ETV Bharat / state

ପିଏମପି ହସ୍ପିଟାଲ ଉଦଘାଟିତ; ମେଡିକାଲ କଲେଜରେ ପରିଣତ କରିବାରେ ସହଯୋଗ କରିବ କୋଲ ଇଣ୍ଡିଆ

author img

By ETV Bharat Odisha Team

Published : Dec 8, 2023, 10:43 PM IST

Updated : Dec 8, 2023, 11:00 PM IST

ପିଏମପି ହସ୍ପିଟାଲ ଉଦଘାଟିତ; ମେଡିକାଲ କଲେଜରେ ପରିଣତ କରିବାରେ ସହଯୋଗ କରିବ କୋଲ ଇଣ୍ଡିଆ
ପିଏମପି ହସ୍ପିଟାଲ ଉଦଘାଟିତ; ମେଡିକାଲ କଲେଜରେ ପରିଣତ କରିବାରେ ସହଯୋଗ କରିବ କୋଲ ଇଣ୍ଡିଆ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଳଚେର ହେଉଛି ସଂଗ୍ରାମ ଓ ସ୍ବାଭିମାନର ଭୂମି । ଏହି ମାଟିରେ ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନଙ୍କ ଜନ୍ମ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି । ଏହି ଅବସରରେ ନବୀନ ସ୍ବର୍ଗତ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ମେଡିକାଲ କଲେଜରେ ପରିଣତ କରିବାରେ ସହଯୋଗ କରିବ କୋଲ ଇଣ୍ଡିଆ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦଘାଟନ କରିଛନ୍ତି । ଭିସି ଜରିଆରେ ହୋଇଥିବା ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଳଚେର ହେଉଛି ସଂଗ୍ରାମ ଓ ସ୍ବାଭିମାନର ଭୂମି । ଏହି ମାଟିରେ ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନଙ୍କ ଜନ୍ମ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି । ଏହି ଅବସରରେ ନବୀନ ସ୍ବର୍ଗତ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ବାସ୍ଥ୍ୟସେବା ସବୁବେଳେ ଆମର ଫୋକସ ହୋଇ ରହିଛି । ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟା ବଢିଛି ।

ସେହିପରି ରାଜ୍ୟରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି । ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି । ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି, ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି । ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ବାସ ପ୍ରକଟ କରିଛନ୍ତି ।

ଅଧିକ ପଢନ୍ତୁ- ବଦଳିଲା ନେହରୁ ଶତାବ୍ଦୀ ହସ୍ପିଟାଲର ନାମ, ପରିଚାଳନା ଭାର ନେଲେ ରାଜ୍ୟ ସରକାର

କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି । ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ । ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମସିଏଲ ୬୨୮ କୋଟି ଟଙ୍କା ସହାୟତା ଯୋଗାଇ ଦେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ । ସ୍ମରଣୀୟ ହୋଇ ରହିବ । ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ବାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଖୁବଶୀଘ୍ର ମେଡିକାଲ କଲେଜ କାର୍ଯ୍ୟକାରୀ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି ।

ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଛନ୍ତି । ମହାନଦୀ କୋଲ ଫିଲ୍ଡର ସିଏମଡି ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 8, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.