ETV Bharat / state

କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଏସଏଚଜି ମହିଳାଙ୍କୁ ୭୫% ରିହାତି

author img

By

Published : Feb 21, 2023, 7:28 AM IST

କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି । ଆୟୋଜିତ ମେଳାରେ ମୋଟ ୪୬ଟି ଷ୍ଟଲ ପଡ଼ିଛି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ
agriculture machinery fair in kendrapara

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

କେନ୍ଦ୍ରାପଡ଼ା: ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତ କିଛିଦିନ ତଳେ ରାଜ୍ୟସ୍ତରୀୟ କୃଷି ଓ କୃଷକ ସମାବେଶ କାର୍ଯ୍ୟକ୍ରମର ସଫଳତା ପରେ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଏହି ମେଳାରେ ମୋଟ ୪୬ଟି ଷ୍ଟଲ ପଡିଥିବାବେଳେ ସେଥିମଧ୍ୟରୁ ୪୪ଟି ଷ୍ଟଲ କେବଳ ବିଭିନ୍ନ କମ୍ପାନୀମାନଙ୍କ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରି ପାଇଁ ଉଦ୍ଦିଷ୍ଟ ରହିଛି । ସେହିପରି ଆଉ ଦୁଇଟି ଷ୍ଟଲରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ କୃଷକମାନଙ୍କୁ ଋଣ ଜରିଆରେ ଯନ୍ତ୍ରପାତି ପ୍ରଦାନ କରିବା ପାଇଁ ରହିଛି ।

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ପ୍ରଥମ ଦିନରେ କୃଷି ଯନ୍ତ୍ରପାତି ଦେଖିବା ଓ କିଣିବା ପାଇଁ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଉଦଘାଟନୀ ଉତ୍ସବରେ ପୂର୍ବତନ କୃଷି ମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରାପଡା ଭଳି ଏକ କୃଷି ପ୍ରବଣ ଶିଳ୍ପ ବିହୀନ ଜିଲ୍ଲାରେ ଯନ୍ତ୍ରପାତି ମାଧ୍ୟମରେ ଚାଷ ଏକ ନୂଆ ସକାଳ ଦେଖାଇବ ବୋଲି କହିଛନ୍ତି । ବିଶେଷକରି ଚାଷୀ ପୁଅ କାମଧନ୍ଦା ନପାଇ ବିଦେଶକୁ ଯାଉଥିବା ବେଳେ ଏହି ଅତ୍ୟାଧୁନିକ ଚାଷୀ ସାମଗ୍ରୀ ଦ୍ୱାରା ବିଭିନ୍ନ ଫସଲ ହୋଇପାରିବ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମହିଳାମାନେ ହେଉଛନ୍ତି ଆର୍ଥିକ ପ୍ରଗତିର ଅନ୍ୟତମ ସାରଥୀ । ସେମାନଙ୍କ ଦ୍ୱାରା କମ ସମୟ ମଧ୍ୟରେ ଅଧିକ ଉତ୍ପାଦନ ପାଇଁ ରାଜ୍ୟ ସରକାର ଏହି କୃଷି ଯନ୍ତ୍ରପାତି ଗୁଡିକରେ ସବସିଡ ରଖିଛନ୍ତି । ଏହି କ୍ରମରେ ଚୁଡା କୁଟା, ମୁଢି ଭାଜିବା ଓ ପନିପରିବା ଚାଷ ଭଳି ଅତି ସହଜ କାମ ପାଇଁ ଏହି ଯନ୍ତ୍ରପାତି ବ୍ୟବହାର ସେମାନଙ୍କୁ ଆହୁରି ପ୍ରଗତିଶୀଳ କରାଇବ ।"

ବିଭିନ୍ନ ଡିଲରଙ୍କୁ ଏହି ମେଳାକୁ ଡକାଯାଇଛି ଓ କେଉଁ ମାଟି ଏବଂ କେଉଁ ଫସଲ ପାଇଁ କେଉଁ ଯନ୍ତ୍ରପାତି ଆବଶ୍ୟକ ସେନେଇ ଚାଷୀ ଓ ମହିଳା ଚାଷୀ ପ୍ରଶିକ୍ଷିତ ହୋଇ ସାମଗ୍ରୀ ନେଇପାରିବେ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି । ଗତ ସପ୍ତାହେ ଧରି ଜିଲ୍ଲାର ୯ଟି ବ୍ଳକ ଏବଂ ଦୁଇଟି ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରଚାର ପ୍ରସାର କରାଯାଇ ମେଳାରେ ଅଧିକରୁ ଅଧିକ ଚାଷୀ ଯୋଗ ଦେବା ପାଇଁ କୁହାଯାଇଛି । ସରକାରୀ "Go Sugam" ୱେବସାଇଟ ମାଧ୍ୟମରେ ଚାଷୀମାନେ ଅନଲାଇନ ପଞ୍ଜୀକରଣ କରାଇ ଏହି ସାମଗ୍ରୀ କିଣିପାରିବାର ବ୍ୟବସ୍ଥା ରହିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରତ୍ୟେକ କୃଷି ଯନ୍ତ୍ରପାତି କ୍ରୟ ଉପରେ ୭୫%, ଆଦିବାସୀ ହରିଜନମାନଙ୍କ କ୍ଷେତ୍ରରେ ୫୦% ଓ ସାଧାରଣ ଚାଷୀମାନଙ୍କ ପାଇଁ ୪୦% ରିହାତି(ସବସିଡ)ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଏହି ମେଳାରେ ଟ୍ରାକ୍ଟର, ହାର୍ଭେଷ୍ଟର, ପାୱାର ଟିଲର ସମେତ ବିଭିନ୍ନ କୃଷି ଉପକରଣ ପ୍ରଦର୍ଶିତ ହେଉଛି । ଅନ୍ୟପଟେ କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା କୃଷି ଯନ୍ତ୍ରପାତି ମେଳାରେ ୧୦ କୋଟି ଟଙ୍କା ବ୍ୟବସାୟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ୫ କୋଟି ଟଙ୍କା ରିହାତି ପ୍ରଦାନର ଯନ୍ତ୍ରପାତି ବିକ୍ରୟ କରିବାକୁ ହେବ । ତେଣୁକରି ଏହି ମେଳା ୨୪ ତାରିଖରେ ଆନୁଷ୍ଠାନିକ ଭାବେ ଶେଷ ହେଉଥିଲେ ମଧ୍ୟ ରେଜିଷ୍ଟ୍ରେସନ କରିଥିବା ଚାଷୀ ଯନ୍ତ୍ରପାତି ନନେବା ପର୍ଯ୍ୟନ୍ତ ମେଳା ଜାରି ରହିବ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.