ETV Bharat / state

ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

author img

By

Published : Sep 20, 2022, 7:37 AM IST

ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ପୂଜା ସମୟରେ ପଶୁ ବଳି ନଦେବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ । ଅଧିକ ପଢ଼ନ୍ତୁ

ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଭବାନୀପାଟଣା: ଆସନ୍ତା ଅକ୍ଟୋବର ୩ ତାରିଖରେ ପାଳନ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କୋଭିଡ ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଧରି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବା ଛତର ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ୨ ତାରିଖ ମଧ୍ୟରାତ୍ରୀରେ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତରକୁ ଛତ୍ର ବାହକ ଓ ସେବାୟତ ପାରମ୍ପରିକ ଜେନା ବାଦ୍ୟକାର ମନ୍ଦିରରୁ ବାହାର କରି ଜେନାଖାଲ ଯିବେ । ଜେନାଖାଲ ଠାରେ ବିଧିପୂର୍ବକ ପୂଜାନୀତି ପରେ ୩ ତାରିଖ ଭୋରରେ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

ଏଥିରେ ପରମ୍ପରା ଅନୁଯାୟୀ ବୀର ବାଦ୍ୟ ଘୁମୁରା ସହ ବିଭିନ୍ନ ସାଂସ୍କୃତିକ ଦଳ ଛତର ସମ୍ମୁଖରେ ପରିବେଷଣ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମରେରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା । ଅନୁଷ୍ଠିତ ବୈଠକରେ ପୌର ବିଭାଗ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୈଠକ ଶେଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ । ସେ କହିଛନ୍ତି, "ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡ଼ମ୍ବର ସହିତ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ । ତେବେ ଯାତ୍ରା ସମୟରେ ପରିବେଶ ପ୍ରଦୂଷଣ ଉପରେ ପ୍ରଶାସନ ଗୁରୁତ୍ବ ଦେବ । ଅନ୍ୟ ମୌଳିକ ସୁବିଧା ତଥା ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ସରୋବରାହ ଆଦିକୁ ନେଇ ବୈଠକରେ ଆଲୋଚନା କରାଯାଇଛି ।" ତେବେ ପୂଜା ସମୟରେ ପଶୁ ବଳି ନଦେବା ପାଇଁ ଜିଲ୍ଲାପାଳ କଳାହାଣ୍ଡିବାସୀଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.