ETV Bharat / state

ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ; ସ୍ୱର ଉଠାଇଥିଲା ଓଡିଶା, ଶୁଣିଲା ଦେଶ

author img

By ETV Bharat Odisha Team

Published : Sep 19, 2023, 8:44 PM IST

ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ ନେଇ ବିଜେଡିର ପ୍ରତିକ୍ରିୟା । ଓଡ଼ିଶା ଚିନ୍ତାକୁ ଦେଶ ଗ୍ରହଣ କରେ ବୋଲି କହିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲ ନେଇ ବିଜେଡି ପ୍ରତିକ୍ରିୟା
ମହିଳା ସଂରକ୍ଷଣ ବିଲ ନେଇ ବିଜେଡି ପ୍ରତିକ୍ରିୟା

ମହିଳା ସଂରକ୍ଷଣ ବିଲ ନେଇ ବିଜେଡି ପ୍ରତିକ୍ରିୟା

ଭୁବନେଶ୍ବର: ଲୋକସଭାରେ ଏକ ତୃତୀୟାଶଂ ବା ପ୍ରାୟ ୩୩ ପ୍ରତିଶତ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିବ । ଏନେଇ ଆଜି(ମଙ୍ଗଳବାର) ଲୋକସଭାରେ ସଂଶୋଧିତ ମହିଳା ସଂରକ୍ଷଣ ବିଲ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ସଂସଦର ପ୍ରଥମ ଅଧିବେଶନରେ ବିଲ ଉପସ୍ଥାପନ ହୋଇଛି । ଯାହାକୁ ନେଇ ଦେଶ ତଥା ଓଡ଼ିଶାରେ ଉତ୍ସାହ ଦେଖିବାକୁ ମିଳିଛି । ମହିଳାଙ୍କୁ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡ଼ିଶା ମାଟିରୁ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଛନ୍ତି ।

ମହିଳା ସଶକ୍ତିକରଣରେ ଓଡ଼ିଶା ସାରା ଦେଶ ପାଇଁ ମଡେଲ ହୋଇଥିବା ବେଳେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହୋଇଛି । ଗାଁରୁ ସହର ଯାଏଁ ମହିଳାମାନେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଉଛନ୍ତି । ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା ।

ବିଜେଡିର ଏକ ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟକୁ ଗସ୍ତ କରି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତ କରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଥିଲେ । ବିଜେଡିର ସାଂସଦମାନେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ଆଗତ କରିବା ଲାଗି ଦାବି ଦୋହରାଉ ଥିଲେ ।

ଏହାମଧ୍ୟ ପଢନ୍ତୁ: ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି


ଓଡ଼ିଶା ଚିନ୍ତାକୁ ଗ୍ରହଣ କରେ ଦେଶ: ପ୍ରମିଳା

ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଚେଷ୍ଟା କରିଥିଲେ । ବିଧାନସଭାରେ ସଂକଳ୍ପ ପାରିତ କରି ସହମତ ଆଣିବା ପାଇଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଇଥିଲେ । କେନ୍ଦ୍ର ପାଖରେ ମଧ୍ୟ ଦାବି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସେହି ପ୍ରଚେଷ୍ଟା ଆଜି ସଫଳ ହୋଇଛି । ଏଥିରୁ ପ୍ରମାଣିତ ହୋଇଛି ଓଡ଼ିଶା ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଚିନ୍ତା କରନ୍ତି ତାକୁ ସମଗ୍ର ଦେଶ ଗ୍ରହଣ କରେ । ଏ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶ୍ରେୟ । କାରଣ ସାରା ଭାରତ ବର୍ଷରେ ଯେତେବେଳେ କେହି ଚିନ୍ତା କରି ନଥିଲେ ନବୀନ ପଟ୍ଟନାୟକ ତାହା କରି କି ଦେଖାଇଥିଲେ । ଦଳୀୟ ସ୍ତରରେ ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ବିଜେଡିରେ ମହିଳା ପ୍ରାର୍ଥୀ ବା ନେତ୍ରୀ ଯେତିକି ଅଛନ୍ତି ଅନ୍ୟ କୌଣସି ଦଳରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ଯେମିତି ବିଜେଡିର ମହିଳା ସଂଗଠନକୁ ସୁଦୃଢ କରିଛନ୍ତି ଅନ୍ୟ କାହାର ସେମିତି ସଂଗଠନ ନାହିଁ । ବିଜେଡିରେ ବହୁତ ଶିକ୍ଷିତ ଓ ସଶକ୍ତ ମହିଳା ଅଛନ୍ତି ଯେଉଁମାନେ ବିଧାୟକ ଓ ସାଂସଦ ହେବାକୁ ଯୋଗ୍ୟ ।


