ETV Bharat / state

ପୁଣି ଚର୍ଚ୍ଚାରେ ଦୂତୀ, ଜାତୀୟ ଗଣମାଧ୍ୟମର କଭର ଷ୍ଟୋରୀରେ ଦୌଡରାଣୀଙ୍କ ପ୍ରେମ କାହାଣୀ

author img

By

Published : May 12, 2023, 8:49 PM IST

ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ
ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ

ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି ଦୂତୀ ଚାନ୍ଦ । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳ କି ପ୍ରେମ ପାଇଁ ନୁହେ ବରଂ ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ସାଜିଛନ୍ତି । ନିଜର ବାନ୍ଧବୀଙ୍କୁ ମଥାରେ ସିନ୍ଦୁର ପିନ୍ଧାଉଥିବା ଫଟୋକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ କିଛି ସମଲିଙ୍ଗୀ ସମ୍ପର୍କ ସମାଜରେ ନିଜର ସ୍ବୀକୃତି ପାଇଁ ସିଧାସଳଖ ମୁହଁ ଖୋଲିଛନ୍ତି । ଏହା ଠିକ୍‌ ଯେ ସମ୍ବିଧାନ ଅନୁସାରେ ସମସ୍ତେ ସମସ୍ତଙ୍କର ମତ ଦେଇପାରିବେ ବା ରଖିପାରିବେ । କିନ୍ତୁ ଏବେବି ସମଲିଙ୍ଗୀ ସମ୍ପର୍କକୁ ଲୋକେ ସମାଲୋଚନା ଓ ନିନ୍ଦା କରିଛନ୍ତି । ଏନେଇ କୋଟରେ ମାମଲା ବିଚାରାଧୀନ ରହିଛି । ଆଉ ଠିକ ସେହି ସମୟରେ ଦୌଡରାଣୀ ଦୂତୀ ଚାନ୍ଦ ନିଜ ବାନ୍ଧବୀଙ୍କୁ ସିନ୍ଦୁର ଦେଉଥିବା ଫଟୋ ଏକ ଜାତୀୟ ଗଣ ମାଧ୍ୟମର କଭର ପେଜରେ ଆସୁଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ଆସିଛନ୍ତି । ଖାଲି ସେତିକି ନୁହେଁ ମାଗାଜିନର ଭିତର ପେଜରେ ଦୂତୀ ତାଙ୍କ ବାନ୍ଧବୀଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ଆଲିଙ୍ଗର ଅନେକ କିଛି ପୋଜ୍‌ର ସେଥିରେ ଫଟୋ ଦେଖିବାକୁ ମିଳିଛି ।

ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ
ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ

ତେବେ ଏହି ସିନ୍ଦୁର ପିନ୍ଧା ଫଟୋକୁ ନେଇ ଦୂତୀ ଚାନ୍ଦ ନିଜ ବାନ୍ଧବୀକୁ ସମାଜର ସବୁ ସମାଲୋଚନା ବାଧାବିଘ୍ନକୁ ଡେଇଁ ବାହା ହେବେ ବୋଲି ନିଶ୍ଚିତ କରିଛନ୍ତି । ହୃଦୟ ଦେଇ ଭଲ ପାଉଥିବା ମଣିଷକୁ ସାତ ଜନମର ସାଥି ହେବାର କଥା ଦେଇଛନ୍ତି । ଆଉ ସେହି ପ୍ରତିଶୃତି ପାଳନଙ୍କୁ ନେଇ ସେ ଖୋଲା କଣ୍ଠରେ ସମଲିଙ୍ଗୀ ବାହାଘର ପାଇଁ ସମସ୍ତଙ୍କ ସାମ୍ନାରେ ବିନା ସଙ୍କୋଚରେ ନିଜର ପ୍ରେମର ସ୍ବୀକୃତି କରିଛନ୍ତି । ଆଉ ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି । ଏଭଳି ହେଲେ ଦୂତୀଙ୍କ ଏହି ସମଲିଙ୍ଗୀ ଭଲପାଇବାକୁ ଏକ ଅଧିକାର ମିଳିବ । ତେଣୁ ସେ ତାଙ୍କ ପ୍ରେମକୁ ସର୍ବ ସମ୍ମୁଖରେ ଆପଣାଇ ପାରିବେ ଆଉ ବିବାହ କରି ଏକ ସୁନ୍ଦର ପରିବାର ପରିକଳ୍ପନାକୁ ସତ କରିବେ ବୋଲି କହିଛନ୍ତି ।

