ETV Bharat / state

Odisha Assembly: ରାଜ୍ୟର 11,710 ସ୍କୁଲ ଅନ୍ଧାରରେ: ମୋହନ ମାଝୀ

author img

By

Published : Mar 24, 2023, 4:57 PM IST

Etv Bharat
Etv Bharat

ବିଧାନସଭାରେ ବିରୋଧୀ ଦଳ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଶୀର୍ଷକ ‘ସ୍କୁଲ ରୂପାନ୍ତରିକରଣ ୫ଟି ନାଁରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ’ ଅଣାଯାଇଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍କୁଲ ରୂପାନ୍ତରଣ ନାଁ ରେ ରଙ୍ଗ ବୋଳା କାମ ଚାଲିଛି । ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ (ସବୁଜ ରଙ୍ଗ) ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ। ରଙ୍ଗ ଏକ ଭାବନାର ପ୍ରତୀକ। କିନ୍ତୁ 5ଟି ନାମରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିଯାଉଛି । 5ଟି ଭଲି ଉଦ୍ଦଭଟ ଚିନ୍ତାଧାରା କିଏ ଦେଲା? ରାଜ୍ୟର 11 ହଜାର 710 ସ୍କୁଲ ଅନ୍ଧାରରେ ଅଛି। ଏଥିପାଇଁ ଦାୟୀ କିଏ? ଦଳ ପକ୍ଷରୁ ଅଣାଯାଇଥିବା ମୁଲତବୀ ନୋଟିସ ଆଲୋଚନାରେ ଭାଗନେଇ ଏଭଳି ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଆଜି ବିଧାନସଭାରେ ବିରୋଧୀ ଦଳ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଶୀର୍ଷକ ‘ସ୍କୁଲ ରୂପାନ୍ତରିକରଣ ୫ଟି ନାଁରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ’ ଅଣାଯାଇଥିଲା । ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ‘‘ସ୍କୁଲ ରୂପାନ୍ତରଣ ନାଁରେ ରଙ୍ଗ ବୋଳା କାମ ଚାଲିଛି । ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ । ରଙ୍ଗ ଏକ ଭାବନାର ପ୍ରତୀକ। କିନ୍ତୁ 5ଟି ନାମରେ ଶିକ୍ଷା ବବ୍ୟସ୍ଥ ସମ୍ପୂର୍ଣ୍ଣ ଭୁଶୁଡିଯାଉଛି । 5ଟି ଭଲି ଉଦ୍ଦଭଟ ଚିନ୍ତାଧାରା କିଏ ଦେଲା ? ରାଜ୍ୟର 11 ହଜାର 710 ସ୍କୁଲ ଅନ୍ଧାରରେ ଅଛି । ଏଥିପାଇଁ ଦାୟୀ କିଏ?’’ ମୋହନ ମାଝୀ ଅଭିଯୋଗ କରି କହିଛନ୍ତି 11665 ଟି ସ୍କୁଲରେ ଖେଳ ପଡିଆ ନାହିଁ। 6781 ଟି ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନାହିଁ। 27 319 ଟି ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହରେ କ୍ଲାସ ଚାଲିଛି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ପଦବୀ ଆବଶ୍ୟକତା ଅଛି। 2021-22ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ସ୍ତରରେ ଡ୍ରାପ ଆଉଟ ହାର 27.26 ପ୍ରତିଶତ ରହିଛି । ଯାହା ସମଗ୍ର ଦେଶରେ ସର୍ବାଧିକ ।

