ETV Bharat / politics

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା - Odisha Assembly Election 2024

author img

By ETV Bharat Odisha Team

Published : May 19, 2024, 5:37 PM IST

A Look At Key candidates In Phase II: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ଫାଇଟ୍ । 35 ବିଧାନସଭା ଆସନରେ ହେବ ମତଦାନ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥମନ୍ତ୍ରୀଙ୍କ ଠାରୁ ଶ୍ରମ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେଡିର ଅନେକ ହେଭିୱେଟଙ୍କ କାଲି ଭାଗ୍ୟ ପରୀକ୍ଷା ଥିବାବେଳେ ବିଜେପି ଓ କଂଗ୍ରେସର ମଧ୍ୟ ଅନେକ ଟାଣୁଆ ନେତା ପରୀକ୍ଷା ଦେବେ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ୱର: ସରିଛି ପ୍ରଥମ ପର୍ଯ୍ୟାୟ । ରାତି ପାହିଲେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ସଭା, ସମିତି, ରୋଡ ସୋ' ଏବଂ ହେଭିୱେଟଙ୍କ ମାରାଥନ ପ୍ରଚାର ପରେ କାଲି ପରୀକ୍ଷା ସମୟ । ୫ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ । ନିଜର ବହୁମୂଲ୍ୟ ଭୋଟ ଦେଇ ପ୍ରିୟ ନେତା ବାଛିବେ ୭୯ ଲକ୍ଷ ୬୨ ହଜାର ୧୪୮ ଭୋଟର । ଦ୍ବିତୀୟ ପର୍ଯ୍ୟାୟ ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ସାରଦା ପ୍ରସାଦଙ୍କ ଭଳି ଅନେକ ହେଭିୱେଟ । ଏଥର ଦୁଇଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ନବୀନ । ନିଜର ପାରମ୍ପରିକ ହିଞ୍ଜିଳି ଆସନ ସହ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା ବେଳେ ଏକାସଙ୍ଗେ ଉଭୟ ଆସନରେ ଭୋଟଗ୍ରହଣ ହେବ । ଚଳିତ ଥର ଓଡ଼ିଶାରେ ପ୍ରଥମ କରି ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି ଆରପାରର ଲଢେଇ । ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ମଧ୍ୟରେ କାହାକୁ ଜନତାଙ୍କୁ କେତେ ସମର୍ଥନ ମିଳୁଛି ଆସନ୍ତା ଜୁନ ୪ରେ ଫଇସଲା ହୋଇଯିବ ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ (ETV Bharat Odisha)

୩୫ ବିଧାନସଭା ଆସନ: ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ବାଲିଗୁଡା, ଜି ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା ସାନଖେମୁଣ୍ଡି, ହିଞ୍ଜିଳି ।

ଏହି 35 ବିଧାନସଭା ଆସନରେ ମୋଟ 265 ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 224 ଜଣ ପୁରୁଷ ଏବଂ 41 ଜଣ ମହିଳା ପ୍ରାର୍ଥୀ । ମୋଟ 9 ହଜାର 148ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ 20 ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୭୯ ଲକ୍ଷ ୬୨ ହଜାର ୧୪୮ ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୪୦ ଲକ୍ଷ ୩୦ ହଜାର ୨୮୩ ଏବଂ ମହିଳା ଭୋଟର ୩୯ ଲକ୍ଷ ୩୧ ହଜାର ୦୧୫ ରହିଛି । ୮୫୦ ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ (ETV Bharat Odisha)

ହେଭିୱେଟ ପ୍ରାର୍ଥୀ ଓ ଆସନ:

