ETV Bharat / state

ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ: ଜଣେ ହେଲେ ନାହାନ୍ତି ମହିଳା ସଦସ୍ୟା

author img

By ETV Bharat Odisha Team

Published : Sep 17, 2023, 7:40 AM IST

ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ
ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ

ପୁନର୍ଗଠିତ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ । ପ୍ରଣବ ପ୍ରକାଶ ଦାସ ଉପଦେଷ୍ଟା ଭାବେ ନିଯୁକ୍ତ । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରାୟ ୬ ବର୍ଷ ବ୍ୟବଧାନରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ ହୋଇଛି । ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଯୁକ୍ତ ହୋଇଛନ୍ତି । ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂଙ୍କୁ ଦୁଇ ଉପଦେଷ୍ଟା ଭାବେ ସାମିଲ କରାଯାଇଛି । ମାତ୍ର ସାମ୍ମୁଖ୍ୟର ୧୦ ଜଣିଆ ତାଲିକାରେ ଜଣେ ହେଲେ ମହିଳା ସଦସ୍ୟା ନାହାନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଶ୍ରମିକ ସମ୍ମୁଖ୍ୟ ପୁନର୍ଗଠନ କରିଥିବା କୁହାଯାଉଛି ।

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅଛନ୍ତି । ମହାସଚିବ ଭାବେ କଟକ ମେୟର ସୁବାସ ସିଂଙ୍କୁ ପୁଣିଥରେ ନିଯୁକ୍ତି ମିଳିଛି । ସେହିପରି ସାମ୍ମୁଖ୍ୟର ସେଣ୍ଟ୍ରାଲ କୋଅର୍ଡିନେଟର ଭାବେ ୧୦ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସାଂସଦ ନିରଞ୍ଜନ ବିଶି, ବିଧାୟକ ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତି, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଓ ଜଗଦୀଶ ବିଶ୍ବାଳ । ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯାଜପୁର ଜିଲ୍ଲାର ନେତାମାନଙ୍କୁ ଗୁରୁତ୍ବ ଦିଆଯାଇଛି । ହେଲେ ସାମ୍ମୁଖ୍ୟରେ ଦଳର କୌଣସି ଜଣେ ବି ଶ୍ରମିକ ନେତ୍ରୀଙ୍କୁ ସ୍ଥାନ ମିଳିନାହିଁ ।

ଏହାମଧ୍ୟ ପଢନ୍ତୁ: ବିରୋଧୀଙ୍କ ଚାପରେ ଚେପା ସରକାର: ୨୧ ପରିବର୍ତ୍ତେ ୨୨ ସକାଳେ ହେବ ବାଚସ୍ପତି ନିର୍ବାଚନ

୨୦୧୭ ଏପ୍ରିଲ ମାସରେ ବିଜେଡି ପ୍ରଥମ ଥର ପାଇଁ ନିଜର ଶ୍ରମିକ ସାମ୍ମୁଖ୍ୟ ଗଠନ କରିଥିଲା । ଆଉ ସେବେଠୁ ଏହି ସାମ୍ମୁଖ୍ୟ ବିଜେଡି ନେତା ସୁବାସ ସିଂଙ୍କ ଦଖଲରେ ରହିଛି । ବିଜେଡିରେ ସାମିଲ ହେବା ପୂର୍ବରୁ ସୁବାସଙ୍କର ଶ୍ରମିକ ସଂଗଠନ କବଜାରେ ରହିଛି ବିଜୁ ଶ୍ରମିକ ସମ୍ମୁଖ୍ୟ । କଟକ ମେୟର ହେବା ପରେ ମଧ୍ୟ ସୁବାସ କ୍ୟାପିଟାଲ ହସ୍ପିଟାଲ ନିକଟରେ ଏକ ସରକାରୀ କ୍ବାଟର୍ସକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ନାଁରେ ନିଜ ଦଖଲରେ ରଖିଛନ୍ତି । ତେବେ ଶ୍ରମିକ ସାମ୍ମୁଖ୍ୟରୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ରାଉଲକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶାରଦା ନାୟକ, ସୁଶାନ୍ତ ବେହେରା ଓ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ବାଦ୍ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: କଲେଜ କ୍ୟାମ୍ପସରେ ଲାଗିବ ହୋର୍ଡିଂ, ଉଲ୍ଲେଖ ରହିବ ସ୍କିମ ଓ ମେଧାବୃତ୍ତି ଯୋଜନା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.