ETV Bharat / state

ତେଜୁଛି ଚିରଞ୍ଜୀବ ବିବାଦ; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ପକ୍ଷପାତିତା ନହେବା ଦରକାର କହିଲେ ତାରା

author img

By

Published : May 17, 2023, 10:43 PM IST

ଉଗ୍ର ହେଉଛି କଂଗ୍ରେସର ଅନ୍ତଃକନ୍ଦଳ । ନିକଟରେ ଶୃଙ୍ଖଳା କମିଟି ଜିଲ୍ଲାସ୍ତରୀୟ କିଛି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମଧ୍ୟ ବଡ଼ ବଡ଼ିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାକୁ ନେଇ ସମସ୍ୟା ଛିଡ଼ା ହୋଇଛି । ବୋଧହୁଏ ପିସିସି ସଭାପତି ଡରୁଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ପକ୍ଷପାତିତା ନହେବା ଦରକାର ବୋଲି ତାରା କହିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସରେ ତେଜୁଛି ଚିରଞ୍ଜୀବଙ୍କୁ ବିବାଦ
କଂଗ୍ରେସରେ ତେଜୁଛି ଚିରଞ୍ଜୀବଙ୍କୁ ବିବାଦ

କଂଗ୍ରେସରେ ତେଜୁଛି ଚିରଞ୍ଜୀବଙ୍କୁ ବିବାଦ

ଭୁବନେଶ୍ବର: ଦଳ ବିରୋଧୀ ମନ୍ତବ୍ୟ ପାଇଁ ପିସିସି ସଭାପତି କେତେବେଳେ କାହାପାଇଁ କଠୋର ହେଉଛନ୍ତି ତ ଆଉ କେତେବେଳେ କାହା ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି । ନିକଟରେ ଚିରଞ୍ଜୀବି ବିଶ୍ବାଳ ଏକ କାର୍ଯ୍ୟକ୍ରମରେ ଦଳ ବିରୋଧୀ ମନ୍ତବ୍ୟ ଖୋଲାଖୋଲି ଦେଲେ ମଧ୍ୟ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଯାଇନାହିଁ । କିନ୍ତୁ ପୂର୍ବରୁ କଂଗ୍ରେସ ଦଳରେ ନଜିର ରହିଛି, ଯେତେବେଳେ କୌଣସି ନେତା ଦଳ ବିରୋଧୀ କଥା କହିଛନ୍ତି, ସେମାନଙ୍କ ପାଖକୁ ସଙ୍ଗେସଙ୍ଗେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନିକଟରେ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ ପଠାଯାଇଥିଲା । କେବଳ ସେତିକି ନୁହେଁ, ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ମଧ୍ୟ ଶୃଙ୍ଖଳା ଭାଙ୍ଗିବା ଅଭିଯୋଗରେ ନୋଟିସ ଜାରି କରିଥିଲା AICC । ତେବେ ଚିରଞ୍ଜୀବଙ୍କ କ୍ଷେତ୍ରରେ କାହିଁକି ବିଳମ୍ବ ହେଉଛି, ଏନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ହୁଏତ ଟାଣୁଆ ନେତାଙ୍କୁ ବିରୋଧ କରିବାକୁ ପିସିସି ସଭାପତିଙ୍କର ସାହସ ଜୁଟୁନି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଗତକାଲି କଂଗ୍ରେସ ଦଳର ଶୃଙ୍ଖଳା କମଟି ବୈଠକ ବସିଥିଲା । ଏଥିରେ ରାଉରକେଲାର ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତିଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ନିଲମ୍ବନ କରାଗଲା । କିନ୍ତୁ କଂଗ୍ରେସ ପୁରୁଣା ନେତା ଚିରଞ୍ଜୀବ ବିଶ୍ବାଳ କିଛିଦିନ ତଳେ ଖୋଲାଖୋଲି ଦଳ ବିରୋଧରେ ବହୁ ମନ୍ତବ୍ୟ ଦେଇଥିଲେ । ହେଲେ ତାଙ୍କ ବିରୋଧରେ ପିସିସି ସଭାପତି କିଛି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବୋଧହୁଏ ପିସିସି ଚିରଞ୍ଜୀବିଙ୍କୁ ଡରୁଛନ୍ତି । ଏହାପୂର୍ବରୁ ମୁଁ ଭୁଲ କରିଥିବାରୁ ମତେ ୨ ଥର କାରଣ ଦର୍ଶାଅ ନୋଟିସ ମଗା ଯାଇଥିଲା । ହେଲେ କିଛି ନେତାଙ୍କୁ କିଛି ନୋଟିସ ପଠାଯାଉନାହିଁ । ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ଚିରଞ୍ଜୀବ ଦଳ ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରଭାବ ଝାରସୁଗୁଡା ଉପନିର୍ବାଚନରେ ମଧ୍ୟ ପଡିଥିଲା ।" ବାରମ୍ବାର ଏଭଳି କାର୍ଯ୍ୟକ୍ରମ ଏବଂ ମନ୍ତବ୍ୟ ଯୋଗୁଁ କଂଗ୍ରେସ କ୍ଷତି ସହିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।

ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଦଳରେ ଶୃଙ୍ଖଳାକୁ ବେଖାତିର କରୁଛନ୍ତି ସମସ୍ତେ । ଦଳରେ ଛୋଟ ଠାରୁ ବଡ଼ ସମସ୍ତେ ସମାନ । ଦଳ ଭିତରେ ପକ୍ଷପାତିତା ନହେବା ଦରକାର । ସମସ୍ତଙ୍କୁ ଶୃଙ୍ଖଳା ରକ୍ଷା କରିବା ଉଚିତ । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଓ ସମସ୍ତଙ୍କୁ ଏକାଠି ମଧ୍ୟ କରିବା ଦରକାର । ଏନେଇ ମୁଁ ଦଳର ଶୀର୍ଷ ନେତୃତ୍ବଙ୍କ ସହ କଥାହେବି । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେ ଓ କେସି ବେଣୁଗୋପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛି ।" ତେବେ କିଛିଦିନ ହେବ କଂଗ୍ରେସରେ ଅନ୍ତଃକନ୍ଦଳ ଉଗ୍ର ହେଉଛି । ଯଦିଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ଏପରିକି ନିଲମ୍ବନ ମଧ୍ୟ କରାଯାଇଛି, ହେଲେ ବଡ଼ ବଡ଼ିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଦଳ ଭିତରେ ଏକ ବଡ଼ ସମସ୍ୟା ଦେଖା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.