ETV Bharat / state

ବିରୋଧୀଙ୍କ ଚାପରେ ଚେପା ସରକାର: ୨୧ ପରିବର୍ତ୍ତେ ୨୨ ସକାଳେ ହେବ ବାଚସ୍ପତି ନିର୍ବାଚନ

author img

By ETV Bharat Odisha Team

Published : Sep 16, 2023, 1:36 PM IST

ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ ସକାଳେ ହେବ ନିର୍ବାଚନ । ଅଧିକ ପଢନ୍ତୁ

ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ
ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ବିରୋଧୀ ଦଳଙ୍କ ଚାପରେ ଚେପା ହୋଇଛନ୍ତି ରାଜ୍ୟ ସରକାର । ଶେଷରେ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ । 21 ତାରିଖ ପରିବର୍ତ୍ତେ 22 ତାରିଖ ସକାଳ ସାଢେ 9ଟାରେ ହେବ ନିର୍ବାଚନ । ଏଥିପାଇଁ 18 ତାରିଖରେ ନାମାଙ୍କନ ଦାଖଲ ହେବ । ତେବେ କିଏ ପରବର୍ତ୍ତୀ ବାଚସ୍ପତି ହେବେ ସେନେଇ ସସପେନ୍ସ ଲାଗି ରହିଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଇବାକୁ ଦାବି ଜୋରଦାର କରିଥିଲେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ।

ସେପ୍ଟେମ୍ବର 21 ତାରିଖରେ ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ତାରିଖକୁ ନେଇ ବିବାଦ ଦେଖାଦେଇଥିଲା । ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । କାରଣ ଏହି ତାରିଖରେ ନୂଆଖାଇ ପର୍ବ ପଡୁଥିଲା । ନୂଆଖାଇ ଦୁଇ ଦିନ ପାଳନ ହୁଏ । ଚଳିତ ବର୍ଷ ଏହା 20 ଓ 21 ତାରିଖରେ ପଡୁଛି । ବାଚସ୍ପତି ନିର୍ବାଚନକୁ ଆଗୁଆ କିମ୍ବା ବିଳମ୍ବରେ କରିବା ଲାଗି ବିରୋଧୀ ଦାବି କରୁଥିଲେ । ଯଦି ସରକାର ଏହା ନକରନ୍ତି, ତାହାଲେ ବାଚସ୍ପତି ନିର୍ବାଚନକୁ କଂଗ୍ରେସ ଓ ବିଜେପି ବୟକଟ କରିବ ବୋଲି ଘୋଷଣା କରିଥିଲେ ।

ରାଜ୍ୟ ସରକାର ପଶ୍ଚିମ ଓଡିଶା ବିରୋଧୀ ବୋଲି ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଥିଲା । ଫଳରେ ବ୍ୟାକଫୁଟକୁ ଆସିଥିଲେ ସରକାର । ତାରିଖ ନ ଘୁଞ୍ଚିଲେ କଂଗ୍ରେସ ବାଚସ୍ପତି ନିର୍ବାଚନକୁ ବୟକଟ କରିବ ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ଏହାମଧ୍ୟ ପଢନ୍ତୁ: BJP To Boycott Speaker Election: ବିଧାନସଭା ବାଚସ୍ପତି ନିର୍ବାଚନ ବର୍ଜନ କରିବ ବିଜେପି

ଦଳର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସେ କହିଥିଲେ । ସେହିପରି ବିଜେପି ପକ୍ଷରୁ ବିଧାୟକ ନାଉରୀ ନାୟକ ଦୁଇ ଦିନିଆ ଛୁଟି ଦାବି ଦୋହରାଇଥିଲେ । ଗଣ ପର୍ବ ରଜରେ 3 ଦିନ ଛୁଟି ରହୁଥିବାରୁ ନୂଆଖାଇରେ 2 ଦିନ ଛୁଟି ପାଇଁ ଦାବି ହୋଇଥିଲା । ବିନା ବିରୋଧୀରେ ବାଚସ୍ପତି ନିର୍ବାଚନକୁ ନେଇ ଅକଳରେ ପଡିଥିଲେ ସରକାର । ତେଣୁ 22 ତାରିଖ ସକାଳେ ବାଚସ୍ପତି ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର । 22 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.