ETV Bharat / state

Ama Odisha Nabin Odisha: ଝାରସୁଗୁଡା ଓ ରାୟଗଡାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 30, 2023, 7:45 PM IST

ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୧ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ରାୟଗଡ, ଗୁଣୁପୁର ଓ ବିଷମକଟକ । ଏହି ସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ । ସେହିପରି ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଂଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ଝାରସୁଗୁଡା ଓ ବ୍ରଜରାଜ ନଗର । ଏଥିରେ ୫ଟି ବ୍ଲକର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ । ଅଧିକ ପଢନ୍ତୁ

Ama Odisha Nabin Odisha:ଝାରସୁଗୁଡା ଓ ରାୟଗଡାରେ ଶୁଭାରମ୍ଭ  କଲେ ମୁଖ୍ୟମନ୍ତ୍ରୀ
Ama Odisha Nabin Odisha:ଝାରସୁଗୁଡା ଓ ରାୟଗଡାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୯୧ କୋଟିର ୨୬୧୩ ପ୍ରକଳ୍ପ ଓ ଝାରସୁଗୁଡାର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୯ କୋଟିର ୯୫୭ ପ୍ରକଳ୍ପ ଘୋଷଣା ହୋଇଛି । ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ବିକାଶର ନୂଆ ଶିଖରରେ ପହଞ୍ଚିବ ଓଡିଶାର ସବୁ ଗାଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଗାଁର ରୂପାନ୍ତର ସାରା ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ଅଧିକ ପଢନ୍ତୁ- Ama Odisha Nabin Odisha: ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା; ଖର୍ଚ୍ଚ ହେବ ୩୩୯୭ କୋଟି

ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୧ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ରାୟଗଡ, ଗୁଣୁପୁର ଓ ବିଷମକଟକ । ଏହି ସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ । ସେହିପରି ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଂଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ଝାରସୁଗୁଡା ଓ ବ୍ରଜରାଜ ନଗର । ଏଥିରେ ୫ଟି ବ୍ଲକର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ । ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ । ଆଧୁନିକତାର ବିକାଶ ହେବ । ବିକଶିତ ଗାଁ ଆଧୁନିକ ଓଡିଶାର ପରିଚୟ ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଛନ୍ତି । ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ । ଗାଁ ଗାଁରେ ସବୁ କାମକୁ ଆମେ ଠିକ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସେ କହିଛନ୍ତି ।

ରାୟଗଡା ଜିଲ୍ଲାର ରାୟଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୪.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିଭଳି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୨.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜିଲ୍ଲାରେ ୨୭ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ପାଣ୍ଡିଆନ କହିଛନ୍ତି ।

ଅନ୍ୟପଟେ ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ୫୦ ଡେସିମିଲ ଜମି ଦିଆଯାଇଛି । ଏହା ଦ୍ବାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ । ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି । ୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇ ଦିଆଯିବ । ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ବିଧାୟକ ରଘୁନାଥ ଗମାଙ୍ଗୋ, ବିଧାୟିକା ଦୀପାଳି ଦାସ, ବିଧାୟିକା ଅଳକା ମହାନ୍ତିଙ୍କ ସମେତ ଜିଲ୍ଲା ପରିଷଦ ସଭାପତି, ସଦସ୍ୟ ଗଣ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.