ETV Bharat / state

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଦିନରେ ରାସ୍ତାରେ ଗଡିଲାଣି ୪ ମୁଣ୍ଡ

author img

By ETV Bharat Odisha Team

Published : Nov 29, 2023, 2:07 PM IST

Updated : Nov 29, 2023, 2:27 PM IST

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭୁବନେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟି ଆରୋହୀଙ୍କ ଉପରେ ମିକ୍ସର ମେସିନ ଗାଡି ମାଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର: ଆଜି (ବୁଧବାର) ଭୁବନେଶ୍ବରର ସହିଦ ନଗର ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ମିକ୍ସର ମେସିନ ଗାଡି ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକ ଜଣେ ଇଞ୍ଜନିୟରିଂ ଛାତ୍ର । ହେଲେ ଏଯାବତ୍ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ । ଗାଡିର ନମ୍ବର ପ୍ଲେଟରୁ ଏହା ରସୁଲଗଡର ପ୍ରଦତ୍ତ କୁମାର ଦାସ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ଛାନଭିନ୍ ଚଳାଇଛି ।

ସୂଚନା ମୁତାବକ, ଆଜି ସକାଳ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ ଛାତ୍ର ଜଣକ ସ୍କୁଟିରେ ରସୁଲଗଡରୁ ବରମୁଣ୍ଡା ଅଭିମୁଖେ ଯାଉଥିଲେ । ଏତିକି ବେଳେ ବାଣୀ ବିହାର ଓଭରବ୍ରିଜ ଆରମ୍ଭରୁ ଏକ ମିକ୍ସର ମେସିନ ତାଙ୍କୁ ଧକ୍କା ଦେଇଥିଲା । ପରେ ଗାଡିଟି ଛାତ୍ରଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଖବର ପାଇ ପୋଲିସ ସେଠାରେ ପହଞ୍ଚିଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ପିଛା କରି ନୟାପଲ୍ଲୀ ପାଖରୁ ଜବତ କରି ଥାନାରେ ଅଟକ ରଖିଛି । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଅଧିକ ସୂଚନା ଦିଆଯାଇନି ।

ଏହା ମଧ୍ୟ ପଢନ୍ତୁ: ଦଶପଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା, ତିନି ଯୁବ ବ୍ୟବସାୟୀ ମୃତ

କିଛି ଦିନ ହେଲା ରାଜଧାନୀରେ ସଡକ ଦୁର୍ଘଟଣା ମାମଲା ବଢ଼ିବାରେ ଲାଗିଛି । ଆଜିର ଦୁର୍ଘଟଣାକୁ ମିଶାଇ ଗତ ୭ ଦିନ ମଧ୍ୟରେ ୪ଟି ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ନଭେମ୍ବର ୨୭ରେ ପାହାଳ ଥାନା ଅଞ୍ଚଳର ତ୍ରିନାଥ ବଜାର ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଠି ଏକ ଟ୍ରାକ୍ଟର ଚଢ଼ିଯିବାରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହି ପାହାଳ ଥାନା ଅଞ୍ଚଳରେ ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଏକ ବାଇକ ଆରୋହୀ ଓ ସ୍କୁଟି ଚାଳକଙ୍କ ମଧ୍ୟରେ ଧକ୍କା ହେବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ନଭେମ୍ବର ୨୧ ତାରିଖରେ ନୟାପଲ୍ଲୀ ଥାନା ସିଆରପି ଓଭର ବ୍ରିଜ ଉପରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।

ଏହିସବୁ ଦୁର୍ଘଟଣାରେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବାରମ୍ବାର ରାଜଧାନୀ ଅଞ୍ଚଳରେ ଦୁର୍ଘଟଣା ଘଟୁଛି, ହେଲେ ଅସଲ କାରଣ ଜଣାପଡ଼ିନି । ତେବେ ପୋଲିସର ମାନୁଆଲ ଅନୁସାରେ, ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ କ୍ରାସ ଇନଭେଷ୍ଟିଗେସନ ହେବା ନିହାତି ଜରୁରୀ । ଏନେଇ ପୋଲିସ ଓ ପରିବହନ ବିଭାଗର ଦ୍ବାରା ଅନେକ ଥର ତାଲିମ ଦିଆଯାଇଛି ସତ, ହେଲେ ଏ ଦିଗରେ ନା କ୍ରାସ ଇନଭେଷ୍ଟିଗେସନକୁ ଗୁରୁତ୍ବ ଦିଆଯାଉଛି ନା ଦୁର୍ଘଟଣାର ଅସଲ କାରଣ ସାମ୍ନାକୁ ଆସୁଛି । ଫଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 29, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.