ETV Bharat / state

ବାତ୍ୟା ଜୱାଦକୁ ପୁରିଲା ବର୍ଷେ : କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Sep 5, 2022, 7:26 PM IST

ବାତ୍ୟା ଜୱାଦକୁ ପୁରିଲା ବର୍ଷେ : କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ
ବାତ୍ୟା ଜୱାଦକୁ ପୁରିଲା ବର୍ଷେ : କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ବାତ୍ୟା ଜୱାଦକୁ ପୂରିଲା ବର୍ଷେ । ତହସିଲକୁ ଟଙ୍କା ଆସିଛି ହେଲେ ଚାଷୀଙ୍କୁ ମିଳିଲାନି କ୍ଷତିପୂରଣ । କ୍ଷତିପୂରଣ ଅର୍ଥ ପାଇବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା : ବାତ୍ୟା ଜୱାଦକୁ ପୁରିଛି ବର୍ଷେ । ସବୁ କିଛି ଉଜାଡି ଦେଇଛି ବାତ୍ୟା ଜୱାଦ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଇଥିଲା l କିନ୍ତୁ ସବୁ ଉଜାଡି ଦେଇଥିଲା ଏହି ଜୱାଦ । ଜୱାଦ ସିନା ଚାଲିଗଲା ହେଲେ କ୍ଷୟକ୍ଷତିରେ ଉବୁଟୁବୁ ହେଉଥିବା ଚାଷୀଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ । ଯେଉଁଥିପାଇଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଚାଷୀ ।

ବାତ୍ୟା ଜୱାଦକୁ ପୁରିଲା ବର୍ଷେ : କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ଧାନ ଅମଳ କରିବା ସମୟରେ ଧାନ ବିଲର ଅବସ୍ଥା ଦେଖି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଥିଲା ଚଷା ପୁଅର । ଇତି ମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି । ସରକାର ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଚାଷୀ ଏହି କ୍ଷତିପୂରଣ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଭାଙ୍ଗି ପଡ଼ିଛି ଚାଷୀ । ଏହାର ପ୍ରତିବାଦ କରି ଶୀଘ୍ର କ୍ଷତିପୂରଣ ଅର୍ଥ ପାଇବା ଦାବିରେ ଆଜି ଶତାଧିକ ଚାଷୀ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଗତ ଚାରିମାସ ହେବ ତହସିଲ ଆକାଉଣ୍ଟକୁ ଜୱାଦ କ୍ଷତିପୂରଣ ବାବଦକୁ ୮ କୋଟି ୩୮ ଲକ୍ଷ ଟଙ୍କା ଆସିଛି । ହେଲେ ଏହାକୁ କିଛି ତହସିଲ କର୍ମଚାରୀ ଅଟକାଇ ରଖିଥିବା ଅଭିଯୋଗ କରିଛନ୍ତି । ସରକାର ପ୍ରଦାନ କରିଥିବା ଏହି ଅର୍ଥ ଓ ଏହାର ସୁଧମୂଳ ହିସାବ କରି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଅଡ଼ି ବସିଥିଲେ । ଖବରପାଇ ବୋଲଗଡ଼ ଥାନା ଅଧିକାରୀ ଓ ତହସିଲଦାର ଚାଷୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏହି ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ନୂଆ କରି ଦାୟିତ୍ୱ ନେଇଥିବା ତହସିଲଦାର କହିଛନ୍ତି ।

ସେପଟେ ଚାଷୀ କିନ୍ତୁ ନାରାଜ । ତାଙ୍କ କହିବା କଥା ଆମକୁ ଆଜି କ୍ଷତିପୂରଣ ରାଶି ଦିଆଯାଉ । ଯଦି ଆଜି ଏହି କ୍ଷତିପୂରଣ ଦିଆନଯାଏ ତାହାଲେ ତହସିଲଦାର ଜୋରିମାନା ଦେବାକୁ ବାଧ୍ୟ ହୋଇଯିବେ । ଯାହା ଆମର ପ୍ରାପ୍ୟ ତାହାକୁ ଦିଆଯାଉ । ଏହି ଜୱାଦରେ ଚାଷୀଙ୍କର ବହୁ କ୍ଷତି ହୋଇଛି । ଏପରିକି ଏବେ ଘରେ ଚୁଲି ଜଳାଇବାକୁ ଟଙ୍କା ଟିଏ ବି ନାହିଁ । ତେଣୁ ତହସିଲାଦାର ତୁରନ୍ତ ଆମ କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ । ଧାର କରଜ କରି ଚଳୁଥିଲୁ । ହେଲେ ଏବେ ଆଉ ସେତିକ ବି ମିଳୁନି । ତେଣୁ ଚାଷୀଙ୍କ ପାଇଁ ଆସିଥିବା ଅର୍ଥକୁ ତୁରନ୍ତ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦାେଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.