ETV Bharat / state

Odisha Weather: ସକ୍ରିୟ ଲଘୁଚାପ ପ୍ରଭାବରେ ୨ଦିନ ପ୍ରବଳ ବର୍ଷା, ୬ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

author img

By ETV Bharat Odisha Team

Published : Sep 14, 2023, 5:14 PM IST

Etv Bharat
Etv Bharat

ରାଜ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୬ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨ ଦିନ ଧରି ପ୍ରବଳ ବର୍ଷା ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରବଳ ବର୍ଷା ଯୋଗୁଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଏବଂ ସମ୍ବଲପୁରକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ଯୋଗଁ ତଳିଆ ଅଞ୍ଚଳରେ ପାଣି ପଶିବା ସହ କଚ୍ଚା ଘର ପ୍ରତି ବିପଦ ରହିଛି । ଜଳବନ୍ଦୀ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ଏହାସହ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ଲଘୁଚାପରେ ପରିଣତ ହେଲା ସଦୃଶ ଘୁର୍ଣ୍ଣିବଳୟ, ଦୁଇଦିନ ପ୍ରବଳ ବର୍ଷା

ଅନ୍ୟପଟେ ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ଭରଣା ହେଉଛି ନିଅଣ୍ଟିଆ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି । ରାୟଗଡ଼ା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬% ଅଧିକ ରହିଛି ।

ଏହା ବି ପଢନ୍ତୁ- ବର୍ଷା ବିତ୍ପତି, ଲଗାଣ ବର୍ଷାରେ ବୁଡିଲା ଜାତୀୟ ରାଜପଥ ବ୍ରିଜ

ସେପଟେ ଚଳିତ ମୌସୁମୀରେ ୧ ଜୁନ୍‌ରୁ ୧୪ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୯୭୫.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୦୪୪.୯ ମିମି ବର୍ଷା ହୋଇଛି । ଏହାରି ମଧ୍ୟରେ ୧ ଜିଲ୍ଳାରେ ସ୍ବାଭାବିକ ବର୍ଷାଠାରୁ ଅଧିକ ହୋଇଥିବା ବେଳେ ୨୫ ଜିଲ୍ଲାରେ ସ୍ଵାଭାବିକ ବର୍ଷା ଏବଂ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.