ETV Bharat / state

ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

author img

By ETV Bharat Odisha Team

Published : Nov 12, 2023, 3:03 PM IST

ଚିକିତ୍ସାରେ ଅର୍ଥ ବାଧକ
ଚିକିତ୍ସାରେ ଅର୍ଥ ବାଧକ

ବର୍ଷେ ହେଲା ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ରୋଜଗାରିଆ ପୁଅ । ଏକାଥରେ ବୋନ ଟ୍ୟୁମର, କିଡନୀ, ଲିଭର ଭଳି ମାରାତ୍ମକ ରୋଗ ମାଡି ବସିଛି । ଘରେ ଯାହା ଥିଲା ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି, ହେଲେ ରୋଗ ଭଲ ହେଉନି । ସହାୟତା ପାଇଁ ଏବେ ସରକାରଙ୍କୁ ଗୁହାରି କରିଛନ୍ତି ଗରୀବ ପରିବାର ଲୋକେ । ଅଧିକ ପଢନ୍ତୁ

ରୋଗ ବିଛଣାରେ ରୋଜଗାରିଆ ପୁଅ

ନିଆଳି: ଦଇବର ଲୀଳା ବଡ ବିଚିତ୍ର । କିଏ ଟଙ୍କା ଗଦା ଉପରେ ଶୋଉଛି ତ ଆଉ କିଏ ଅର୍ଥ ଅଭାବରୁ ଜୀବନ ସହ ସଂଗ୍ରାମ କରୁଛି । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ସଞ୍ଜୟ କୁମାର ଭୋଇ । ଦିନେ ସଞ୍ଜୟ ବାହାର ରାଜ୍ୟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଓ ଛୁଆକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡେ ତାଙ୍କ ଉପରେ ଛିଡିପଡିଲା । ବୋନ ଟ୍ୟୁମର, କିଡନୀ, ଲିଭର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ସଞ୍ଜୟ । ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ର ପଞ୍ଚାୟତର ତୋଟାସାହି ଗାଁର ସଞ୍ଜୟ କୁମାର ଭୋଇ । ବୟସ ୪୧ ବର୍ଷ । ବିଧବା ମାଆ, ସ୍ତ୍ରୀ ଓ ଚାରି ବର୍ଷର ପୁଅକୁ ନେଇ ତାଙ୍କର ପରିବାର । ସଞ୍ଜୟ ରାଜ୍ୟ ବାହାରେ ଦାଦନ ଶ୍ରମିକ ଖଟିବା ପାଇଁ ଯାଇଥିଲେ । ତା' ପରେ ଘରକୁ ଫେରିବା ପରେ ଏକାଥରେ ବୋନ ଟ୍ୟୁମର, କିଡନୀ, ଲିଭର, ମୃତ୍ରାଶୟ ଆଦି ୬ ପ୍ରକାର ରୋଗରେ ଆକ୍ରାନ୍ତ ଥିବାର ଜଣାପଡିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା କାର୍ଡରେ ମାଗଣାରେ ଚିକିତ୍ସା କରିଥିଲେ । କିନ୍ତୁ କିଛି ସୁଫଳ ମିଳିଲାନି । ଏବେ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ଏହି ଗରୀବ ପରିବାର ପାଖରେ ବା ଏତେ ଟଙ୍କା ଆସିବ କେଉଁଠୁ । ତେଣୁ ଏବେ ଭାଗ୍ୟକୁ ନିନ୍ଦି ପଡି ରହିଛନ୍ତି ପୁରା ପରିବାର ।

ଏହାମଧ୍ୟ ପଢନ୍ତୁ: ପକ୍ଷାଘାତ ଚିକିତ୍ସାରେ ଅର୍ଥ ବାଧକ: ୬ବର୍ଷ ହେଲା ବିଛଣାରେ ବିତୁଛି ଜୀବନ, ସହାୟତା ଅପେକ୍ଷାର ବୃଦ୍ଧ ଦମ୍ପତି

୨୦୨୨ ମସିହା ଅକ୍ଟୋବର ମାସରୁ ସଞ୍ଜୟ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ତେଣୁ ପୁଅକୁ ଆଖି ସାମ୍ନାରେ ଛଟପଟ ହେଉଥିବାର ଦେଖି ମାଆ ଆଖିରୁ ଲୁହ ଶୁଖୁନି । ସ୍ତ୍ରୀ ବି ଭୋକଶୋଷ ଭୁଲିଗଲାଣି । ଘରର ଏକମାତ୍ର ରୋଜଗାରିଆ ପୁଅ ରୋଗରେ ପଡିବା ଦିନରୁ ଦିନକୁ ଦି ମୁଠା ଖାଦ୍ୟ ଯୋଗାଡ କରିବା ବି ଏହି ଅସହାୟ ପରିବାର ପାଇଁ ମୁସ୍କିଲ ହୋଇପଡିଛି । ଏମିତିରେ ସେମାନେ ଚିକିତ୍ସା ପାଇଁ କେଉଁଠୁ ବା ଅର୍ଥ ଯୋଗାଡ କରନ୍ତେ । ତେଣୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି ।

ଯଦି କୌଣସି ସହୃଦୟ ବ୍ୟକ୍ତି ସଞ୍ଜୟଙ୍କୁ ସାହାଯ୍ୟ କରିବା ଚାହୁଁଛନ୍ତି ତାହେଲେ ଫୋନ ପେ ଯୋଗେ ନଚେତ୍ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ । ତାଙ୍କର ନମ୍ବର ହେଉଛି, 9668293257 । ଆକାଉଣ୍ଟ ବିବରଣୀ ହେଲା

ଇଣ୍ତିଆନ ଓଭରସିଜ ବ୍ୟାଙ୍କ ଜଗନ୍ନାଥ ଶାଖା
ଆକାଉଣ୍ଟ ନମ୍ବର ୦୬୯୨୦୧୦୦୦୦୧୧୮୦୪
ଆଇ.ଏଫ.ଏସି କୋଡ IOBA0000692

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.