ଏହାବି ପଢନ୍ତୁ- ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

ସେହିପରି ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ହୋଇନି ସେ ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ଅସମ୍ଭବ। ଦାରିଦ୍ର୍ୟ ଦୂରୀକରଣ ମଧ୍ୟ ଶିକ୍ଷା ବିକାଶ ବିନା ହୋଇପାରିବ ନାହିଁ। ଏକ କଥା ଦେଶ ନୁହେଁ ବିଶ୍ୱରେ ମଧ୍ୟ ପ୍ରମାଣିତ ହୋଇଛି । ଯାହାର ଜ୍ଵଳନ୍ତ ଉଦାହରଣ ଚୀନ । ଚୀନରେ ଶିକ୍ଷାର ବିକାଶ ପରେ ଆଜି ବିକଶିତ ରାଷ୍ଟ୍ର ମଧ୍ୟରେ ଆମେରିକା ପରେ ଦ୍ଵିତୀୟ ସ୍ଥାନରେ ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା ଦେଶ ତଥା ରାଜ୍ୟରେ ଶିକ୍ଷାର ବିକାଶ ହେଇପାରିନାହିଁ। 23 ବର୍ଷର ସ୍ଥିର ସରକାର ସତ୍ତ୍ୱେ ଶିକ୍ଷାକୁ ଯେତିକି ଗୁରୁତ୍ୱ ଦେବା କଥା ତାହା ହୋଇ ନାହିଁ। ଉଚ୍ଚ ମାନର ଶିକ୍ଷକ ଅର୍ଥାତ ଭଲ ଶିକ୍ଷକ, ଭଲ ଶିକ୍ଷକ ଅର୍ଥ ଭଲ ଦରମା । ଏ କଥାକୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ କେତେ ସଂଖ୍ୟାରେ ବର୍ଗୀକରଣ କରିଛନ୍ତି ତାହା ଜଣାପଡୁନାହିଁ। ଦରମାର ତାରତମ୍ୟ ହେତୁ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ତେଜୁଛି। ସ୍କୁଲ ପାଠ ପଢ଼ା ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । କଥାରେ 5ଟି ଯୋଜନା ଶୁଣିବାକୁ ଭଲ ଲାଗୁଛି। କିନ୍ତୁ କାମରେ ନୁହେଁ। ବିଜେପି ପକ୍ଷରୁ ଯେଉଁ ମୁଲତବୀ ନୋଟିସ ଦିଆଯାଇଛି ମୁଁ ତାକୁ ସମର୍ଥନ କରୁଛି କିନ୍ତୁ... ସ୍କୁଲରେ ପାକିସ୍ତାନ ପତାକାର ରଙ୍ଗ ବୋଳାଯାଉଥିବା ଶବ୍ଦକୁ ମୁଁ ନିନ୍ଦା କରୁଛି। ବିଜେପି ଏହି ରଙ୍ଗକୁ ଶାସକ ଦଳର ରଙ୍ଗ ସହ ମିଶୁଥିବା କହିପାରିଥାନ୍ତେ କିମ୍ବା ସବୁଜ ରଙ୍ଗ କହିପାରିଥାନ୍ତେ । ଏହି ରଙ୍ଗ ଯଦି ନାପସନ୍ଦ ତବେ ସେମାନେ କେନ୍ଦ୍ର ସରକାରଙ୍କୁ କୁହନ୍ତୁ ସେ ଚାହିଁଲେ ସେହି ରଙ୍ଗକୁ ସମ୍ପୂର୍ଣ ଭାବେ ବ୍ୟାନ କରିଦେବେ। ଜାତୀୟ ପତାକାର ରଙ୍ଗକୁ ବ୍ୟାନ କରିଦେଇପାରିବେ । ଆରଏସଏସ କାର୍ଯ୍ୟାଳୟରେ 55 ବର୍ଷ ଧରି ଜାତୀୟ ପତାକା ଉଡି ନଥିଲା । ରାଜ୍ୟ ସରକାର 5 ଟି ନାଁ ରେ ବାହାବା ନନେଇ ଶିକ୍ଷାର ବିକାଶ କରନ୍ତୁ । ପ୍ରି ଏଲିମେଣ୍ଟାରୀ ସ୍କୁଲ ଖୋଲାଯାଉ । ଶିକ୍ଷାର ବ୍ୟବସ୍ଥା ଉଚ୍ଚ ମାନର କରନ୍ତୁ ବୋଲି ନରସିଂହ ଦାବି କରିଛନ୍ତି ।

ଅନ୍ୟପଟେ ମୁଲତବୀ ନୋଟିସ ଆଲୋଚନା ଉପରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ । ସମୀର କହିଛନ୍ତି ଶିକ୍ଷକଙ୍କୁ ଦରମା ବାବଦରେ କେନ୍ଦ୍ର ସରକାର 92 ହଜାର337 ଶିକ୍ଷକ ଙ୍କ ପାଇଁ 1258 କୋଟି ଟଙ୍କା ଦେଉଛନ୍ତି। ଯାହାକି ପ୍ରତି ଶିକ୍ଷକ ପିଛା 11 ହଜାର ଟଙ୍କା ପଡୁଛି । କିନ୍ତୁ ରାଜ୍ୟ ସରକାର ଶିକ୍ଷକଙ୍କୁ ସର୍ବନିମ୍ନ 33 ହଜାର ଟଙ୍କା ଦରମା ଦେଉଛନ୍ତି। 5ଟି ସ୍କୁଲକୁ ତଦାରଖ ପାଇଁ 6 ଟି ଟାସ୍କ ଫୋର୍ସ ଗଠନ କରାଯାଇଛି। ରାଜ୍ୟରେ 2022-23ରେ ଡ୍ରପ ଆଉଟ ହାର 16.4 ପ୍ରତିଶତ ରହିଛି । ଯାହାକି ଅନ୍ୟରାଜ୍ୟ ତୁଳନାରେ କମ । ବିରୋଧୀ ଯେଉଁ ଡ୍ରପ ଆଉଟ କଥା କହୁଛନ୍ତି ତାହା କୋଭିଡ ସମୟର ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.