ETV Bharat / state

ଜୀବନ୍ତ ଠାକୁରଙ୍କୁ ଦର୍ଶନ ପାଇଁ ବାଧକ ସାଜିଛି ଚଉଡା ରାସ୍ତା; ପ୍ରତିଶ୍ରୁତି ପାଣିର ଗାର, ସେବାୟତ ଅସନ୍ତୁଷ୍ଟ

author img

By ETV Bharat Odisha Team

Published : Dec 27, 2023, 7:05 PM IST

Communication Problem to Kapilanath Temple: ମନ୍ଦିରକୁ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ରାସ୍ତା ନଥିବାରୁ ଭକ୍ତମାନେ ସହଜରେ ଆସିପାରୁନାହାନ୍ତି । ସେପଟେ ସେବାୟତମାନେ ମଧ୍ୟ ସମସ୍ୟା ଘେରରେ ଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

road problem
ରାସ୍ତା ସମସ୍ୟା

ରାସ୍ତା ସମସ୍ୟା

ଭୁବନେଶ୍ବର: ଠାକୁରଙ୍କୁ ଦର୍ଶନ ପାଇଁ ବାଧକ ସାଜିଛି ଚଉଡା ରାସ୍ତା । ପ୍ରତ୍ୟକ୍ଷ ଠାକୁର କୁହାଯାଉଥିବା ବାବା କପିଳନାଥଙ୍କ ମନ୍ଦିର ପୁରୁଣା ଭୁବନେଶ୍ବରର କପିଳେଶ୍ବର ଅଞ୍ଚଳରେ ରହିଛି । ହେଲେ ମନ୍ଦିରକୁ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ରାସ୍ତା ନଥିବାରୁ ଭକ୍ତମାନେ ଏଠାକୁ ସହଜରେ ଆସିପାରୁନାହାନ୍ତି । ଏପରିକି ତୀର୍ଥ ଯାତ୍ରୀ ବସ ଆସିପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏଠାକାର ସେବାୟତ । କେବଳ ସେତିକି ନୁହେଁ, ଏଠାକାର ସେବାୟତମାନେ ଦିନ ରାତି ସେବା କରୁଥିଲେ ମଧ୍ୟ ପାଉଣା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।

ସେବାୟତମାନେ ଅଭିଯୋଗ କରି କହିଛନ୍ତି, "କୌଣସି ପାଉଣା ମିଳୁନଥିବାରୁ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଛି । ଏଠାକାର ସେବାୟତମାନେ ପ୍ରାୟତଃ ମନ୍ଦିର ଜମିରେ ବସବାସ କରୁଛନ୍ତି । ହେଲେ କାହାରିକୁ ଜମି ପଟ୍ଟା ମଧ୍ୟ ମିଳିନାହିଁ ।" ବିଶ୍ବାସର ଠାକୁର କପିଳନାଥଙ୍କ ନିକଟରେ ଭକ୍ତମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପାଇଁ ଆସନ୍ତି । ଏହି ସେବାୟତମାନେ ସେମାନଙ୍କୁ ବାବା କପିଳନାଥଙ୍କ ଦର୍ଶନ କରାଇଥାନ୍ତି । ବିଶେଷ କରି ମଲିଆ ସେବାୟତମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସେବା କରୁଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରାପ୍ୟ ମିଳୁନଥିବା କହିଛନ୍ତି। ବଂଶାନୁକ୍ରମିକ ଭାବେ ଏହି ପୂଜା ସେମାନେ କାହିଁ କେଉଁ କାଳରୁ କରିଆସିଛନ୍ତି । ହେଲେ ସେମାନଙ୍କ ଦୁଃଖ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ନୂଆ ପୋଲ ନିର୍ମାଣ ପାଇଁ ଭଙ୍ଗା ଗଲା ପୁରୁଣା ପୋଲ, ଦୀର୍ଘଦିନ ବିତିଗଲା ପରେ ବି ଆରମ୍ଭ ହୋଇନି କାମ


ମନ୍ଦିରର ପରିବେଶ ସହ ପୁଷ୍କରିଣୀର ଜଳ ରାଶି ଭକ୍ତମାନଙ୍କୁ ଆକୃଷ୍ଟ କରେ । ବିଶେଷ କରି କପିଳନାଥ ନିଶ୍ବାସ ପ୍ରଶ୍ବାସ ନେଉଥିବା ନେଇ ବିଶ୍ବାସ ରହିଛି । ହେଲେ ଚଉଡା ରାସ୍ତାର ଅଭାବ ଏବଂ ଏକାମ୍ର ପ୍ରକଳ୍ପରେ ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ସାମିଲ ନହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବାବା କପିଳନାଥଙ୍କ ନିକଟକୁ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଛି। ହେଲେ ରାସ୍ତା ନିର୍ମାଣ ପାଇଁ ମିଳିଥିବା ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଛି ।

2014 ମସିହାରେ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲେ ମଧ୍ୟ ଏଯାଏଁ ରାସ୍ତା ନିର୍ମାଣ କାମ ହୋଇନାହିଁ । ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, "ନିକଟରେ ଆନ୍ଦୋଳନ କରିଥିଲୁ । ରାଜ୍ୟ ସରକାର ଏଡିଏମଙ୍କ ମାଧ୍ୟମରେ କହିଛନ୍ତି ଟେଣ୍ଡର ପ୍ରକ୍ରିୟା ସରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ରାସ୍ତା କାମର ଦେଖାଦର୍ଶନ ନାହିଁ । ପ୍ରତିଶ୍ରୁତି ପାଣିରେ ଗାର ସଦୃଶ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.