କାରଣ ସେ ପୂର୍ବରୁ ଏହି ସମଲିଙ୍ଗୀ ସମ୍ପର୍କକୁ ନେଇ କହିଥିଲେ ପ୍ରେମ ପାଇଁ ଲିଙ୍ଗ ନୁହେଁ ଦୁଇ ମନ ଦରକାର । ମନ ମିଶିଲେ ହିଁ ପ୍ରେମ ସଫଳ ହୁଏ ଆଉ ସେହି ସଫଳତାକୁ ସାରା ଜୀବନ ସାଉଁଟି ସାଇତି ରଖିବେ ବୋଲି ସେ କହିଛନ୍ତି। ତେଣୁ ସେ ନିଜ ଖେଳକୁ ଯେତିକି ଭଲ ପାଆନ୍ତି ସେତିକି ନିଜ ବାନ୍ଧବୀଙ୍କ ଭଲ ପାଆନ୍ତି ବୋଲି କୁହନ୍ତି। ଯେଉଁଥି ପାଇଁ ସେ ଉଭୟକୁ ସମାନ୍ତରାଳ ଭାବରେ ପ୍ରାଧାନ୍ୟ ଦେଉଥିବାରୁ ସମଲିଙ୍ଗୀ ବିବାହର ସମାଲୋଚନାକୁ ଖାତିର ନକରି ନିଜ ପ୍ରେମକୁ ସାକାର କରିବା ପାଇଁ ଦେଶ ପାଇଁ ଜଣେ ଲୋକପ୍ରିୟ ବ୍ୟକ୍ତି ବିଶେଷ ହୋଇବି ଆଗେଇ ଆସିଛନ୍ତି ।

ଅନ୍ୟପଟେ ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ଏହି ଫଟୋ ଟି ମୋ ପାଇଁ ନିଆରା । ଆମ ସମ୍ପର୍କର ବିରୋଧ ସତ୍ତ୍ୱେ ବି ମୁଁ ତା ମଥାରେ ସିନ୍ଦୁର ଦେଇଛି । ତେଣୁ ଏହା ମୋ ପାଇଁ ସ୍ୱତନ୍ତ୍ର ଓ ନିଆରା । କିନ୍ତୁ କିଛି ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ଲାଗୁଥିବ । କିନ୍ତୁ ଏହି ଫଟୋଟି ଜାତୀୟ ଗଣମାଧ୍ୟମରେ ବାହାରିବା ମୋ ପାଇଁ ସୌଭାଗ୍ୟର କଥା । କାରଣ ଆମର ଏହି ସମ୍ପର୍କକୁ ଅନେକ ବିରୋଧ ଓ ସମାଲୋଚନାର ସାମ୍ନା କରିବାକୁ ପଡିଛି । ଏହରି ଭିତରେ ଏମିତି ବି କିଛି ସମ୍ପର୍କ ଅଛି ଯାହା ମନ ଓ ପ୍ରେମର ସମ୍ପର୍କ ତାକୁ ଲୋକେ ଜାଣିବା ଦରକାର ।" ତେଣୁ ମୋ ପାଇଁ ଏହା ସୌଭାଗ୍ୟର ଫଟୋ ହୋଇଥିବା ବେଳେ ମୁଁ ଖୁସି ବୋଲି କହିଛନ୍ତି ଦୂତୀ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମନ୍ଦିରରେ ବାହା ହୋଇଛି ଖାଲି ସମାଜର ସ୍ୱୀକୃତି ସହ ବାହା ହେବାର ବାକି ରହିଛି । ତେଣୁ ଏଭଳି ସିନ୍ଦୁର ଦେଇ ଉଠେଇଥିବା ଫଟୋରେ ମୋର କିଛି ଅବଶୋଷ ନାହିଁ । ସେଥିପାଇଁ ସମଲିଙ୍ଗୀ ବିବାହକୁ ନେଇ କୋର୍ଟରେ ଯେଉଁ ମାମଲା ଚାଲିଛି ସେଥିରେ ଆମକୁ ସୁହାଇଲା ଭଳି ନିଷ୍ପତି ହେଉ ବୋଲି ଆଶା ରଖିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.