ସିଟି ହସ୍ପିଟାଲ ଦାବିରେ ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

author img

By

Published : Jan 17, 2023, 2:27 PM IST

୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରତିବାଦରେ ଓ ସିଟି ହସ୍ପିଟାଲ ଦାବିରେ ହେଉଛି ବନ୍ଦ ପାଳନ । ଅଧିକ ପଢନ୍ତୁ

୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

କେନ୍ଦ୍ରାପଡା: ସିଟି ହସ୍ପିଟାଲ ଦାବିରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ । କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୌରାଞ୍ଚଳରେ କେବଳ ଆଉଟଡୋର ଚିକିତ୍ସା ପାଇଁ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରଖିବା ବିରୁଦ୍ଧରେ ପ୍ରତିବାଦ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏଥିରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଇତ୍ୟାଦିକୁ ବାଦ୍ ଦିଆଯାଇଛି ।

ଗତ ଦଶନ୍ଧିର ଶେଷ ଭାଗରେ ଶ୍ୟାମଗୁଡ଼ିଆଠାରେ କେବଳ ମାତୃ ଓ ଶିଶୁ ହସ୍ପିଟାଲ(MCH) ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ଅତ୍ୟାଧୁନିକ ଆଇସିୟୁ ଶଯ୍ୟା ସହ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ସମୟରେ ପୌରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ କୌଣସି ପ୍ରସ୍ତାବ ନଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚଞ୍ଚକତା କରି ଏହାକୁ ଉଠାଇ ନେଇଥିଲା । ଏହାଯୋଗୁଁ ପୌରାଞ୍ଚଳର ଅନ୍ୟୁନ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ ହେବା ନେଇ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ।

ସେହିପରି ମେଡିକାଲ ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରୁଥିବା ଲୋକମାନେ ସିଧାସଳଖ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛନ୍ତି । ଏହାକୁ କେନ୍ଦ୍ରକରି ଆଜି ସହରାଞ୍ଚଳର ୨୧ଟି ୱାର୍ଡ ସମେତ ଗୁଆଳସି, ଜମଧର, କପାଳେଶ୍ୱର ପ୍ରଭୃତି ପଞ୍ଚାୟତଗୁଡିକର ଜନ ସାଧାରଣ ସହରର ତିନିମୁହାଣୀ, ଦୁହୁରିଆ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ଗରାପୁର, ଖଡ଼ିଅଙ୍ଗ ଭଳି ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ଏହି ବନ୍ଦ ପ୍ରଭାବରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ତିନିମୁହାଣୀ ଠାରେ ଶହ ଶହ ଯାତ୍ରୀବାହୀ ବସ, ପରିବହନ ଟ୍ରକ ଅଟକି ରହିଛି ।

୨୦୨୨ ମସିହା ମେ' ମାସରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା RTI ଉତ୍ତରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ କୌଣସି ଯୋଜନା ନଥିବା କୁହାଯାଇଥିଲା । ତେଣୁ ପୁନଃ ମେଡିକାଲ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଆଜି ଆନ୍ଦୋଳନରେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପରିଷଦର କାଉନସିଲରମାନେ ଯୋଗ ଦେଇଛନ୍ତି । ବନ୍ଦ ପାଳନକୁ ଶୃଙ୍ଖଳିତ ଢଙ୍ଗରେ କରାଯାଉଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.