ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶା ରାଜନୀତି; ବିଜେଡି ନେତା ସରକାରୀ ଯୋଜନାର ସଂଯୋଜକ ହେବା ନିନ୍ଦନୀୟ କହିଲା କଂଗ୍ରେସ

author img

By ETV Bharat Odisha Team

Published : Dec 10, 2023, 5:48 PM IST

Congress Criticized Odisha Govt: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସଂଯୋଜକ ଭାବେ ଶାସକ ବିଜୁ ଜନତା ଦଳର ୧୬ ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯିବାକୁ ନିନ୍ଦା କରିଛି କଂଗ୍ରେସ । ସରକାରୀ ଯୋଜନା ଆଳରେ ସରକାରୀ ଅର୍ଥ ଦଳ ପାଇଁ ଖର୍ଚ୍ଚ କରିବାକୁ ଏହା ଏକ ଯୋଜନା ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଆମ ଓଡ଼ିଶା ନବୀନ ଓଡ଼ିଶା ରାଜନୀତି
ଆମ ଓଡ଼ିଶା ନବୀନ ଓଡ଼ିଶା ରାଜନୀତି

ଆମ ଓଡ଼ିଶା ନବୀନ ଓଡ଼ିଶା ରାଜନୀତି

ଭୁବନେଶ୍ବର: 'ଆମ ଓଡ଼ିଶା ନବୀନ ଓଡିଶା'କୁ ତୃଣମୂଳସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ସଂଯୋଜକମାନଙ୍କ ଏକ ଟିମ ଗଠନ କରିଛନ୍ତି । ଏହି ଟିମରେ ସଂଯୋଜକ ଭାବେ ଶାସକ ବିଜୁ ଜନତା ଦଳର ୧୬ ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଦଳର ନେତାମାନଙ୍କୁ ନିଯୁକ୍ତ କରିବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରିଛି । ଲୋକଙ୍କ ସୁବିଧା ପାଇଁ ଯୋଜନାରେ ସରକାରୀ ସ୍ତରରେ ଅଧିକାରୀ ଥାଉ ଥାଉ ଦଳୀୟ ନେତା ମାନଙ୍କୁ ନିଯୁକ୍ତି ଦେବା ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା ଲୋକଙ୍କ ସ୍ବାର୍ଥ ପାଇଁ ହୋଇଥିବାବେଳେ ସରକାରୀ ଖର୍ଚ୍ଚରେ କାହିଁକି ବିଜେଡି ସଂଯୋଜକ ନିଯୁକ୍ତ ହେବେ ବୋଲି ପ୍ରଶ୍ନ କରିଛନ୍ତି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କାହିଁକି କଂଗ୍ରେସ କି କମ୍ୟୁନିଷ୍ଟ ଦଳରୁ ନିଯୁକ୍ତ ହେବେ ନାହିଁ ବୋଲି ସେ ପଚାରିଛନ୍ତି । ସେ କହିଛନ୍ତି, "ଏ ହେଉଛି ସରକାରୀ ଟଙ୍କା କିଭଳି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯିବ ତାର ସୁଚିନ୍ତିତ ଉପାୟ । ଏ ବିଷୟରେ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟମାନେ ମନରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଘଟଣାରେ ସେମାନେ ହାଇକୋର୍ଟ ମଧ୍ୟ ଯାଇଥିଲେ । ଉଚ୍ଚ ନ୍ୟାୟାଳୟ ମଧ୍ୟ ସମ୍ବିଧାନ ଅନୁସାରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୁରୁତ୍ବ ଦିଆଯିବା କଥା କହିଥିଲେ । ହେଲେ ଏଠି ସେ ବ୍ୟବସ୍ଥା ନାହିଁ । ବର୍ତ୍ତମାନ ବିଜେଡି ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ଏଠି ବିଜେଡି ସଂଯୋଜକ ମାନଙ୍କ କାମ କଣ ? ସରକାର ଏହି ଯୋଜନା ବିଜେଡି ଦଳର କାର୍ଯ୍ୟରେ ଲଗାଇବା ପାଇଁ କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ।"

ଏହା ମଧ୍ୟ ପଢ଼ନ୍ତୁ...ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୯ ସଂଯୋଜକ ନିଯୁକ୍ତ

ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସରକାରୀସ୍ତରରେ ପ୍ରଚାର କରାଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ୧୬ ଜଣିଆ ସଂଯୋଜକ ଟିମ୍‌ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୧୬ ଜଣ ହେଉଛନ୍ତି ବିଭିନ୍ନ ଜିଲ୍ଲାର ବିଜେଡି ନେତା । ଏହାକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରୁଥିବାବେଳେ ଏହାର ସମର୍ଥନରେ ବାହାରିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, "ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସଂଯୋଜକ ନିଯୁକ୍ତି କେବଳ ଯୋଜନାର ସଫଳ ରୂପାୟନ ପାଇଁ । କିଏ ପ୍ରାର୍ଥୀ ହବ ନହେବ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ଲୋକଙ୍କ ସୁବିଧା ପାଇଁ ଏ ଯୋଜନା କରାଯାଇଛି । ଲୋକେ ଏହାର ସୁଫଳ ପାଇପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.