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନ । ରାଜନୀତିରେ ଏଣ୍ଟ୍ରି କରିବା ପରଠୁ ନବୀନ ହିଞ୍ଜିଳିରୁ ଲଢେଇ କରି ବିଜୟର ବାନା ଉଡାଇ ଆସୁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ସେ ନିଜର ଏହି ପାରମ୍ପରିକ ଆସନରୁ ଲଢୁଛନ୍ତି । ଏଠି ନବୀନଙ୍କ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି ବିଜେପିର ଶିଶିର ମିଶ୍ର ଏବଂ କଂଗ୍ରେସର ରଜନୀକାନ୍ତ ପାଢ଼ୀ । ନବୀନ ଗଡ଼ରେ ଟକ୍କର ଦେବା କାହା ପକ୍ଷେ ଏତେଟା ସହଜସାଧ୍ୟ ହେବନାହିଁ । ତେବେ ଚଳିତ ନିର୍ବାଚନରେ ବିଜେପି ଫୋକସରେ ଗଞ୍ଜାମ ଜିଲ୍ଲା ରହିଥିବା ଦେଖିବାକୁ ମିଳିଛି । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ନେଇ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତା ଯଥା ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏଥର ଘନ ଘନ ଗଞ୍ଜାମ ଜିଲ୍ଲା ଗସ୍ତ କରି ମାରାଥନ ନିର୍ବାଚନ କାର୍ଯ୍ୟକ୍ରମ କରିଛନ୍ତି । ତେବେ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ବିଜେପିକୁ କେତେ ସୁହାଇବ, ତାହା ସମୟ କହିବ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ: ଚଳିତ ନିର୍ବାଚନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ପ୍ରଥମ ଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ନବୀନ ବଲାଙ୍ଗୀର ଲୋକସଭା ଆସନକୁ ଫୋକସ୍ କରି କଣ୍ଟାବାଞ୍ଜିରୁ ଲଢୁଥିବା କୁହାଯାଉଛି । ଏହି ଆସନଟି ଏବେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ହାତରେ ଅଛି । ତେଣୁ ଏଥର କଣ୍ଟାବାଞ୍ଜିରେ ବଡ଼ ଲଢେଇ ଦେଖିବାକୁ ମିଳିପାରେ । ନବୀନ ବିକାଶକୁ ମୁବ୍ଦା କରି କଣ୍ଟାବାଞ୍ଜି ବିଜୟ ପାଇଁ ଚେଷ୍ଟା କରୁଥିବା ବେଳେ ସାଲୁଜା ରାଜ୍ୟ ସରାକରଙ୍କ ବିଫଳତାକୁ ଅସ୍ତ୍ର କରି ଆସନ ବଞ୍ଚାଇବା ପ୍ରୟାସରେ ଲାଗିପଡିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଭଞ୍ଜନଗର ନିର୍ବାଚନ ମଣ୍ଡଳୀ: ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗଡ଼ ଭଞ୍ଜନଗର । 2000 ମସିହାରୁ କ୍ରମାଗତ ଭାବେ ପ୍ରତି ନିର୍ବାଚନରେ ସେ ଏହି ଆସନରୁ ଜିତି ଆସୁଛନ୍ତି । 2000 ନିର୍ବାଚନରେ ଆରୁଖ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ । ଏହାପରଠୁ ବିଜେଡି ପ୍ରାର୍ଥୀ ଭାବେ ଭଞ୍ଜନଗର ଆସନରୁ ଲଢି ବିଧାୟକ ରହିଆସିଛନ୍ତି । ଚଳିତ ନିର୍ବାଚନ ଆରୁଖଙ୍କ ବିପକ୍ଷରେ ବିଜେପି ପୁଣିଥରେ ପ୍ରଦ୍ୟୁମ୍ନ ନାୟକଙ୍କୁ ଭରସା କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ବିଷୋୟୀ । ଏଠି ବିଜେଡିର ହେଭିୱେଟ ଆରୁଖଙ୍କୁ ମାତ୍ ଦେବା ଦୁଇ ଦଳର ପ୍ରାର୍ଥୀଙ୍କ ପକ୍ଷେ ସେତେଟା ସହଜ ଦେଖାଯାଉନି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ: ରାଜ୍ୟରେ କେତୋଟି ହାଇପ୍ରୋଫାଇଲ ସିଟ୍‌ ମଧ୍ୟରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ୟତମ । 2024 ନିର୍ବାଚନରେ ମଧ୍ୟ ଏଠି ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଛି । ମହାରାଜା ତଥା 5 ଥରର ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୁଣିଥରେ ମାତ୍ ଦେବାକୁ ବିଧାୟକ ସରୋଜ ମେହେରଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । 2019 ନିର୍ବାଚନରେ ସରୋଜ 10 ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ କନକ ବର୍ଦ୍ଧନଙ୍କ ଏହି ଗଡ଼ କବ୍‌ଜା କରିବାରେ ସଫଳ ହୋଇଥିଲେ । ଚଳିତ ନିର୍ବାଚନରେ ପୂର୍ବ ତ୍ରୁଟିକୁ ସୁଧାରି ପୁଣିଥରେ ନିଜର ଗଡ଼ ଫେରିପାଇବା ଚେଷ୍ଟାରେ ଅଛନ୍ତି ମହାରାଜା ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ରାଉରକେଲା ନିର୍ବାଚନ ମଣ୍ଡଳୀ: ଚଳିତ ନିର୍ବାଚନରେ ରାଉରକେଲା ବିଧାନସଭାରେ କଡ଼ା ଟକ୍କର ଦେଖାଯିବ । ଏଠାରେ ପୁଣିଥରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ ବିଜେପିରୁ ଦିଲ୍ଲୀପ ରାୟ ମୁହାଁମୁହିଁ ହେଉଛନ୍ତି । କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । 1985 ଏବଂ 1990ରେ ଦିଲ୍ଲୀପ ଜନତା ଦଳ ପ୍ରାର୍ଥୀ ଭାବେ ରାଉରକେଲାରୁ ବିଜୟୀ ହୋଇଥିବା ବେଳେ 1995ରେ କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ର ଏଠାରୁ ବିଧାୟକ ହୋଇଥିଲେ । ଏହାପରେ 2000ରେ ବିଜେଡି ପ୍ରାର୍ଥୀ ଅଜିତ ଦାସ ବିଜୟୀ ହେଲେ । 2004 ଓ 2009ରେ ସାରଦା ବିଜେପି ଟିକଟରୁ ନିର୍ବାଚନ ଲଢି କ୍ରମାଗତ ଦୁଇ ଥର ଜିତିଥିଲେ । 2014ରେ ସାରଦା ଓ ଦିଲ୍ଲୀପଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶେଷରେ ଦିଲ୍ଲୀପ ନିର୍ବାଚନ ଜିତି ତୃତୀୟ ଥର ବିଧାନସଭା ଯାଇଥିଲେ । 2024ରେ ପୁଣିଥରେ ରାଉରକେଲାରେ ସାରଦା-ଦିଲ୍ଲୀପ ଲଢେଇ ହେଉଛି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଝାରସୁଗୁଡା ନିର୍ବାଚନ ମଣ୍ଡଳୀ: ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କ ଦେହାନ୍ତ ପରେ ଏବେ ଝାରସୁଗୁଡା ଆସନ ତାଙ୍କର କନ୍ୟା ଦୀପାଳି ଦାସଙ୍କ ଦଖଲରେ ଅଛି । ଚଳିତ ନିର୍ବାଚନରେ ବିଜେଡି ପୁଣିଥରେ ଦୀପାଳିଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ମଧ୍ୟ ପୁନର୍ବାର ଟଙ୍କଧର ତ୍ରିପାଠୀଙ୍କୁ ଛିଡା କରିଛି । ଝାରସୁଗୁଡା ଉପନିର୍ବାଚନରେ ଦୀପାଳି ଟଙ୍କଧରଙ୍କୁ ହରାଇ ବିଧାୟିକା ନିର୍ବାଚନ ହୋଇଥିଲେ । ଏଥର ମଧ୍ୟ ଆଉ 5 ବର୍ଷ ପାଇଁ ଝାରସୁଗୁଡା ଦଖଲ କରିବାକୁ ସେ ଝାଳବୁହା ପ୍ରଚାର କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ: ଗଞ୍ଜାମ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ସାନଖେମୁଣ୍ଡି ଆସନରେ ମଧ୍ୟ ଜୋରଦାର ଫାଇଟ ହେବ । କଂଗ୍ରେସର ବାହୁବଳୀ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଟକ୍କର ଦେବେ ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳି । ପୂର୍ବରୁ ରମେଶ ଜେନା ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହଦେଓ ଓ ରାଣୀ ନନ୍ଦିନୀ ଦେବୀଙ୍କୁ ହରାଇ ସାରିଛନ୍ତି । ତେଣୁ ଏଥର ମଧ୍ୟ ବିଜେଡି ପ୍ରାର୍ଥିନୀ ସୁଲକ୍ଷଣାଙ୍କୁ ମାତ୍ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପର୍ଯ୍ୟାୟ ଫାଇଟ୍: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, ମଇଦାନରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

