ETV Bharat / state

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

author img

By

Published : Aug 1, 2022, 8:38 AM IST

Updated : Aug 1, 2022, 11:07 AM IST

ତିନିମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ରହିଥିଲା ଉଦ୍ୟାନ
ତିନିମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ରହିଥିଲା ଉଦ୍ୟାନ

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ମେ' ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ଆଜିଠାରୁ ପୁଣି ପୂର୍ବପରି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ' ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ଏଣିକି ଗୁପ୍ତି, ଡାଙ୍ଗମାଳ ଓ ଖୋଲା ପଥ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ । ପ୍ରବେଶ ପଥ ଗୁଡିକରେ ପର୍ଯ୍ୟଟକମାନଙ୍କୁ ବନବିଭାଗ ପକ୍ଷରୁ ସ୍ବାଗତ କରାଯିବାର ବ୍ୟବସ୍ଥା ରହିଛି ।

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଏହାଛଡା ଗହିରମଥା ଅଭୟାରଣ୍ୟ ଭିତରେ ଥିବା ହୁକିଟୋଲା ମଧ୍ୟ ଆଜି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି । ପ୍ରଥମଥର ପାଇଁ ଡାଙ୍ଗମାଳ ଠାରେ ସେଲ୍ଫି ପଏଣ୍ଟ ସହ ବୋଟ ଲାଇବ୍ରେରୀ ଆରମ୍ଭ କରାଯାଇଛି । ଏହି ଲାଇବ୍ରେରୀରେ ଭିତର କନିକାରେ ଥିବା ବିଭିନ୍ନ ପ୍ରକାର ପଶୁପକ୍ଷୀ, ବୃକ୍ଷଲତା ସମ୍ପର୍କିତ ଅନେକ ଶିକ୍ଷଣୀୟ ପୁସ୍ତକ ସ୍ଥାନ ପାଇଛି ।

ଏଥିସହିତ ହେନ୍ତାଳ ଗଛ ଗୁଡିକୁ ନେଇ ଏକ ନର୍ସରୀ ମଧ୍ୟ ତିଆରି କରାଯାଇଛି । ଏହି ନର୍ସରୀରେ ୬୭ ପ୍ରକାର ଲୁଣା ଗଛର ଚାରା ପ୍ରସ୍ତୁତ କରାଯିବାକୁ ରହିଥିବାବେଳେ ଏହି ହେନ୍ତାଳ ଚାରା ଗୁଡିକର ନାମ, ଏହାର ଉପାଦେୟତା ଓ ବିଶେଷତ୍ୱ ଫଳକରେ ଲେଖାଯାଇଛି । ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୮ଟି ସରକାରୀ ବୋଟ ବ୍ୟବସ୍ଥା କରାଯାଇଛି । ସେହିପରି ଡାଙ୍ଗମାଳ ଓ ଗୁପ୍ତିରେ ରାତ୍ରିଯାପନ ପାଇଁ ଅନୁମତି ରହିଥିବାବେଳେ ହବେଳିଖଟିକୁ ଉଭୟ ଦିନ ଓ ରାତି ପ୍ରବେଶ ଓ ରହଣି ଉପରେ ରୋକ ଲଗାଯାଇଛି ।

ହବେଳିଖଟିରେ ଥିବା ଡଲଫିନ ହାଉସ ପର୍ଯ୍ୟନ୍ତ ସମୁଦ୍ର ମାଡି ଆସିଥିବା କାରଣରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାକୁ ପ୍ରବେଶ ବାରଣ କରାଯାଇଛି । ଅନ୍ୟପଟେ ଭିତରକନିକାର ଜୈବ ବିବିଧତା ରକ୍ଷା କରିବା ଉଦ୍ଦେଶ୍ୟରେ ଏଥର ପଲିଥିନ ବ୍ୟବହାର ଉପରେ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରେଞ୍ଜର ।

ପୂର୍ବରୁ ପଲିଥିନ ପ୍ରବେଶ ଉପରେ କଟକଣା ଥିଲେ ହେଁ ପର୍ଯ୍ୟଟକ ଏହାକୁ ଭ୍ରୁକ୍ଷେପ କରୁନଥିଲେ । ଭିତରକନିକା ଜୈବ ବିବିଧତା ସହ ବଉଳା କୁମ୍ଭୀର ବିଶେଷକରି ଗୋରୀ ପାଇଁ ବିଶ୍ବପ୍ରସିଦ୍ଧ ହୋଇପାରିଥିବାବେଳେ ଚଳିତବର୍ଷ ପର୍ଯ୍ୟଟକ ମାନଙ୍କ ପାଇଁ ଭରପୁର ଆନନ୍ଦ ଯୋଗାଇଦେବ ବୋଲି ଆଶା ରଖିଛନ୍ତି ପରିବେଶପ୍ରେମୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Aug 1, 2022, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.