ETV Bharat / state

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା କେନ୍ଦ୍ରାପଡ଼ା, କାର୍ଯ୍ୟକାରୀ ହେବ ୩ ହଜାର ୩୫୩ଟି ପ୍ରକଳ୍ପ

author img

By ETV Bharat Odisha Team

Published : Oct 19, 2023, 10:28 PM IST

ama odisha naveen odisha in kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ଯୋଜନା

"ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଯୋଜନା ଦ୍ବାରା ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ଯୋଜନା

କେନ୍ଦ୍ରାପଡ଼ା: "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଯୋଜନାରେ ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଞ୍ଚାୟତ ଯୋଡି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିବାକୁ ଥିବାବେଳେ ଏହି ଅର୍ଥର ସୁବିନିଯୋଗ ଦାୟିତ୍ୱ ଲୋକଙ୍କ ଉପରେ ନ୍ୟସ୍ତ କରାଯିବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀ ଓ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ସ୍ଥାନରେ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଏଥିପାଇଁ ପଞ୍ଚାୟତ ଗୁଡ଼ିକ ପ୍ରକଳ୍ପ ପିଛା ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଅବଶିଷ୍ଟ ୪୦ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ଓ ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯାଇପାରିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ମହିଳା ସଶକ୍ତିକରଣ ଓ ଯୁବକଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି ସୃଷ୍ଟି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ଏହାର ସମ୍ପ୍ରସାରଣ ପାଇଁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ଟଙ୍କା ଖର୍ଚ୍ଚ କରାଯିବ। "ପଞ୍ଚାୟତବାସୀଙ୍କୁ ସହରୀ ସୁବିଧା ଦେବା ପାଇଁ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ସ୍ୱପ୍ନକୁ ଏହି ଯୋଜନା ମାଧ୍ୟମରେ ପୂରଣ କରାଯିବ" ବୋଲି ଉପସ୍ଥିତ ସଭାରେ କହିଛନ୍ତି କେନ୍ଦ୍ରାପଡା ବିଧାୟକ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମେତ ବ୍ଳକ ଅଧ୍ୟକ୍ଷା ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଯୋଗ ଦେଇଥିଲେ।

ଗ୍ରାମ ବା ପଞ୍ଚାୟତର ସାମଗ୍ରିକ ବିକାଶ ସହ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ନାହିଁ, ସେଥିରେ ଏହି ଟଙ୍କା ଖର୍ଚ୍ଚ କରିବାର ସୁଯୋଗ ଦିଆଯାଇଛି। ଏହି ପ୍ରକଳ୍ପ ଯେପରି ସାମୂହିକ ସ୍ୱାର୍ଥ ସାଧନ କରିବ ତାକୁ ଦୃଷ୍ଟି ଦେବାକୁ କୁହାଯାଇଛି। 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତ ପାଇଁ କେଉଁ କେଉଁ ପ୍ରକଳ୍ପ କରିହେବ ତାହା ଗାଁ ଲୋକେ ପ୍ରସ୍ତାବ ଦେବେ। ସେହିଭଳି ସରପଞ୍ଚଙ୍କ ସହ ଅନ୍ୟ ଜନପ୍ରତିନିଧି ଓ ଗୋଷ୍ଠୀ ସଂଗଠନ ଗୁଡ଼ିକ ଦେଇଥିବା ପ୍ରସ୍ତାବ ଆଧାରରେ ଯୋଜନା ହେବ। ବ୍ଲକସ୍ତରରେ ସବୁ ପଞ୍ଚାୟତର ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇ ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦସ୍ତଖତ କରି ଅନୁମୋଦନ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଯିବାର ବ୍ୟବସ୍ଥା ରହିଛି । ଯେଉଁ ପ୍ରକଳ୍ପକୁ ଅନୁମୋଦନ ମିଳିବ ତାକୁ ବିଡିଓ ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନା କରିବେ ଏବଂ ପଞ୍ଚାୟତ ସମିତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବ।

ଏହା ବି ପଢନ୍ତୁ...କେନ୍ଦୁଝରରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ ଏହି ଯୋଜନାକୁ ତଦାରଖ କରିବେ। ଯୋଜନାରେ ବିଭିନ୍ନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେଉଛି କି ନାହିଁ ଜିଲ୍ଲାପାଳ ନିୟମିତ ବୈଠକ ଡାକି ତାର ସମୀକ୍ଷା କରିବେ ବୋଲି ଭିସି ଯୋଗେ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ପାଇଁ ସମସ୍ତ ବ୍ଲକ ଓ ଜିଲ୍ଲାରେ ଜଣେ ଲେଖାଏଁ ଏମଆଇଏସ ଏକ୍ସପର୍ଟ ରହିବେ। ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଯୋଜନାର ମନିଟରିଂରେ ଜିଲ୍ଲାପାଳଙ୍କୁ ସହାୟତା କରିବେ। ଏହି ଯୋଜନା ପାଇଁ ମିଳିବାକୁ ଥିବା ଅର୍ଥ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପିଏଲ ଆକାଉଣ୍ଟକୁ ଯିବ ବୋଲି ଯୋଜନାର ଗାଇଡ଼ଲାଇନରେ ସ୍ଥିର କରାଯାଇଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.