ETV Bharat / state

Onion Price Hike: ପିଆଜ ଦରବୃଦ୍ଧି ନେଇ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ, 10ରୁ କିଷାନ ମହାପଞ୍ଚାୟତ

author img

By ETV Bharat Odisha Team

Published : Nov 1, 2023, 3:22 PM IST

ପିଆଜ ଦରବୃଦ୍ଧି ଓ କୃଷି ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ନଭେମ୍ବର 10ରୁ ପ୍ରତ୍ୟେକ ଜିଲ୍ଲାରେ କିଷାନ ମହାପଞ୍ଚାୟତ ବସିବା ନେଇ ସୂଚନା । ଅଧିକ ପଢନ୍ତୁ

onion price
onion price

ପିଆଜ ଦରବୃଦ୍ଧି ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଆକାଶ ଛୁଆଁ ପିଆଜ ଦର । ବଜାରରେ ପିଆଜ ମୂଲ୍ୟ ଏକ କେଜି ପିଛା 60 ଟପିଲାଣି । ପିଆଜ ଦରଦାମ ବୃଦ୍ଧିକୁ ନେଇ ତେଜିଲାଣି ଅସନ୍ତୋଷ । ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କିଷାନ କଂଗ୍ରେସ । ପିଆଜ ଦରବୃଦ୍ଧିକୁ ବିରୋଧ କରି ନଭେମ୍ବର 10 ତାରିଖରୁ ପ୍ରତ୍ୟେକ ଜିଲ୍ଲାରେ କିଷାନ ମହାପଞ୍ଚାୟତ ବସିବା ନେଇ କହିଛି ଦଳ ।

"ରାଜ୍ୟରେ ପିଆଜ ମିଶନରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ଦରଦାମ ନିୟନ୍ତ୍ରଣ କରିବାରେ ଏ ସ୍ଥାଣୁ ସରକାର ବିଫଳ । ତେଣୁ ଉଭୟ କୃଷିମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ।" ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉପରେ ବର୍ଷିଛି କିଷାନ କଂଗ୍ରେସ । ରାଜ୍ୟ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟରେ ହୁହୁ ହୋଇ ପିଆଜ ଦର ବୃଦ୍ଧି ପାଉଥିବା ବେଳେ ଏହାକୁ ବିରୋଧ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରାଯାଇଛି । ଏଥିସହ ପ୍ରତ୍ୟେକ ଜିଲ୍ଲାରେ ନଭେମ୍ବର 10ରୁ କିଷାନ ମହାପଞ୍ଚାୟତ ବସିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଏହାମଧ୍ୟ ପଢନ୍ତୁ..Kalahandi Foundation Day: ବିକାଶର ସଂଜ୍ଞାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ତେବେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି, "ଆସନ୍ତା ନଭେମ୍ବର 10 ତାରିଖରୁ ପ୍ରତ୍ୟେକ ଜିଲ୍ଲାରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଚାଷୀଙ୍କ ଅସୁବିଧା ନେଇ କିଷାନ କଂଗ୍ରେସ ପ୍ରତ୍ୟେକ ଜୋନରେ ଆରଡିସି କାର୍ଯ୍ୟାଳୟରେ ବିକ୍ଷୋଭ ପଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ପାଇଁ ଚାଷୀ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 23 ବର୍ଷର ସରକାର ବିକାଶ ପରିବର୍ତ୍ତେ ବିନାଶ କରୁଛନ୍ତି ।"

ସେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା ବିଫଳ ହୋଇଥିବା ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କଲେ ନାହିଁ । ରାଜ୍ୟ ସରକାର କାଳିଆ ଯୋଜନା ଆଣିଲେ ହେଲେ ପ୍ରକୃତ ଚାଷୀ ସହାୟତା ନପାଇ ଶାସକ ଦଳର ନେତା ଓ କର୍ମୀ ଏହାର ସୁବିଧା ସୁଯୋଗ ପାଉଛନ୍ତି । ଜଳସେଚନ କଥା କହିଲେ ନସରେ। ରାଜ୍ୟରେ ସରକାର ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଦେଇପାରିଲେ ନାହିଁ । ଖାଉଟି ସାମଗ୍ରୀ ଦର ହୁହୁ ହୋଇ ବଢିଚାଲିଛି । ପିଆଜ ଉତ୍ପାଦନରେ ସରକାର ଫେଲ ମାରିଛନ୍ତି । ଶୀତଳ ଭଣ୍ଡାର ବ୍ୟବସ୍ତା ସ୍ଥାଣୁ ପାଲଟିଛି । ତେଣୁ ଆଗାମୀ ଦିନରେ କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ତୀବ୍ର ପ୍ରତିବାଦ କରିବ।"

ତେବେ ଏହି କିଷାନ କଂଗ୍ରେସ କାର୍ଯ୍ୟାକାରିଣୀ ବୈଠକରେ ବୈଠକରେ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ ଏବଂ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.