ETV Bharat / state

ପାଇକା ନଦୀରେ ଘଳିଆ, ୪୦ ବର୍ଷ ପରେ ବଡ଼ ବନ୍ୟା ଆଶଙ୍କା

author img

By

Published : Aug 17, 2022, 10:39 PM IST

Updated : Aug 18, 2022, 2:59 PM IST

ପାଇକା ନଦୀର ବଟିରା ଠାରେ ଘଳିଆ
ପାଇକା ନଦୀର ବଟିରା ଠାରେ ଘଳିଆ

ସୋମବାର ମଧ୍ୟାହ୍ନରୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ବନ୍ୟା ପାଣି ଆସୁଛି । ପାଇକା ନଦୀର ମାର୍ଶାଘାଇ ବ୍ଲକ ବଟିରା ପ୍ରାଥମିକ ବିଦ୍ୟାଳୟ ଠାରେ ଘଳିଆ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ମହାନଦୀରେ ବନ୍ୟା ବିଭୀଷିକା। ଚାରିଆଡେ ପାଣି । ତେବେ ଶାଖାନଦୀ ଗୁଡିକରେ ଘଳିଆ ପଡିବା କାରଣରୁ ଲୋକେ ଆତଙ୍କିତ ହୋଇଥିବା ବେଳେ ପୁନଃ ଲଘୁଚାପ ଜନିତ ବର୍ଷା ଆରମ୍ଭ ଯୋଗୁଁ ଲୋକଙ୍କ ଛାତିରେ ଛନକା ପସିଛି । ବାଲିବସ୍ତା ପକାଯାଇ ରୋକିବାକୁ ପ୍ରୟାସ କରୁଛନ୍ତି ସ୍ଥାନୀୟଲୋକେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ ।

ପାଇକା ନଦୀରେ ଘଳିଆ

ମହାନଦୀରେ ଭୀଷଣ ବନ୍ୟା, ଶାଖା ନଦୀ ଗୁଡିକର ଜଳସ୍ତର ବିପଦ ସଙ୍କେତ ଠାରୁ ବହୁ ଉର୍ଦ୍ଧ୍ବରେ। ମହାନଦୀ ଶାଖା ନଦୀ ପାଇକା, ଚିତ୍ରୋତ୍ପଳା,ଲୁଣା ଓ କରାଣ୍ଡିଆ ନଦୀରେ ବନ୍ୟାଜଳ ମାଡି ଆସିବା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୦୫ଟି ଗାଁର ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା ଆଦି ବ୍ଲକରେ ଥିବା ନଦୀକୂଳ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି। ପାଇକା ନଦୀର ମାର୍ଶାଘାଇ ବ୍ଲକ ବଟିରା ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ରାତିରୁ ଘଳିଆ ପଡ଼ିଥିଲେ ହେଁ ପ୍ରଶାସନ ପହଞ୍ଚିବା ବେଳେ ୭୦% ନଦୀବନ୍ଧ ଧସି ପାଣି ଗାଁ ମୁହାଁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନର ପହଞ୍ଚିବାରେ ବିଳମ୍ବ ହେତୁ ବଲହା,ବାଲି ପକାଇ ଘଳିଆକୁ ପୋତିବା ପାଇଁ ପ୍ରୟାସ କରାଯାଇଥିଲା ବେଳେ ବିଭାଗୀୟ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଛନ୍ତି।

ସୂଚନାଅନୁସାରେ, ୧୯୮୨ ମସିହା ପରଠାରୁ ଏହା ପାଇକା ନଦୀରେ ସବୁଠୁ ବଡ଼ ଧରଣର ପାଣି ଆସିଥିବା କୁହାଯାଉଥିବା ବେଳେ ଲଘୁଚାପ ଜନିତ ବର୍ଷା ହେଲେ ଘାଇ ହେବା ଏକପ୍ରକାର ସ୍ପଷ୍ଟ ହେଉଛି । ଅନ୍ୟପଟେ ବଟିରା ଠାରେ ଘାଇ ହେଲେ ଆଖପାଖ ୧୫ଟି ପଞ୍ଚାୟତର ଏକଲକ୍ଷରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ତେବେ ପୂର୍ବ ଜୋନ ଜଳସମ୍ପଦ ବିଭାଗର ଅତିରିକ୍ତ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି ଯେ," ମୁଣ୍ଡଳୀରେ ପାଣିର ପ୍ରବାହ କମ ରହିଛି ଏବଂ କିଛି ଘଣ୍ଟା ମଧ୍ୟରେ ନଦୀଗୁଡିକରୁ ଜଳସ୍ତର କମ ହେବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ବଳ ସ୍ଥାନ ଚିହ୍ନଟ ହେଲେ ସଙ୍ଗେସଙ୍ଗେ ଏହାର ମରାମତି କରାଯାଉଛି ।"

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Aug 18, 2022, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.