ETV Bharat / state

ମଙ୍କିପକ୍ସ ଭୟରେ 42 ପରିବାରକୁ ନିଆଁ ପାଣି ବନ୍ଦ !

author img

By

Published : Jul 18, 2022, 9:27 PM IST

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣାର ମୁଣ୍ଡାସାହି ଗାଁ । ଏହି ବସ୍ତିବାସିନ୍ଦାଙ୍କ ପାଇଁ ରାସ୍ତା ବନ୍ଦ, ଦୋକାନରୁ ସଉଦା କିଣିବା ବନ୍ଦ । ଏମିତିକି ଅସୁସ୍ଥ ହେଲେ ପାଖ ଔଷଧ ଦୋକାନକୁ ମଧ୍ୟ ଯିବା ମନା । ବନ୍ଦ ବନ୍ଦରେ ବିତିଲାଣି ଦୀର୍ଘ ୧ ସପ୍ତାହରୁ ଊର୍ଦ୍ଧ୍ବ ଦିନ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଅଜଣା ରୋଗରେ ପୀଡ଼ିତ ବସ୍ତିବାସିନ୍ଦା, ମଙ୍କିପକ୍ସ ଭୟରେ 42 ପରିବାରକୁ ସାମାଜିକ ବାସନ୍ଦ
ଅଜଣା ରୋଗରେ ପୀଡ଼ିତ ବସ୍ତିବାସିନ୍ଦା, ମଙ୍କିପକ୍ସ ଭୟରେ 42 ପରିବାରକୁ ସାମାଜିକ ବାସନ୍ଦ

କେନ୍ଦ୍ରାପଡ଼ା: ଯାତାୟାତ ପାଇଁ ରାସ୍ତା ବନ୍ଦ, ଦୋକାନରୁ ସଉଦା କିଣିବା ବନ୍ଦ । ଏମିତିକି ଦେହ ମୁଣ୍ଡ ଅସୁସ୍ଥ ହେଲେ ପାଖ ମେଡ଼ିସିନ ଦୋକାନ ମଧ୍ୟ ଏମାନଙ୍କ ପାଇଁ ବନ୍ଦ । ଏଭଳି ବନ୍ଦ ବନ୍ଦରେ ଦୀର୍ଘ ୧ ସପ୍ତାହରୁ ଊର୍ଦ୍ଧ୍ବ ସମୟ ହେବ ବାସନ୍ଦ ଜୀବନ ବିତାଉଛନ୍ତି ଆଦିବାସୀ ବସ୍ତିବାସିନ୍ଦା । କେବଳ ଗୋଟିଏ କାନ ଶୁଣା କଥା ହିଁ ବନ୍ଦ କରିଛି ଏମାନଙ୍କ ଜୀବିକା ପାଇଁ ବାଟ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣା ମୁଣ୍ଡାସାହି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଅଜଣା ରୋଗରେ ପୀଡ଼ିତ ବସ୍ତିବାସିନ୍ଦା, ମଙ୍କିପକ୍ସ ଭୟରେ 42 ପରିବାରକୁ ସାମାଜିକ ବାସନ୍ଦ

ଏହି ଗାଁର ରବି ସିଦ୍ଧୁଙ୍କ ପୁଅ ଲାଲୁ ସିଦ୍ଧୁ ସୁଦୂର ବାଙ୍ଗାଲୋରରେ ରଡ଼ ରୋଲିଂ ମିଲରେ କାମ କରୁଥିଲେ । ଗତମାସ ୨୦ ତାରିଖ ଦିନ ଲାଲୁ ଘରକୁ ଫେରି ଅସୁସ୍ଥ ହୋଇ ପଡ଼ିଥିଲେ । ପେଟ ଯନ୍ତ୍ରଣା ଅନୁଭବ ପରେ ଶରୀରର ବିଭିନ୍ନ ସ୍ଥାନରେ କାଛୁ କୁଣ୍ଡିଆ ମାଡିଯିବା ଦେଖା ଦେଇଥିଲା । ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେବା ପରେ ମଧ୍ୟ ବିଫଳ ହୋଇଥିଲା ମେଡିକାଲ ଚିକିତ୍ସା ଓ ଲାଲୁ ମୃତ୍ୟୁବରଣ କରିଥିଲେ । ଲାଲୁଙ୍କ ପରିବାରରେ ବାପା,ମା,ସ୍ତ୍ରୀ, ଭଉଣୀ ଓ ଗୋଟିଏ ଛୋଟ ଝିଅ ରହିଥିବା ବେଳେ ସେମାନଙ୍କ ଶରୀରରେ ମଧ୍ୟ ଏଭଳି କୁଣ୍ଡେଇ ହୋଇ ଫଳିଯିବା ପରେ କଥା ଚାରିଆଡେ ବ୍ୟାପିଥିଲା ।

ଫଳରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏହି ଆଦିବାସୀ ମୁଣ୍ଡା ବସ୍ତିର ଲୋକମାନଙ୍କୁ 'ମଙ୍କିପକ୍ସ' ରୋଗ ହୋଇଥିବା କହି ସେମାନଙ୍କୁ ରାସନ ଓ ପରିବା ଦୋକାନକୁ ଆସିବାକୁ ବାରଣ କରିଥିବା ଅଭିଯୋଗ କରିଛନ୍ତି ମୁଣ୍ଡା ସାହି ବାସିନ୍ଦା । ଜୀବନ ଜିଇଁବାକୁ ଦିନ ମଜୁରୀ ଉପରେ ନିର୍ଭର କରୁଥିବା ଆଦିବାସୀ ମୁଣ୍ଡାସାହିର ୪୨ ପରିବାର ପାଇଁ ଏଭଳି ଅପପ୍ରଚାର ଅଭିଶାପ ପାଲଟିଛି । କୌଣସି ବ୍ୟକ୍ତିବିଶେଷ ଏହି ମୁଣ୍ଡା ସମ୍ପ୍ରଦାୟର ବ୍ୟକ୍ତିଙ୍କୁ କାମ କରିବାକୁ ଡାକୁ ନଥିବାରୁ କିଭଳି ଚଳିବେ ଓ ଖାଇବେ କଣ ସେନେଇ ଚିନ୍ତାରେ ଏହି ବସ୍ତିବାସିନ୍ଦା । ଅନ୍ୟପଟେ ଗାଁରେ ଏଭଳି ରୋଗ ବ୍ୟାପିବା ଖବର ପାଇ ଲୋକମାନେ ବିଭିନ୍ନ ସ୍ଥାନକୁ ବାରଣ କରୁଥିବାରୁ ଗାଁର ଅନ୍ୟୁନ୍ୟ ୨୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉନଥିବା ଦେଖାଯାଇଛି ।

ଏଭଳି ଚର୍ମରୋଗ ବ୍ୟାପିଥିବା ଖବର ପାଇ ମେଡିକାଲ ଟିମର ଦୁଇଜଣିଆ ଟିମ ଗାଁରେ ପହଞ୍ଚି ଔଷଧପତ୍ର ଦେବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏଭଳି ପ୍ରଚାର ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଅନ୍ୟପଟେ ଏହି ଗାଁରେ ୪୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ଏମାନଙ୍କ ଜୀବନଧାରଣର ଧାରା ପାଲଟିଛି । ବିବାହ ଠାରୁ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଏଠାରେ ଥିବା କେନାଲ ପାଣି ଉପରେ ନିର୍ଭର କରି ରହିବାକୁ ପଡ଼ୁଥିବାରୁ ବାସ୍ତବିକ କେଉଁ କାରଣ ପାଇଁ ଏହି ଚର୍ମରୋଗ ବ୍ୟାପିଛି ସେନେଇ ପ୍ରଶାସନ ତର୍ଜମା କରିବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ସ୍ଥାନୀୟ ଜନ ପ୍ରତିନିଧି କହିଛନ୍ତି, "ଏନେଇ ଜିଲ୍ଲା ପ୍ରଶାସନ ଓ ମେଡିକାଲ ଅଫିସରଙ୍କୁ ଅବଗତ କରିଥିବା ବେଳେ ମେଡିକାଲ ଟିମ ଆସି ଏହି ଗାଁରେ କ୍ୟାମ୍ପ କରି ଚିକିତ୍ସା କରିବା ପରେ ଯାହା ସତ୍ୟାସତ୍ୟ ବାହାରକୁ ଆସିବ ।"

ଏପଟେ ମାଗୁରଗଣ୍ଡ ପାଟଣାର ଏଭଳି ସ୍ଥିତି ସମ୍ପର୍କରେ କୌଣସି ଅଧିକାରୀ ମୁହଁ ଖୋଲିନଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.