ETV Bharat / state

ସବୁଜିମାରେ ହସିଉଠିବ ଶିଖରଚଣ୍ଡି ପାହାଡ଼, ଆଜିଠୁ ଆରମ୍ଭ ହେଲା ବୃକ୍ଷରୋପଣ

author img

By ETV Bharat Odisha Team

Published : Sep 17, 2023, 2:15 PM IST

ସବୁଜିମା ହେବ ଶିଖରଚଣ୍ଡି ପାହାଡ଼
ସବୁଜିମା ହେବ ଶିଖରଚଣ୍ଡି ପାହାଡ଼

ସବୁଜିମାରେ ପରିପୂର୍ଣ୍ଣ ହେବ ଶିଖରଚଣ୍ଡି ପାହାଡ ଓ ବୁଦ୍ଧ ଜୟନ୍ତୀ ପାର୍କ । ଆଜି ଶିଖରଚଣ୍ଡି ପାହାଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି । ଅଧିକ ପଢନ୍ତୁ

ସବୁଜିମା ହେବ ଶିଖରଚଣ୍ଡି ପାହାଡ଼

ଭୁବନେଶ୍ବର: ଜଳବାୟୁର ବ୍ୟାପକ ପରିବର୍ତ୍ତନ ପରିବେଶକୁ ନଷ୍ଟ କରୁଛି । ଗ୍ଲୋବାଲ ୱାର୍ମିଂରୁ ପରିବେଶକୁ ରକ୍ଷା କରିବାକୁ ହେଲେ ବୃକ୍ଷର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସବୁଜ ପାହାଡ଼ ପ୍ରକଳ୍ପ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏନେଇ ଖୋର୍ଦ୍ଧା ବାଛରା ପାହାଡ ପରେ ସବୁଜିମାରେ ପରିପୂର୍ଣ୍ଣ ହେବ ଶିଖରଚଣ୍ଡି ପାହାଡ ଓ ବୁଦ୍ଧ ଜୟନ୍ତୀ ପାର୍କ । ସବୁଜିମା ରୂପାନ୍ତରିକରଣକୁ ନେଇ ଆଜି ଶିଖରଚଣ୍ଡି ପାହାଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି । ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ ଓ ଭୁବନେଶ୍ୱର ମେୟର ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ତେବେ ଏଠାରେ ମୋଟ ୧୮ ହଜାର ବୃକ୍ଷ ରୋପଣ କରାଯିବ । ଏନେଇ ଓଡିଶା ବନ ବିଭାଗ (ଓଏଫଡିସି)କୁ ବୃକ୍ଷରୋପଣ ଦାୟିତ୍ବ ପ୍ରଦାନ କରାଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗୀତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସମେତ ପୋଲିସ, ରାଜନୀତିକ ଦଳ , ବିଭିନ୍ନ ବିଭାଗର ଅଧିକାରୀ, ନିସିସି କ୍ୟାଡେଟ , ବରିଷ୍ଠ ନାଗରିକ , ସାମାଜିକ କର୍ମୀ ଓ ମହିଳା ଗୋଷ୍ଠୀମାନେ ସାମିଲ ହୋଇ ବୃକ୍ଷ ରୋପଣ କରିଛନ୍ତି। ଶିଖରଚଣ୍ଡୀ ପାହାଡ଼ରେ ୧୮ ହଜାର ଗଛ ଲାଗିବା ପାଇଁ ଯୋଜନା ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ଶିଖରଚଣ୍ଡୀରେ ୩୨ ଶହ ଗଛ ଲାଗିବ । ଏଥିରେ ୨୭ ପ୍ରକାର ଫୁଲ ଓ ଔଷଧୀୟ ଗଛ ରହିଛି । ତେବେ ୧୦ ହଜାର ବିଭିନ୍ନ ପ୍ରକାରର ବଡ଼ ଗଛ ଓ ୮ ହଜାର ଫୁଲ ଗଛ ରହିଛି । ଏନେଇ ଶିଖରଚଣ୍ଡୀ ବୃକ୍ଷରୋପଣ ପାଇଁ ୩ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ରହିଛି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ବୃକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବ ବନ ବିଭାଗ ।

