ETV Bharat / state

ଇନ୍ଦ୍ରାବତୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Nov 6, 2022, 7:54 PM IST

ଇନ୍ଦ୍ରାବତୀ କେନାଲରୁ ମିଳିଲା ଯୁବକଙ୍କ ମୃତଦେହ
ଇନ୍ଦ୍ରାବତୀ କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

ଇନ୍ଦ୍ରାବତୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନାଲର ପ୍ରଖର ସ୍ରୋତରେ ଭାସି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ୍। ଅଧିକ ପଢ଼ନ୍ତୁ

ଭବାନୀପାଟଣା : ଇନ୍ଦ୍ରାବତୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନାଲର ପ୍ରଖର ସ୍ରୋତରେ ଭାସି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ନୂଆପଡା ଗାଁର ଦେବେନ୍ଦ୍ର ବାଗ ।

ଦେବେନ୍ଦ୍ର ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗତ ଗୁରୁବାର ଦିନ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଦୀର୍ଘ ସମୟ ଧରି ଯୁବକ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖାେଜା ଖୋଜି ଆରମ୍ଭ କରିଥିଲେ । ହେଲେ ଦେବେନ୍ଦ୍ରଙ୍କୁ ପାଇନଥିଲେ । ପରେ ସ୍ଥାନୀୟ ଲୋକେ ଇନ୍ଦ୍ରାବତୀ କେନାଲରେ ମୃତଦେହ ଭାସୁଥିବାର ଦେଖି ଦେବେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାସହ ଅଗ୍ନିଶମବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ଘଟଣାକୁ ନେଇ ଇନ୍ଦ୍ରାବତୀ କେନାଲ କର୍ତ୍ତୃପକ୍ଷଙ୍କୁ କେନାଲ ପାଣି ବନ୍ଦ କରିବାକୁ କୁହାଯାଇଥିଲା । କେନାଲରୁ ପାଣି କମିବା ପରେ ଘଟଣାସ୍ଥଳରୁ ୫୦୦ ମିଟର ଦୂରରୁ କେନାଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସେପଟେ କେନାଲରେ ପ୍ରତ୍ୟେକ ଦିନ ପ୍ରଖର ସ୍ରୋତରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚାଷ କାମ ପାଇଁ ପାଣି ଛଡା ଯାଉଛି ।

ଏ ସମ୍ପର୍କରେ କେନାଲ ନିକଟରେ ଥିବା ଗ୍ରାମବାସୀଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ କୌଣସି ସଚେତନ କରାଯାଉନି । ଫଳରେ ଲୋକେ କେନାଲକୁ ଗାଧୋଇବାକୁ ଯାଇ ଏଭଳି ଘଟଣା ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.