ETV Bharat / state

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପଡିବ 'ମିଗଜୋମ' ପ୍ରଭାବ ! 'ମୁକାବିଲା ପାଇଁ ପ୍ରସ୍ତୁତ ସରକାର'

author img

By ETV Bharat Odisha Team

Published : Dec 4, 2023, 5:44 PM IST

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପଡିପାରେ 'ମିଗଜୋମ' ପ୍ରଭାବ
ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପଡିପାରେ 'ମିଗଜୋମ' ପ୍ରଭାବ

ସାମୁଦ୍ରିକ ବାତ୍ୟା 'ମିଗଜୋମ' ପ୍ରଭାବ ଓଡ଼ିଶାକୁ ସିଧାସଳଖ ଭାବେ ନପଡ଼ିଲେ ମଧ୍ୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହେବ ପ୍ରବଳ ବର୍ଷା । ସମ୍ଭାବ୍ୟ ବର୍ଷା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପଡିପାରେ 'ମିଗଜୋମ' ପ୍ରଭାବ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା 'ମିଗଜୋମ' ଓଡିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଚିତ୍ର ସ୍ପଷ୍ଟ ହୋଇସାରିଛି । ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟା ମିଗ୍‌ଜୋମ ନେଲୋର ଓ ମଛଲୀପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ରାଜ୍ୟରେ ଦେଖିବାକୁ ମିଲିଲାଣି । ଓଡ଼ିଶାରେ ବାତ୍ୟାର ପ୍ରଭାବ ସିଧାସଳଖ ପଡ଼ିବ ନାହିଁ । କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ସତର୍କ ରହିବାକୁ ସମ୍ଭାବ୍ୟ ବର୍ଷା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଓଡିଶାକୁ ନାହିଁ ସିଧାସଳଖ ପ୍ରଭାବ: ସାମୁଦ୍ରିକ ବାତ୍ୟା ମିଗ୍‌ଜୋମକୁ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ବା ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକରେ ବିଭିନ୍ନ ବିଭାଗର ସଚିବ, ସମ୍ଭାବ୍ୟ ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବାତ୍ୟା ପ୍ରଭାବରେ ବର୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ଶସ୍ୟ ସୁରକ୍ଷା, ପଶୁ ସମ୍ପଦକୁ ସୁରକ୍ଷା ପ୍ରଦାନ କରିବା ଦିଗରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ବୈଠକ ପରେ ଏ ବାବଦରେ ସୂଚନା ଦେଇଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରଲିଫ୍‌ କମିଶନର ପଦ୍ମନାଭ ବେହେରା । ସେ କହିଛନ୍ତି, "ପାଣିପାଗ ବିଭାଗର ବର୍ତ୍ତମାନର ସୂଚନା ଅନୁଯାୟୀ ସମୁଦ୍ରରେ ଥିବା ବାତ୍ୟା ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ନେଲୋର ଓ ମଛଲୀପଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଗତକାଲି ପୂର୍ବାହ୍ନ ସୁଦ୍ଧା ଏହି ପ୍ରକ୍ରିୟା ହେବ । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ', ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ

ପ୍ରସ୍ତୁତ ରାଜ୍ୟ ସରକାର: ଅତିରିକ୍ତ ସ୍ବତନ୍ତ୍ର ରଲିଫ କମିଶନର ଆହୁରି ମଧ୍ୟ କହିଛନ୍ତି, "ଏସ୍‌ଆରସିଙ୍କ ପକ୍ଷରୁ କୃଷି, ଶକ୍ତି ଓ ସମବାୟ ବିଭାଗକୁ ସତର୍କ କରାଯାଇଛି । ୫ ଜିଲ୍ଲାରେ ଓଡ୍‌ରାଫ୍‌ ମୁତୟନ କରାଯାଇଛି । ଅତିରିକ୍ତ ଭାବେ ଅଗ୍ନିଶମ ଟିମକୁ ପ୍ରସ୍ତୁତ ରଖାଯାଇଛି । କୃଷି ଓ ଉଦ୍ୟାନ କୃଷି ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନଷ୍ଟ ହୁଏ, ତେବେ ତୁରନ୍ତ ଆକଳନ କରିବା ଲାଗି ବି କୁହାଯାଇଛି । ଅମଳ ହୋଇଥିବା ଧାନ ଓ ବିଲରେ ଥିବା ଧାନର ସୁରକ୍ଷା ପାଇଁ କୃଷି ଓ ସମବାୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଥିବା ପ୍ରାୟ ୩ ହଜାର ମାଛଧରା ବୋଟ କୂଳକୁ ପଳେଇ ଆସିଛି । କୌଣସି ଗୋଟେ ବି ବୋଟ ସମୁଦ୍ରରେ ନଥିବା ଆମକୁ ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କ ଲାଗି ୬ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି । ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.