୨୦୧୯ ନିର୍ବାଚନ ଫଳାଫଳ:

ଗତ ୨୦୧୯ ନିର୍ବାଚନରେ ଏହି ୩୫ ଆସନରେ ସ୍ବିପ୍ କରିଥିଲା ବିଜୁ ଜନତା ଦଳ । କେବଳ ବିଜେଡି ୨୬ ଆସନରେ ବିଜୟ ହୋଇଥିବା ବେଳେ ବିଜେପି ଏବଂ କଂଗ୍ରେସ ମାତ୍ର ୪ଟି ଲେଖାଏଁ ଆସନ ପାଇଥିଲେ । ଆଉ ଗୋଟିଏ ଆସନରେ ସିପିଏମ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଏହିସବୁ ଆସନରେ ବିଜେଡି ନିଶ୍ଚିତ ବିଜୟ ଲକ୍ଷ୍ୟରେ ରହିଛି । ସେପଟେ ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ଅଧିକ ଆକ୍ରମକ ଦେଖାଯାଉଥିବା ବିଜେପି ନୂଆ ରଣନୀତି ଏବଂ ନୂଆ ଚେହେରା ସହ ବିଜେଡିକୁ ମାତ୍ ଦେବା ପ୍ରୟାସରେ ରହିଛି । ଏଥର ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ଆରପାରର ଲଢେଇ ହେଉଥିବା ବେଳେ ଏହି ୩୫ ଆସନରେ ବିଜେଡିର ବିଜୟଧାରା ବିଜୟ ରହୁଛି ନା ବିଜେପି ପଦ୍ମ ଫୁଟାଇବାରେ ସଫଳ ହେଉଛି ତା' ଉପରେ ସଭିଁଙ୍କ ନଜର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.