୍ତ ରିପୋର୍ଟରେ ସୁପାରିଶ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସ୍ମାରକୀ ଉପସ୍ଥାପନ ହୋଇଛି । ହଟ୍ଟଗୋଳରେ ରିପୋର୍ଟ ଓ ବିଧେୟକ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟଯେ ଗତକାଲି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ । ଅଧିବେଶନ ଡିସେମ୍ବର 30 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା । ଏହାପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ । ଶୋକ ପ୍ରସ୍ତାବ ପରେ ବାଚସ୍ପତି ଗୃହକୁ ଆଜି (ବୁଧବାର) ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.