ETV Bharat / state

ଟ୍ରକକୁ ପିଟିଲା କାର୍: ୨ ମୃତ, ରାଜଧାନୀରେ ୧୦ ଦିନରେ ଗଲାଣି ୬ ମୁଣ୍ଡ

author img

By ETV Bharat Odisha Team

Published : Dec 2, 2023, 10:54 AM IST

Updated : Dec 2, 2023, 12:53 PM IST

Road Accident In Pahala: ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ସହ କାର୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଶୂନ୍ୟ ମୃତ୍ୟୁ ସପ୍ତାହ । ହେଲେ ଘଟୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଦୁର୍ଘଟଣା । ରାଜଧାନୀରେ ଥମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଭୁବନେଶ୍ବରରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପଛରୁ କାର୍ ଧକ୍କା ଦେବାରୁ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି । ପାହାଳ ମିଠା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସୁଶୀଲ କର ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି ।

ଯାହା ସୂଚନା ମିଳିଛି, ସୁଶୀଲ କରଙ୍କ ଘର ଭଦ୍ରକରେ ହେଲେ ସେ ହଂସପାଳରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେ କଟକରୁ ଦୁଇ ଜଣଙ୍କୁ ନେଇ କାରରେ ଭୁବନେଶ୍ବର ଫେରୁଥିଲେ । ପାହାଳ ମିଠା ବଜାର ନିକଟରେ ଦ୍ରୁତଗତିରେ ଆସୁଥିବା ତାଙ୍କର କାର୍ ଭାରସାମ୍ୟ ହରାଇ ସେଠାରେ ଛିଡା ହୋଇଥିବା ଏକ ମିନି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଶୀଲଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ କାର୍‌ଟି ଟ୍ରକ ପଛପଟେ ଫସି ରହିଯାଇଥିଲା । ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ସହ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗାଡ଼ିକୁ କଟର ଜରିଆରେ କାଟିବା ପରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 8 ମୃତ

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଦିନରେ ରାସ୍ତାରେ ଗଡିଲାଣି ୪ ମୁଣ୍ଡ


ମିନି ଟ୍ରକଟି ଛିଡା ହୋଇଥିବା ବେଳେ ପଛପଟୁ କାର ପିଟି ହୋଇଥିବା ଜଣାପଡିଛି । ତେବେ ଟ୍ରକ ଡ୍ରାଇଭର କେମିତି ଏନଏଚ୍ ଉପରେ ଗାଡିକୁ ଛିଡା କରିଥିଲେ । ଏଥିପାଇଁ ସେ ସଠିକ୍ ଭାବେ କିଛି ସଙ୍କେତ ଦେଇଥିଲେ ନା ନାହିଁ, ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଗଲା ସେନେଇ କିଛି ଜଣାପଡିନି । ଏ ଦିଗରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ କ୍ରାସ ଇନଭେଷ୍ଟିଗେସନ ସଠିକ ଭାବେ ହୋଇପାରୁନି‌ । ଫଳରେ ଦୁର୍ଘଟଣାର‌ ବାସ୍ତବ କାରଣ ସାମ୍ନାକୁ ଆସୁନି । ଉପର ଠାଉରିଆ ଭାବେ ଦୁର୍ଘଟଣାର ତଦନ୍ତ ହେଉଛି । ରୋଡ଼ ଇଞ୍ଜନିୟରି ତ୍ରୁଟି ନା ଗାଡିର ମେସିନାରି ଫଲ୍ଟ କିମ୍ବା ଡ୍ରାଇଭର ଅବହେଳା ନା କୁହୁଡି ପାଇଁ ଦୁର୍ଘଟଣା ଘଟୁଛି, ତାହାର ଠିକ୍ ତଦନ୍ତ ନହେବାରୁ ଦୁର୍ଘଟଣାର କାରଣ ଜଣାପଡୁ ନାହିଁ ।

ବର୍ତ୍ତମାନ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫଟାଲିଟି ୱିକ୍ ପାଳନ ଜାରି ରହିଛି । ହେଲେ ଏହାର ପ୍ରଭାବ ପଡିବା ବଦଳରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ୨୯ ତାରିଖରେ ସହିଦ ନଗର‌ ଥାନା ବାଣୀ ବିହାର‌ ଓଭର‌ବ୍ରିଜରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ରସୁଲଗଡ଼ର ଜଣେ ଇଞ୍ଜିନିୟରିଂ ଛାତ୍ର ପ୍ରାଣ ହରାଇଥିଲେ । ଏହାପୂର୍ବରୁ ୨୭ ନଭେମ୍ବରରେ ପାହାଳ ଥାନା ତ୍ରିନାଥ ବଜାର ନିକଟରେ ଏକ ଟ୍ରାକ୍ଟର ଚଢିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ଭାବେ ରାଜଧାନୀରେ ଗତ ୧୦ ଦିନରେ ୬ଟି ମୁଣ୍ଡ ଗଡିଲାଣି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 2, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.