ଭାଉଜଙ୍କ ମଥାରେ ସିନ୍ଦୂର ଦେଲା ଦିଅର, ଶାଶୁ-ଶ୍ୱଶୁରଙ୍କୁ ଭୂୟସୀ ପ୍ରଶଂସା

author img

By

Published : Jan 17, 2023, 10:51 PM IST

Man marries sister in law

ବଡ଼ ଭାଇର ମୃତ୍ୟୁ ପରେ ଅସହାୟ ଭାଉଜକୁ ସାହା ହେଲେ ଯୁବକ । ଆଉ ଭାଉଜ ମଥାରେ ପିନ୍ଧାଇଲେ ସିନ୍ଦୂର । ଏଭଳି ବିରଳ ଘଟଣା କେନ୍ଦ୍ରାପଡ଼ାର ଆଳି ବ୍ଲକରେ ଦେଖିବାକୁ ମିଳିଛି । ଏହାପରେ ଶାଶୁ ଶ୍ବଶୁରଙ୍କୁ ଗାଁଲୋକେ ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଭାଉଜଙ୍କ ମଥାରେ ସିନ୍ଦୂର ଦେଲା ଦିଅର, ଶାଶୁ-ଶ୍ବଶୁରଙ୍କୁ ଭୂୟସୀ ପ୍ରଶଂସା

କେନ୍ଦ୍ରାପଡ଼ା: ବଡ଼ଭାଇର ମୃତ୍ୟୁ ପରେ ଭାଉଜକୁ ଆପଣାଇଲେ ଯୁବକ । ବାପ ଛେଉଣ୍ଡ ପିଲା ତଥା ନିଜର ପୁତୁରାଙ୍କୁ ସାହାରା ହୋଇଛନ୍ତି । ଭାଉଜ ମଥାରେ ସିନ୍ଦୂର ପିନ୍ଧାଇ ଉଦାହରଣ ସାଜିଲେ ଦିଅର। ଏହି ବିବାହକୁ ସାମାଜିକ ସ୍ବୀକୃତି ମିଳିଥିବା ବେଳେ ଏଭଳି ମହତ କାମକୁ ରୂପରେଖ ଦେଇଥିବା ଶାଶୁ ଶ୍ବଶୁରଙ୍କୁ ପ୍ରଶଂସା କରୁଛନ୍ତି ଲୋକେ । କେନ୍ଦ୍ରାପଡ଼ା ଆଳି ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ନିରୀହ କଅଁଳ ଆଖି ଆଉ ମନରେ ଅସୁମାରୀ ସ୍ବପ୍ନ । ପୁଣି ସିନ୍ଦୂର ପିନ୍ଧିଛନ୍ତି ଆଉ ହାତରେ ଶଙ୍ଖା ପିନ୍ଧି ସଧବା ସାଜିଛନ୍ତି କାଜଲ। ୬ ବର୍ଷ ତଳେ ପ୍ରେମ ବିବାହ କରି ସଂସାର କରିଥିବା କାଜଲଙ୍କ ସୁନାର ସଂସାରକୁ କର୍କଟ ରୋଗ ଭାଙ୍ଗି ଦେଇଥିବା ବେଳେ ଏବେ ଦୁଃଖର କଳା ବାଦଲରେ ଆଶା ସଞ୍ଚାରିଛନ୍ତି ଦିଅର ଅନୀଲ । କେନ୍ଦ୍ରାପଡ଼ା ଆଳି ବ୍ଲକ କୁମ୍ଭାରଟଙ୍କା ଗାଁର କାଜଲ ସେଠୀ ୬ ବର୍ଷ ତଳେ ଏହି ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ସୁନୀଲଙ୍କଠାରୁ ୩ଟି ସନ୍ତାନ ସନ୍ତତି ପ୍ରାପ୍ତ ହେବା ପରେ ସୁଖି ପରିବାର ଉପରେ ଯେମିତି କାହାର ନଜର ଲାଗି ଯାଇଥିଲା ।

ଏହା ବି ପଢନ୍ତୁ-ସିଟି ହସ୍ପିଟାଲ ଦାବିରେ ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

କର୍କଟ ରୋଗ ଜଣାପଡିବା ଓ ପରେ ତତ୍କାଳ ଚିକିତ୍ସା କରାଯାଇଥିଲେ ମଧ୍ୟ ବଞ୍ଚି ପାରିନଥିଲା ସୁନୀଲଙ୍କ ଜୀବନ। ଦେଢ଼ ବର୍ଷ ତଳେ ତିନି ପିଲା ଓ ସ୍ତ୍ରୀ କାଜଲକୁ ଛାଡି ଆରପାରିକୁ ଚାଲି ଯାଇଥିଲେ ସୁନୀଲ। ୩ ସନ୍ତାନ ସନ୍ତତିଙ୍କ ସହ ଶାଶୁ ଶ୍ବଶୁରଙ୍କୁ ନେଇ ଦୁଃଖରେ କାଳାତିପାତ କରୁଥିଲେ କାଜଲ। ସୁନୀଲଙ୍କ ସାନଭାଇ ଅନୀଲ ସୁଦୂର ଆବୁଧାବିରେ ରହୁଥିବା ବେଳେ ପରିବାରର ଏଭଳି ଦୁଃଖଦ ଦିନରେ ଛିଡା ହେବା ଓ ବାପ ଛେଉଣ୍ଡ ପିଲାଙ୍କର ବାପା ହେବାକୁ ପରିବାର ଓ ସମ୍ପର୍କୀୟ ବୁଝାଇଥିଲେ। ତେବେ ଗତ ସପ୍ତାହରେ ଅନୀଲ ଗାଁରେ ପହଞ୍ଚିବା ପରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ବାପା ପୁରୁଷୋତ୍ତମ ଓ ସମ୍ପର୍କୀୟଙ୍କ ସହ ଗ୍ରାମବାସୀ ବୁଝାଇବା ପରେ ରାଜି ହୋଇଗଲେ ଅନୀଲ । ଗତକାଲି ଗାଁ ଜଗନ୍ନାଥ ମନ୍ଦିରରେ ଉଭୟ ଅନୀଲ ଏବଂ କାଜଲଙ୍କ ହାତଗଣ୍ଠି ବୈଦିକ ରୀତିରେ ପଡିଥିଲା । ପରେ ଉଭୟ ଦମ୍ପତ୍ତିଙ୍କୁ ସାହି ଲୋକେ ଓ ଗାଁ ଲୋକେ ଆଶୀର୍ବାଦ କରି ଦାମ୍ପତ୍ୟ ଜୀବନର ମଙ୍ଗଳ ମନାସିଛନ୍ତି । ଏଭଳି ବିବାହ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ଉଭୟ ପୁରୋହିତ ଓ ଗାଁ ଲୋକେ କହିଛନ୍ତି । ସମ୍ପତ୍ତି ପାଇଁ ଭାଇ ଭାଗ କଥା ସମାଜରେ ନିତିଦିନିଆ ଘଟଣା ହୋଇଥିବା ବେଳେ ବଡଭାଇର ପିଲାଙ୍କୁ ମଣିଷ କରାଇବା ଓ ବୋହୂର ସଂସାରକୁ ପୁଣିଥରେ ସଜାଡ଼ିବା ପାଇଁ ଶାଶୁ ଶ୍ବଶୁରଙ୍କ ଏ ପ୍ରୟାସ ବେଶ ପ୍ରଶଂସନୀୟ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.