ETV Bharat / state

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ୩ଟି ଗାଁର ୩ହଜାର ଲୋକେ ଓଡ଼ିଶାରୁ ବିଚ୍ଛିନ୍ନ

author img

By

Published : Jul 19, 2023, 7:34 PM IST

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଓଡ଼ିଶା ଓ ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ପୋଲ ଭାଙ୍ଗି ଯିବାରୁ ୩ଟି ଗାଁର ୩ହଜାର ଲୋକେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି । ଅଧିକ ପଢ଼ନ୍ତି

heavy rainfall in gajapati
ଲଗାଣ ବର୍ଷାରେ ଗଜପତିରେ ଧୋଇଗଲା ରାସ୍ତା

ଲଗାଣ ବର୍ଷାରେ ଗଜପତିରେ ଧୋଇଗଲା ରାସ୍ତା

ଗଜପତି: ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲା । ଗତ ତିିନି ଧରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ କେରାଣ୍ଡି ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାସି ଯାଇଛି । ଫଳରେ ଏହି ରାସ୍ତାକୁ ସଂଯୋଗ କରିଥିବା ୩ ଗୋଟି ଗାଁ ଏବେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଛି । ତିନୋଟି ଗାଁ ବିଚ୍ଛିନ୍ନ ହେବା ପରେ 3 ହଜାରୁ ଅଧିକ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି କେରାଣ୍ଡି ଗ୍ରାମପଞ୍ଚାୟତ । ଏହି ପଞ୍ଚାୟତର ଡାଳିମ୍ବପୁର ଗ୍ରାମ ନିକଟରେ ରହିଥିବା ଏକ ବ୍ରିଜ୍‌ ଯାହାକି ଓଡ଼ିଶା-ଆନ୍ଧ୍ର ସୀମାକୁ ସଂଯୋଗ କରୁଥିଲା । ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ଏହି ବ୍ରିଜ ଦେଇ ଯାତାୟାତ କରନ୍ତି । ବ୍ରିଜ ପୁରୁଣା ହୋଇଯାଇଥିବା ଯୋଗୁଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ଦୁଇ ମାସ ତଳେ ନୂତନ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି । ବର୍ଷା ଦିନରେ ଗ୍ରାମବାସୀଙ୍କ ଯାତାୟତ ପାଇଁ ପାଖରେ ଏକ ଅସ୍ଥାୟୀ ପୋଲ ମଧ୍ୟ ତିଆରି ହେଲା । ହେଲେ ଲଗାଣ ବର୍ଷା ଯୋଗୁଁ ପାଣି ସୁଅରେ ଅସ୍ଥାୟୀ ପୋଲଟି ମଧ୍ୟ ଭାସି ଯାଇଛି । ଫଳରେ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ଓଡ଼ିଶାର ଅମରା, ରାଟିଣି, ଡାଳିମ୍ୱପୁର ତିନି ଗାଁର ଲୋକେ ଏବେ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛନ୍ତି । ସେମାନଙ୍କୁ ଆନ୍ଧ୍ର ଦେଇ 14 କିଲୋମିଟର ବୁଲିକି ପାରଳାଖେମୁଣ୍ଡି ଆସିବା ପାଇଁ ପଡ଼ୁଛି । ବର୍ଷା ଋତୁ ପୂର୍ବରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଥିଲା । ସଂପୃକ୍ତ ଠିକାଦାରଙ୍କ ମନ୍ଥର କାର୍ଯ୍ୟ ଯୋଗୁଁ ଏହା ଅଧପନ୍ତରିଆ ହୋଇ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମାଲକାନଗିରିରେ ବନ୍ୟାସ୍ଥିତି: ତିନୋଟି ବ୍ରିଜ ଉପରେ ୪ ଫୁଟର ପାଣି, ସହରକୁ ଯୋଗାଯୋଗ ବିଚ୍ଛିନ୍ନ


ତେବେ ଗତ ୩ ଦିନ ଲଗାଣ ବର୍ଷାରେ ହେବାରୁ ଏହି ବ୍ରିଜ ଭାଙ୍ଗି ଯାଇଛି । ତେଣୁ ଚାଷୀ ନଦୀ ଆର ପାରିରେ ଥିବା ଚାଷ ଜମିକୁ ଯାଇପାରୁ ନାହାନ୍ତି । ଏପରିକି ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁ ନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଅନିତା ପାତ୍ର କହିଛନ୍ତି, ଯେହେତୁ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ନଦୀର ଉଭୟ ପାର୍ଶ୍ଵରେ ଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପାଣିର ସ୍ରୋତ କମିଲେ ପୋଲ କାମ ଶୀଘ୍ର ଆରମ୍ଭ କରାଯିବ । ଏଥିପାଇଁ ଅନ୍ୟ କିଛି ଉପାୟ ନାହିଁ । ଯେତେଥର ପୋଲ ଭାଙ୍ଗିବ ସେତେ ଥର ପୋଲ ନିର୍ମାଣ ହେବ ।" ସୀମାରେ ଥିବା 3ହଜାର ଲୋକେ ଏବେ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛନ୍ତି । ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.