ETV Bharat / state

H3N2 Virus Scare: ସ୍ବାସ୍ଥ୍ୟ ବିଭାଗକୁ ଘାରିଲା ଭୟ, ଥଣ୍ଡା-କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ

author img

By

Published : Mar 13, 2023, 1:56 PM IST

H3N2 Virus Scare
H3N2 Virus Scare

ଇନଫ୍ଲୁଏଞ୍ଜା ଏ-ସବ୍‌ଟାଇପ୍ H3N2 ଭାଇରସ୍ ବ୍ୟାପୁଥିବାରୁ ତତ୍ପରତା ପ୍ରକାଶ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଥଣ୍ଡା, କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ । ଅଧିକ ପଢନ୍ତୁ

H3N2 Virus Scare

ଭୁବନେଶ୍ବର: ଦିନକୁ ଦିନ କାୟା ବିସ୍ତାର କରୁଛି ଏଚ୩ଏନ୨ ଭୂତାଣୁ । ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଜ୍ବର, ଥଣ୍ଡା ଏବଂ କାଶ ଲାଗି ରହିଲେ କୋଭିଡ ପରୀକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଚିନ୍ତା ବଢ଼ାଇଲା ଏଚ୩ଏନ୨ ଭାଇରସ । ଏହି ଭାଇରସ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ ଭୟ । ଥଣ୍ଡା କାଶ ଥିଲେ କୋଭିଡ଼ ଟେଷ୍ଟ କରାନ୍ତୁ । ଏନେଇ ସବୁ ଜିଲ୍ଲାର ସିଡିଏମଓ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇନଫ୍ଲୁଏଞ୍ଜାର ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଜ୍ବର, କାଶ କିଛି ଦିନ ରହିବ । ଏହା ଆପେ ଭଲ ହୋଇପାରେ । କେତେକାଂଶରେ ନିମୋନିଆ ହେବାର ସମ୍ଭାବନା ରହିଛି । କିଡ଼ନୀ, ହାର୍ଟ ଏବଂ ଶ୍ବାସ ଭଳି ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରନ୍ତୁ । ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ । ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହୁଅନ୍ତୁ ।"

ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଥଣ୍ଡା, କାଶ, ଜ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୯ ଜଣ H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି । ଏହି ଭାଇରସ ଦ୍ଵାରା ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଜିଲ୍ଲାର ସିଡିଏମଓ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜାରି କରିଯାଇଥିବା ଚିଠିରେ କୁହାଯାଇଛି, "ଜ୍ବର ଥଣ୍ଡାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ସଂପର୍କରେ ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରାଯିବା ଆବଶ୍ୟକ । ସର୍ଭେଲାନ୍ସ ବଢ଼ାଇବା ସହ ଶ୍ୱାସକ୍ରିୟା ଜନିତ ରୋଗୀଙ୍କୁ ସଚେତନ କରାନ୍ତୁ । ଆବଶ୍ୟକ ପଡ଼ିଲେ ରୋଗୀଙ୍କ ନମୁନା କୋଭିଡ ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଉ । କୋରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟୀକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉ । ହାତ ଧୋଇବା ଓ କୋରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉ । ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖନ୍ତୁ। "

ବର୍ତ୍ତମାନ ସମୟରେ କରୋନା ପରେ ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି। H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.