ଆରମ୍ଭ ମାତ୍ର ଆଗକୁ ଆହୁରି ଅନେକ ବାଟ: ଲତିକା

ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସେ କହିଛନ୍ତି ଯେ, ବହୁ ବର୍ଷର ପ୍ରଚେଷ୍ଟା ଆଜି ସଫଳ ହେବାକୁ ଯାଉଛି । ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଯେବେ ମୁଖ୍ୟମନ୍ତ୍ରୀ ହେଲେ, ଲଗାତାର ଭାବେ ମହିଳାଙ୍କ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସିଛନ୍ତି । ୨୦୧୮ରେ ବିଧାନସଭାରେ ସଂକଳ୍ପ ପାରିତ କରି ସବୁ ରାଜ୍ୟକୁ ପ୍ରତିନିଧି ପଠାଇଥିଲେ । ମହିଳା ସଂରକ୍ଷଣ ବିଲ ତାଙ୍କ ବିଧାନସଭାରେ ପାରିତ କରିବା ପାଇଁ ସେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପାଇଁ ଦାବି ବି କରିଥିଲେ । ପାର୍ଲାମେଣ୍ଟ କ୍ଷେତ୍ରରେ ସେ ୩୩ % ସଂରକ୍ଷଣ ବିଜେଡି ଦେଇଥିଲା । ଅଧିକରୁ ଅଧିକ ମହିଳାଙ୍କୁ ସେ ବିଧାନସଭାରେ ସ୍ଥାନ ଦେଇଛନ୍ତି ।

ପ୍ରଥମ ଥର ୫ ଜଣ ମହିଳାଙ୍କୁ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ଦେଇଛନ୍ତି । ୨୦୧୯ ପରେ ଯେତେ ଉପ ନିର୍ବାଚନ ହେଇଛି ମହିଳାଙ୍କୁ ସୁଯୋଗ ଦେଇ ବିଧାନସଭାକୁ ଅଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଲଗାତାର ପ୍ରୟାସ ଏବଂ ସଂସଦରେ ଏହି ପ୍ରସଙ୍ଗକୁ ବିଜେଡି ଉଠାଇଥିଲେ । ଯାହା ଫଳରେ ମହିଳା ସଂରକ୍ଷଣ ବିଲ ଲୋକସଭାକୁ ଆସିଛି । ଏହା ଆରମ୍ଭ ମାତ୍ର ଆଗକୁ ଆହୁରି ଅନେକ ବାଟ ଅଛି । ଯେଉଁ ମହିଳା ରାଜନୀତିକୁ ଆସିପାରୁନଥିଲେ, ଆମ ଦଳ ସୁଯୋଗ ଦେଇଛି । ଅନ୍ୟ ଦଳ କିମ୍ବା ଅନ୍ୟ ଯେଉଁ ରାଜ୍ୟରେ ମହିଳାଙ୍କୁ ସୁଯୋଗ ମିଳୁନି ସେମାନଙ୍କ ପାଇଁ ଭଲ ପରିବେଶ ହେବ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.