ETV Bharat / state

ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର, ୮୧ ମୃତଦେହ ପାଇଁ ସଂଗ୍ରହ ହେଲାଣି ୮୪ ଡିଏନଏ ନମୂନା

author img

By

Published : Jun 23, 2023, 10:53 PM IST

ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର
ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର

ବାହାନଗା ରେଳ ଦୁର୍ଘଟଣାକୁ ୨୧ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ଅପେକ୍ଷାରେ ଏବେ ବି ମୃତକଙ୍କ ପରିବାରବର୍ଗ । ଗୋଟିଏ ମୃତଦେହ ପାଇଁ ରହିଛନ୍ତି ଏକାଧିକ ଦାବିଦାର । ୮୧ ମୃତଦେହ ପାଇଁ ସଂଗ୍ରହ ହେଲାଣି ୮୪ ଡିଏନ୍‌ଏ ନମୂନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ୨୧ ଦିନ ବିତିଯାଇଛି । ତଥାପି ଏବେ ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇପାରିନାହିଁ । ବର୍ତ୍ତମାନ ସମସ୍ତ ମୃତଦେହ ଗୁଡିକ ଏମ୍ସ ପରିସରରେ ଥିବା ୩ଟି କଣ୍ଟେନରରେ ସଂରକ୍ଷଣ ଭାବରେ ରଖାଯାଇଛି । ତେବେ ଏମ୍ସରେ ମୋଟ ୮୧ଟି ମୃତଦେହ ଥିବା ପୂର୍ବରୁ ୭୮ଟି ଓ ଗତ ୨ ଦିନ ମଧ୍ୟରେ ଆଉ ୬ଟି ଡିଏନ୍‌ଏ ନମୂନା ସଂଗ୍ରହ କରାଯାଇଛି । ଅନ୍ୟପଟେ ଅଧିକାଂଶ ମୃତକଙ୍କ ପରିବାର ବିହାର ଓ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ଏମ୍ସ ହସ୍ପିଟାଲରୁ ମୃତଦେହକୁ ନେବା ପାଇଁ ଅପେକ୍ଷା କରିଛନ୍ତି ଅନେକ ପରିବାର ଓ ସମ୍ପର୍କୀୟ ।

ଗତ ଜୁନ ୨ ତାରିଖ ଦିନ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୨୯୨ ଛୁଇଁଛି । ମେଡିକାଲରେ ମୃତ୍ୟୁ ଘଟିଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କର ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ପ୍ରଥମରୁ ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଆଜିଯାଏଁ ଶେଷ ହୋଇପାରିନାହିଁ । ବିଭିନ୍ନ ପର୍ଯ୍ୟାୟରେ ୨୮୮ରୁ ୧୬୨ଟି ମୃତଦେହରୁ ୮୧ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବାକି ୮୧ଟି ମୃତଦେହ ଗୁଡିକୁ ହସ୍ତାନ୍ତର ସମୟରେ ଦ୍ବନ୍ଦ୍ବରେ ରହିଥିଲେ ଏମ୍ସ କର୍ତ୍ତୃପକ୍ଷ । କାରଣ ଗୋଟିଏ ଗୋଟିଏ ମୃତଦେହ ପାଇଁ ରହିଛନ୍ତି ଏକାଧିକ ଦାବିଦାର । ଶେଷ ବିକଳ୍ପ ଭାବେ ଡିଏନ୍‌ଏ ପଦ୍ଧତିକୁ ଆପଣାଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଡିଏନ୍‌ଏ ନମୂନା ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ।

ସୂଚନା ଅନୁଯାୟୀ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନ୍‌ଏ ନମୁନା ଟେଷ୍ଟିଂ ପାଇଁ ଦିଲ୍ଲୀ ପଠାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୪୯ଟି ନମୂନା ପଠାଯାଇଥିଲା । ଏହା ମଧ୍ୟରେ ଗତ ୨ ଦିନ ମଧ୍ୟରେ ଆହୁରି ୬ଟି ନମୂନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଛି । ତେବେ ଗୋଟିଏ ଗୋଟିଏ ମୃତଦେହ ଲାଗି ଦାବିଦାରଙ୍କ ସଂଖ୍ୟା ବଢୁଥିବା ବେଳେ ଟେଷ୍ଟିଂ ରିପୋର୍ଟର ଠିକଣା ମିଳୁନାହିଁ । ଆଗକୁ ମଧ୍ୟ ଡିଏନ୍‌ଏ ନମୂନା ସଂଖ୍ୟା ବଢିପାରେ । ସମସ୍ତ ଡିଏନ୍‌ଏ ନମୂନା ଗୁଡିକ ଟେଷ୍ଟିଂ ପାଇଁ ଦିଲ୍ଲୀ ପଠାଯାଇଛି । ସାଧାରଣତଃ ଡିଏନ୍‌ଏ ଟେଷ୍ଟିଂ ପାଇଁ ୧ ମାସ କିମ୍ବା ଅଧିକ ସମୟ ଲାଗିଥାଏ । ସେପଟେ ଗୋଟାଏ ମୃତଦେହ ଲାଗି ୪ରୁ ୫ଟି ପରିବାର ଦାବିଦାର ଅଛନ୍ତି । ରିପୋର୍ଟ ଆସିଲେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗ ତରଫରୁ ଦାବିଦାରଙ୍କ ମୃତଦେହକୁ ସେମାନଙ୍କ ଠିକଣା ସ୍ଥାନରେ ପହଞ୍ଚାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଦିନ ପରେ ଦିନ ବିତିଯାଉଥିଲେ ସୁଦ୍ଧା ମୃତଦେହ ମିଳିବ କି ନାହିଁ ସେ ଆଶଙ୍କାରେ ଏବେ ମଧ୍ୟ ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.