ସେହିପରି ବୁଦ୍ଧ ଜୟନ୍ତୀ ପାର୍କରେ ୯ ଶହ ବୃକ୍ଷରୋପଣ ନେଇ ଯୋଜନା ରହିଛି । ଏହା ସହ ଏଠାରେ ପୁନର୍ବାର ୪ ହଜାର ବୃକ୍ଷରୋପଣ କରାଯିବା ସହ ଏହାକୁ ନେଚର ପାର୍କରେ ପରିଣତ କରାଯିବ ବୋଲି କହିଛନ୍ତି ବଳବନ୍ତ ସିଂ । ତେବେ ରାଜଧାନୀ ଏବଂ ଉପକଣ୍ଠରେ ଥିବା ୩ଟି ସ୍ଥାନରେ ଇକୋଲୋଜିକାଲ ପାର୍କ କରାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସହରୀକରଣ ଲାଗି ସମତଳ ଭୂମିରୁ ଯେଉଁ ପରିମାଣର ଗଛ କଟାଯାଇଛି ତାକୁ ଭରଣା କରିବା ଲାଗି ଏଣିକି ପାହାଡ ଉପରେ ଗଛ ଲାଗିବ। ୩ଟି ପାହାଡରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଗଛ ଲାଗିବ ବୋଲି ଯୋଜନା କରାଯାଇଛି । ଏଥିପାଇଁ ମୋଟ ୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନାକୁ ତ୍ଵରାନ୍ୱିତ କରିବାକୁ ଯାଇ ଶିଖରଚଣ୍ଡି ପାହାଡକୁ ବାୟୋଡାଇଭରସିଟି ପାର୍କ ଭାବେ ଗଢ଼ି ତୋଳାଯିବ।

ଏହା ମଧ୍ୟ ପଢନ୍ତୁ- ସବୁଜିମାରେ ଭରିବ ଶିଖରଚଣ୍ଡୀ ପାହାଡ଼, ବୃକ୍ଷରୋପଣ ପାଇଁ ୩ କୋଟି ୫୧ ଲକ୍ଷ ଟଙ୍କାର ବଜେଟ

ଗତ ୧୧ ତାରିଖ ଦିନ ଜଟଣୀ ସ୍ଥିତ ବଛରା ପାହାଡ଼ରୁ ଏହାର ଶୁଭାରମ୍ଭ ହୋଇଛି । ଅନ୍ୟପଟେ ଶିଖରଚଣ୍ଡୀ ମନ୍ଦିରର ବିକାଶ ପାଇଁ ବିଡିଏ ପକ୍ଷରୁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ରହିଛି । ଯେଉଁଥିରେ ଶିଖରଚଣ୍ଡି ମନ୍ଦିରର ପୁନରୁଦ୍ଧାର ଏବଂ ଏହା ପାରିପାର୍ଶ୍ବିକ ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ରହିଛି ବୋଲି ବଳବନ୍ତ ସିଂ କହିଛନ୍ତି । ଉନ୍ନତିମୂଳକ କାର୍ଯ୍ୟ ମଧ୍ୟରେ ପବ୍ଲିକ୍ ପାର୍କିଂ, କମ୍ୟୁନିଟି ସେଣ୍ଟର, ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳିବା ସ୍ଥାନ ଏବଂ ପର୍ଯ୍ୟଟକ ଓ ଭକ୍ତଙ୍କ ଆମୋଦପ୍ରମୋଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଟ ୫୩.୬୪୬ ଏକର ଜମିରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରିବ । ଏଥିପାଇଁ ମୋଟ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାକୁ ୪ ମାସ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.