ETV Bharat / state

ନୂଆ ପୋଲ ନିର୍ମାଣ ପାଇଁ ଭଙ୍ଗା ଗଲା ପୁରୁଣା ପୋଲ, ଦୀର୍ଘଦିନ ବିତିଗଲା ପରେ ବି ଆରମ୍ଭ ହୋଇନି କାମ

author img

By ETV Bharat Odisha Team

Published : Dec 26, 2023, 7:43 PM IST

Demands For Completion Of Bridge Construction
Demands For Completion Of Bridge Construction

Local Peoples Demand For Completion Of Bridge Construction In Gajapati: ନୂତନ ପୋଲ ନିର୍ମାଣ ପାଇଁ ପୁରୁଣା ପୋଲକୁ ଭାଙ୍ଗି ଦିଆଯିବା ସହ ଖୋଳି ଦିଆଯାଇଛି । ହେଲେ ଦିନପରେ ଦିନ ବିତିଗଲା ପରେ ମଧ୍ୟ ଆରମ୍ଭ ହୋଇପାରୁନି ନିିର୍ମାଣ କାମ । ଅଧିକ ପଢନ୍ତୁ

Demands For Completion Of Bridge Construction

ଗଜପତି: ନୂତନ ପୋଲ ନିର୍ମାଣ ପାଇଁ ପୁରୁଣା ପୋଲକୁ ଭାଙ୍ଗି ଦିଆଯିବା ସହ ଖୋଳି ଦିଆଯାଇଛି । ହେଲେ ୭ ମାସ ପରେ ବି ପୋଲ ନିର୍ମାଣ ହେବା ଦୂରର କଥା କାମ ମଧ୍ୟ ଆରମ୍ଭ ହୋଇପାରୁନି । ସ୍ଥାନୀୟ ଲୋକଙ୍କ ଦାବି ପରେ ଯାତାୟତର ସୁବିଧା ପାଇଁ ହୋଇଥିବା ଅସ୍ଥାୟୀ ପୋଲ ବି ଭାସି ଯାଇଛି । ତେବେ ଏଭଳି ଅଭାବନୀୟ ଘଟଣା ଯୋଗୁଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ 3ଟି ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଡାଳିମ୍ବପୁର, ଅମରା, ରାଟିଣି ଆଦି ଗାଁର ଲୋକେ ସେମାନଙ୍କ ଦୈନନ୍ଦିନ କାମ ପାଇଁ ପାରଳାଖେମୁଣ୍ଡି ସହର ଉପରେ ନିର୍ଭରଶୀଳ । ସକାଳ ପାଇଲେ ପେଟପାଟଣା ପାଇଁ ଏହି ଗାଁର ଲୋକେ ପାରଳାଖେମୁଣ୍ଡି ଆସିବାକୁ ଏକ ପ୍ରକାର ବାଧ୍ୟ । ଏଭଳି ସ୍ଥିତିରେ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଡାଳିମ୍ବପୁର ନିକଟରେ ରହିଥିବା ଏକ ପୁରୁଣା ପୋଲ ବିପଦ ସଙ୍କୁଳ ହୋଇପଡିଥିଲା । ଏହାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନୂତନ ପୋଲ ନିର୍ମାଣ କରିବା ଆଳରେ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା । ଗତ ମେ ମାସରେ ଏହି ପୋଲ ଭାଙ୍ଗିବା ସମୟରେ ସ୍ଥାନୀୟ ଲୋକେ ବର୍ଷା ଦିନରେ ଯାତାୟତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଏହାକୁ ପ୍ରବଳ ବିରୋଧ କରିଥିଲେ । କିନ୍ତୁ ଅତିଶୀଘ୍ର ଏହା ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ହେଲେ ଏହା ମଧ୍ୟରେ 7 ମାସ ବିତିଗଲାଣି । କିନ୍ତ ଏହି ନିର୍ମାଣ କାର୍ଯ୍ୟ ସରିବା ତ ଦୂରର କଥା କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.......ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ୩ଟି ଗାଁର ୩ହଜାର ଲୋକେ ଓଡ଼ିଶାରୁ ବିଚ୍ଛିନ୍ନ

ସେପଟେ ବର୍ଷା ଦିନରେ ସ୍ଥାନୀୟ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିବା ଭଳି ପରିସ୍ଥିତି ଉପୁଜିବାରୁ ଏହାର ସମାଧାନ ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ପୋଲ ମଧ୍ୟ ପ୍ରବଳ ବର୍ଷା ପ୍ରଭାବରେ ଭାସି ଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି । ପାରଳାଖେମୁଣ୍ଡି ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୩କିମି ଦୂରରେ ଥିବା ଏହି ସ୍ଥାନରେ ପୋଲ ନିର୍ମାଣ ହେଉନଥିବା ବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାସହ ଯଥାଶୀଘ୍ର ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ସେପଟେ ଅତିଶୀଘ୍ର ଏହି ପୋଲ ନିର୍ମାଣ କାମ କରା ନଗଲେ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ମଧ୍ଯ ଚେତାବନୀ ଦେଇଛନ୍ତି । ସେପଟେ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ସାହୁ ଏବେ ବି ଏକ ନାଳରେ ପାଣି ପ୍ରବାହିତ ହେଉଛି ବୋଲି କହିବା ସହ ପାଣି ସାମାନ୍ୟ କମିଲେ ପୋଲ ନିର୍ମାଣ କାମ କରାଯିବ ବୋଲି କହି ନିଜର ଦାୟିତ୍ବ ସାରି ଦେଇଛନ୍ତି । ତେବେ କେବେ ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେଉଛି ଓ ସ୍ଥାନୀୟ ଅଞ୍ଚଳବାସୀ କେବେ ଯାତାୟତ ସମସ୍ୟାରୁ ମୁକ୍ତି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.